ପୁରୁଣା ଭୁବନେଶ୍ୱର: ଆଜି ପୁଣି ଏକାମ୍ର କ୍ଷେତ୍ରର ବିଭିନ୍ନ ମନ୍ଦିରରେ ବର୍ଷା ବିତ୍ପାତ ଦେଖିବାକୁ ମିଳିଛି। କ୍ଷେତ୍ରାଧିପତି ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ପରିସର ଅବସ୍ଥା ବି ଦୟନୀୟ ହୋଇପଡ଼ିବାରୁ କିଛି ମନ୍ଦିର ପାହାଚରେ ଠାକୁରଙ୍କ ନୀତିକାନ୍ତି ହେବା ପର୍ଯ୍ୟନ୍ତ କଥାଗଲା। ସେହିଭଳି ଅଧିକାଂଶ ମନ୍ଦିରରେ ପାଣି ଗଳୁଥିବାରୁ ଆଜି ପ୍ରବଳ ବର୍ଷାରେ ଠାକୁର ଭିଜିଥିବା ବେଳେ କିଛି ମନ୍ଦିରରେ ଠାକୁର ବୁଡ଼ିଯାଇଥିଲେ।
ଆଜି ପୁଣି ଲିଙ୍ଗରାଜ ମନ୍ଦିରରେ ବାଇଶି ପାହାଚରୁ ସିଂହଦ୍ବାର ପର୍ଯ୍ୟନ୍ତ ପାଣି ଜମି ରହିଥିଲା। ପ୍ରାୟ ଦେଢ଼ ଘଣ୍ଟା କାଳ ଆଣ୍ଠୁଏ ଉଚ୍ଚରେ ପାଣି ଜମି ରହିଲା। ଫଳରେ ସେବାୟତମାନେ ମନ୍ଦିରକୁ ଯାଇପାରିଲେ ନାହିଁ କି ମନ୍ଦିରରୁ ବାହାରି ପାରିଲେ ନାହିଁ। ପର୍ଯ୍ୟଟକମାନେ ମନ୍ଦିର ଭିତରେ ଗୋଟିଏ ଗୋଟିଏ ସ୍ଥାନରେ ଅଟକିଗଲେ। ମନ୍ଦିରର ନାଟ୍ୟ ମଣ୍ଡପ, ବାସୁଆ ବଳଦ ମନ୍ଦିର ଓ ପାର୍ବତୀ ମନ୍ଦିରରେ ପାଣି ଗଳିଥିଲା। ମା’ ଭୁବନେଶ୍ବରୀଙ୍କ ମନ୍ଦିର ଭିତରେ ଅଧ ଫୁଟ୍ ଉଚ୍ଚରେ ପାଣି ଜମି ରହିଥିଲା। ଏମିତି ବହୁ ମନ୍ଦିରରେ ବର୍ଷା ପାଣି ଗଳିବାରୁ ଠାକୁରଙ୍କ ନୀତିକାନ୍ତି ପ୍ରଭାବିତ ହୋଇଥିଲା। କେତେକ ମନ୍ଦିରରୁ ପାଣି ବାହାରିବାରେ ବିଳମ୍ବ ହେବାରୁ ସେବାୟତମାନେ ପାହାଚରେ ବସି ନୀତିକାନ୍ତି ସମ୍ପନ୍ନ କରିଥିଲେ। ବଡ଼ କଥା ହେଉଛି ଆଜି ଗୋସାଗରେଶ୍ବର ମନ୍ଦିରରେ ମହାଦେବ ବର୍ଷା ପାଣିରେ ବୁଡ଼ି ରହିଥିଲେ। ବର୍ଷା ଛାଡ଼ିବା ପରେ ମଟର ଲଗାଇ ମନ୍ଦିରରୁ ପାଣି ବାହାର କରାଯାଇଥିଲା। ଆଜି ଏତେ ମନ୍ଦିରରୁ ପାଣି ଗଳିବା ଦେଖାଯିବା ପରେ ସେବାୟତ ଓ ପର୍ଯ୍ୟଟକମାନଙ୍କ ଭିତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ପ୍ରତ୍ନତତ୍ତ୍ବ ବିଭାଗର ଅବହେଳାରୁ ଦିନେ ମନ୍ଦିର ସବୁ ଭୁଶୁଡ଼ିପଡ଼ିବ ବୋଲି ସେମାନେ କ୍ଷୋଭର ସହ କହିଥିଲେ। ନିୟମିତ ଯାଞ୍ଚ ହେଉନଥିବାରୁ ଏହି ପରିସ୍ଥିତି ଉପୁଜିଛି ବୋଲି ସେବାୟତମାନେ ଅଭିଯୋଗ କରିଛନ୍ତି।
ଟର୍ଚ୍ଚ ଲାଇଟ୍ରେ ଫାଟ ଖୋଜୁଛି ଏଏସ୍ଆଇ
ପ୍ରସିଦ୍ଧ ରାମେଶ୍ବର ମନ୍ଦିରର ଗର୍ଭଗୃହରେ ବର୍ଷା ପାଣି ଗଳୁଛି। ଦୀର୍ଘ ବର୍ଷ ଧରି ବର୍ଷା ଋତୁ ସାରା ଏହି ମନ୍ଦିରରେ ପାଣି ଝରାଉଛି। ତେଣୁ ଧୀରେଧୀରେ ପଥର ଦୁର୍ବଳ ହେବ ଓ ମନ୍ଦିର ଭୁଶୁଡ଼ିପଡ଼ିବ ବୋଲି ଆଶଙ୍କା ଦେଖାଦେଇଛି। ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଏଏସ୍ଆଇ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ଆଜି ମନ୍ଦିରକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲା। ଟର୍ଚ୍ଚ ଲାଇଟ୍ରେ ମନ୍ଦିର ଗର୍ଭଗୃହର ଯାଞ୍ଚ କରିଥିଲା। ଗର୍ଭଗୃହରେ ସୃଷ୍ଟି ହୋଇଥିବା ଫାଟ ସବୁକୁ ଖୁବ୍ଶୀଘ୍ର ମରାମତି କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି। ଏଏସ୍ଆଇ ଅଧୀକ୍ଷକ ଅରୁଣ କୁମାର ମଲ୍ଲିକ ଓ ଅନ୍ୟ ଅଧିକାରୀମାନେ ଗର୍ଭଗୃହ ସ୍ଥିତି ଅନୁଧ୍ୟାନ କରିଥିଲେ।