ଭୁବନେଶ୍ବର: ଅସରାଏ ବର୍ଷା ହେଲେ ଆଣ୍ଠୁଏ ପାଣି। ଯଦି ଲଗାଣ ବର୍ଷା ହେଲା, ତେବେ କଥା ସରିଲା। ଘର ଭିତରୁ ବାହାରିବା ମୁସ୍କିଲ୍‌। ଯେତେ ଦରକାର ପଡ଼ିଲେ ବି ବାହାରକୁ ଯିବା ମନା। ବନ୍ଧୁବାନ୍ଧବ ଆସିବାକୁ ଅମଙ୍ଗ। ଏମିତିକି ବୁଲାବିକାଳି ଓ କୋରିଅରବାଲା ମଧ୍ୟ ନାରାଜ। ଜଳ ନିଷ୍କାସନ ପାଇଁ କୌଣସି ବ୍ୟବସ୍ଥା ନଥିବାରୁ ବର୍ଷା ଛାଡ଼ିଗଲେ ମଧ୍ୟ ସପ୍ତାହେ ପର୍ଯ୍ୟନ୍ତ ଜମି ରହୁଛି ପାଣି। ନଳା ତିଆରି କରିବେ ବୋଲି କେତେକଙ୍କ ଦୁଆର ମୁହଁରେ ଖୋଳି ଦେଇଛନ୍ତି। ଫଳରେ ସେଠାରେ ଅଣ୍ଟାଏ ପାଣି ଜମୁଛି। ଏହି ସମୟରେ ଗାଡ଼ି ମୋଟର ନା ପଶିପାରୁଛି ନା ବାହାରି ପାରୁଛି। ଏହା କେଉଁ ଉପାନ୍ତ ଅଞ୍ଚଳ ଚିତ୍ର ନୁହେଁ, ରାଜଧାନୀସ୍ଥ ସତ୍ୟବିହାରର ଚିତ୍ର। ୧୬ ନମ୍ବର ଜାତୀୟ ରାଜପଥକୁ ଲାଗି ଭୁବନେଶ୍ବର ପ୍ରବେଶ ପଥରେ ବିଏମ୍‌ସିର ୫ନମ୍ବର ୱାର୍ଡରେ ଏହି ଅଞ୍ଚଳ ରହିଛି।

Advertisment

୫୦୦ ଏକର ବିଶିଷ୍ଟ ଅଞ୍ଚଳରେ ରହିଛି ଏହି ସତ୍ୟବିହାର କଲୋନି। ଏଠାରେ ୨୦ ହଜାରରୁ ଊର୍ଦ୍ଧ୍ବ ଲୋକ ବସବାସ କରୁଛନ୍ତି। ଭିତରେ ପ୍ରାୟ ୧୯ କିମି ଲମ୍ବାର ରାସ୍ତା ରହିଛି। କିନ୍ତୁ ଅଧାରୁ ଅଧିକ ନିର୍ମାଣ ହୋଇ ନାହିଁ। ଅସରାଏ ବର୍ଷାହେଲେ ସେହିସବୁ ରାସ୍ତାରେ ପାଣି ଜମି ଯାଉଛି। ଏବେ ବର୍ଷାଋତୁ ଚାଲିଥିବାରୁ ସେଠାରେ ଅଭାବନୀୟ ସ୍ଥିତି ସୃଷ୍ଟି ହୋଇଛି। କେତେକଙ୍କ ଘରେ ମଧ୍ୟ ପାଣି ପଶିଯାଉଛି। ଏହି ଅଞ୍ଚଳକୁ ବିଏମ୍‌ସି ସମ୍ବେଦନଶୀଳ ଅଞ୍ଚଳ ଘୋଷଣା କରି ବର୍ଷା ହେଲେ ପାଣି ପମ୍ପ ଲଗାଉଛି। ଅଳ୍ପ ବର୍ଷା ହେଲେ ପାଣିପମ୍ପ ସମ୍ଭାଳୁଛି, କିନ୍ତୁ ଲଗାଣ ବର୍ଷା ହେଲେ ଘରୁ ବାହାରି ହେଉନାହିଁ। ଏଠାରେ ବର୍ଷାହେଲେ ରୋଗ ହେବା ମନା। କାରଣ ରୋଗ ହେଲେ ଆମ୍ଭୁଲାନ୍ସ ପଶି ପାରୁନାହିଁ। ଦୁଇକିମି ଦୂରରୁ ରୋଗୀଙ୍କୁ ଟେକି ଟେକି ଆଣିଲେ ତାକୁ ଡାକ୍ତରଖାନା ନେଇ ହେଉଛି, ନହେଲେ ନାହିଁ। କିନ୍ତୁ ଅଞ୍ଚଳଟି ଅନେକ ସମୟରେ ସନ୍ତସନ୍ତିଆ ରହୁଥିବାରୁ ମଶା ଓ ମାଛିଙ୍କର ପ୍ରାଦୁର୍ଭାବ ବର୍ଷସାରା ଜାରି ରହୁଛି।
ଜଳ ନିଷ୍କାସନ ପାଇଁ ବିଏମ୍‌ସି ଏଠାରେ ନଳା ନିର୍ମାଣ କାମ ଆରମ୍ଭ କରିଥିଲା। କେବଳ ମୁଖ୍ୟ ନଳାଟିକୁ ନେଇ ପାଖରେ ଥିବା ଗଙ୍ଗୁଆରେ ପକାଇଛନ୍ତି। କିନ୍ତୁ ବାକି ଡ୍ରେନ୍‌କାମ ଅଧାପନ୍ତରିଆ ଭାବେ ପଡ଼ିଛି। କିଛି ସ୍ଥାନରେ ଲୋକଙ୍କ ଘର ସମ୍ମୁଖରେ ଖୋଳି ଛାଡ଼ି ଦେଇଛନ୍ତି। ଫଳରେ ‌ଘର ଆଗରେ ଅଣ୍ଟାଏ ଖାଲ ବର୍ଷା ଜଳରେ ଭର୍ତ୍ତି ହୋଇଯିବା ପରେ ସାଂଘାତିକ ପରିସ୍ଥିତି ସୃଷ୍ଟି ହେଉଛି।

ସ୍ଥାନୀୟ ବାସିନ୍ଦା ଗୋଲକ ବିହାର ଧଳ କହିଛନ୍ତି, ଡ୍ରେନ୍‌ କରିବା ପାଇଁ ଫେବ୍ରୁଆରି ମାସରେ ଠିକାଦାର ଖୋଳିଥିଲା। କିନ୍ତୁ ଚାରିମାସ ହେଲା ଆଉ ଠିକାଦାରର ଦେଖା ନାହିଁ କି ବିଏମ୍‌ସି ବି ଶୁଣୁନି। ଯିବା ଆସିବାରେ ବହୁତ ସମସ୍ୟା ହେଉଛି। କର୍ପୋରେଟରଙ୍କୁ ଅବଗତ କରାଇଥିଲେ ମଧ୍ୟ ଆଜିଯାଏ କୌଣସି ସମାଧାନ ହୋଇନାହିଁ। କଲୋନୀର ବିଭିନ୍ନ ସ୍ଥାନରେ ଏଭଳି ଗାତଖୋଳି ଠିକାଦାର ଚାଲି ଯାଇଛି। କେତେକ ଜାଗାରେ ଡ୍ରେନ୍‌ର କାନ୍ଥ କରିବା ପାଇଁ ଲୁହାଛଡ଼ ବନ୍ଧା ହୋଇଛି। ବର୍ଷା ପାଣିରେ ଏହି ଗାତ ଭର୍ତ୍ତି ହୋଇଯିବା ପରେ ବିପଦକୁ ଆମନ୍ତ୍ରଣ କରୁଛି। ଅବଶ୍ୟ ୮ଦିନ ତଳେ ମେୟର ଆସି ଅନୁଧ୍ୟାନ କରି ଠିକାଦାରକୁ ଫୋନ୍‌ରେ ତାଗିଦ୍‌ କରିଛନ୍ତି। କିନ୍ତୁ ସ୍ଥିତିରେ କିଛି ପରିବର୍ତ୍ତନ ଆସିନାହିଁ। କେବଳ ଡ୍ରେନ୍‌ ସମସ୍ୟା ନୁହେଁ, ଏଠାରେ ରାସ୍ତା ସ୍ଥିତି ବି ବଡ଼ ବିଚିତ୍ର। କିଛି ସ୍ଥାନରେ ରାସ୍ତା ଏବେ ଯାଏ ତିଆରି ହୋଇନାହିଁ। ଯେଉଁଠି ଅଛି, ତା’ ଭିତରୁ ଅନେକ ସ୍ଥାନରେ ସ୍ବେରେଜ ପାଣି ରାସ୍ତା ଉପରେ ଭାସୁଛି। ସେହି ପାଣି ଭିତରେ ଲୋକ କାମକୁ ଯାଉଛନ୍ତି, ରୋଗୀଙ୍କୁ ଡାକ୍ତରଖାନା ବୁହା ଯାଉଛି, ପିଲାଏ ସ୍କୁଲ ଯାଉଛନ୍ତି। ବିଭିନ୍ନ ଘରକୁ ସଂଯୋଗ କରୁଥିବା ପାଖାପାଖି ୧୯ କିମି ରାସ୍ତାରେ ୫ବର୍ଷ ତଳୁ ସ୍ବେରେଜ୍ ବୋର୍ଡର ପାଇପ୍ ବିଛା ସରିଛି। ଏବେ ସ୍ବେରେଜ ପାଇପ୍‌ ପ୍ରତି ଘର ସହିତ ସଂଯୋଗ କରାଯାଉଛି। ସତ୍ୟବିହାରକୁ ୩ଟି ଜୋନ୍‌ରେ ବିଭକ୍ତ କରାଯାଇଛି। ବେଲବଣିଆ ମନ୍ଦିର ଲେନ୍‌ରେ ସ୍ବରେଜ ପାଇପ୍‌ ସଂଯୋଗ ହୋଇଛି। କିନ୍ତୁ ଅନ୍ୟଦୁଇଟି ଜୋନରେ ପାଇପ୍‌ ସଂଯୋଗ ହୋଇନି। କିନ୍ତୁ କିଛି ସ୍ଥାନରେ ବେଆଇନ ଭାବରେ ସଂଯୋଗ କରାଯାଇଥିବାରୁ ରାସ୍ତା ଉପରେ ମଳ ଭାସୁଛି।