ଜଟଣୀ: ଜଟଣୀ ପୌରପାଳିକା ଅନ୍ତର୍ଗତ ୧୦ ନମ୍ବର ୱାର୍ଡରେ ଲୋକଙ୍କ ନାନା ମୌଳିକ ସମସ୍ୟା ଦୂର ହୋଇପାରୁନି। ୱାର୍ଡରେ ରାସ୍ତା ସମସ୍ୟାଠାରୁ ଆରମ୍ଭ କରି ପୋଖରୀ, ଡ୍ରେନ୍, ମଶାଣି, ଲାଇଟ୍, ଆବର୍ଜନା ସଫେଇ ଭଳି ଅନେକ ମୌଳିକ ସମସ୍ୟା ଥିବା ବେଳେ ବର୍ଷ ବର୍ଷ ଧରି ଏହାର ସମାଧାନ ହେଇ ପାରୁନାହିଁ। ୱାର୍ଡ କାଉନ୍‌ସିଲର ମଧ୍ୟ ଲୋକଙ୍କ ମୌଳିକ ସମସ୍ୟାକୁ ସମାଧାନ କରିବାରେ ସଂପୂର୍ଣ୍ଣ ବିଫଳ ବୋଲି ଅଭିଯୋଗ ହୋଇଛି। ତେବେ ମୁଖ୍ୟତଃ ଏହି ୱାର୍ଡରେ ରାସ୍ତା ସମସ୍ୟା ଏକ ପ୍ରମୁଖ ସମସ୍ୟା ଭାବେ ମୁଣ୍ଡ ଟେକିଛି। ଅନେକ ସ୍ଥାନରେ ରାସ୍ତା ଖରାପ ହୋଇ ପଡ଼ିଥିବା ବେଳେ ବର୍ଷା କାରଣରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେବେ ଏହାରି ମଧ୍ୟରେ ୱାର୍ଡର ପାଇକରାପୁର ରାସ୍ତା ଏବେ କଦର୍ଯ୍ୟ ହୋଇଯାଇଛି। ବର୍ଷା ହେବାରୁ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଥିବାରୁ ଅଞ୍ଚଳବାସୀ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବର୍ଷ ବର୍ଷ ହେଲା ୱାର୍ଡ କାଉନସିଲର ଅର୍ଣ୍ଣପୂର୍ଣ୍ଣା ସାହୁ ଲୋକଙ୍କୁ କେବଳ ମିଛ ପ୍ରତିଶ୍ରୁତି ଦେଇ ଆସୁଥିବା ଅଭିଯୋଗ ହୋଇଛି। ତେଣୁ ଆଗକୁ ଯଥାଶୀଘ୍ର ରାସ୍ତା ନିର୍ମାଣ ନ ହୁଏ ତାହେଲେ ରାସ୍ତାରୋକ୍ କରିବେ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି। 

Advertisment

ସୂଚନାଯୋଗ୍ୟ ଯେ, ୧୦ ନମ୍ବର୍ ୱାର୍ଡର ପାଇକରାପୁର ଗ୍ରାମ ରାସ୍ତା ଅନେକ ଦିନ ହେଲା ଖରାପ ହୋଇ ପଡ଼ିରହିଛି। ଏହି ରାସ୍ତାଦେଇ ଗ୍ରାମର ଲୋକଙ୍କ ସମେତ ସ୍କୁଲ୍ ପିଲାମାନେ ଯାତାୟାତ କରୁଛନ୍ତି। ରାସ୍ତା ଅବସ୍ଥା ଶୋଚନୀୟ ହେବା କାରଣରୁ ଘୋର ସମସ୍ୟା ସୃଷ୍ଟି ହେଉଛି। ବିଶେଷକରି ବର୍ଷାଦିନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଅଞ୍ଚଳବାସୀ। ଅଞ୍ଚଳର ସମସ୍ୟାକୁ ନେଇ ବାରମ୍ୱାର ୱାର୍ଡ କାଉନସିଲର୍ ଓ ପୌରପାଳିକା ନିର୍ବାହୀ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନାହିଁ। ଏହାକୁ ନେଇ ଗତ ସେପ୍ଟେମ୍ବର ୫ ତାରିଖରେ ଅଞ୍ଚଳର ମହିଳାମାନେ ରାସ୍ତାରେ ଜମିଥିବା ଆଣ୍ଠୁଏ ପାଣିରେ ଛିଡ଼ା ହୋଇ ପ୍ରତିବାଦ କରିଥିଲେ। ହେଲେ ଘଟଣାକୁ ଏକ ମାସ ବିତିଯାଇଥିଲେ ମଧ୍ୟ ପୌରପ୍ରଶାସନ ଓ କାଉନସିଲର୍ କର୍ଣ୍ଣପାତ କରୁ ନଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ଗତ କିଛି ଦିନ ହେଲା ଲଗାଣ ବର୍ଷା ଯୋଗୁ ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହୁଛି। ଉକ୍ତ ରାସ୍ତାଟି ଗ୍ରାମବାସୀଙ୍କ ପାଇଁ ମୁଖ୍ୟ ରାସ୍ତା ଥିବାରୁ ସେହି ରାସ୍ତାଦେଇ ସେମାନେ ଯିବାଆସିବା କରୁଛନ୍ତି। ବିଦ୍ୟାଳୟକୁ ଯାଉଥିବା ପିଲାମାନେ ସାଇକେଲକୁ କାନ୍ଧରେ ନେବା ସହ ଆଣ୍ଠୁଏ ପାଣିରେ ପଶି ଛୋଟ ପିଲାମାନେ ବିଦ୍ୟାଳୟକୁ ଯାଉଥିବା ଦେଖିବାକୁ ମିଳିଛି। ଏ ସମ୍ପର୍କରେ ପୌର ନିର୍ବାହୀ ଅଧିକାରୀ ଆକ୍ରିତି ଗୋଏଙ୍କା କହିଛନ୍ତି ଯେ, ଆର୍ ଆଣ୍ଡ ବି ବିଭାଗ ଏହି ରାସ୍ତା କାମର ଦାୟିତ୍ୱ ନେଇଛି। ଆଉ ରୋଡ୍ ସହ ଡ୍ରେନ୍ ନିର୍ମାଣ ପାଇଁ ଟେଣ୍ଡର୍‌ ମଧ୍ୟ ହୋଇଛି। ଡ୍ରେନ୍ ହୋଇଗଲେ ଏହାର ସମାଧାନ ହୋଇଯିବ ବୋଲି ସେ କହିଛନ୍ତି।