ରାସ୍ତାରେ ଆତଙ୍କରାଜ : ଗୋଡ଼ାଇ ଗୋଡ଼ାଇ ଛୁରାମାଡ଼, ୨ ଭାଇ ଗିରଫ

ଭୁବନେଶ୍ୱର : ଦିନ ଆଲୁଅରେ ରାଜରାସ୍ତାରେ ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଛୁରାମାଡ଼। ଚଳଚ୍ଚିତ୍ରର ଦୃଶ୍ୟ ଭଳି ନୂଆପଲ୍ଲୀ ଥାନା ଅଧୀନ ପାସ୍‌ପୋର୍ଟ କାର୍ଯ୍ୟାଳୟ ସାମ୍ନା ମୁଖ୍ୟ ରାସ୍ତାରେ ଆଜି ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଆକ୍ରମଣର ଶିକାର ଯୁବକଜଣକ ହେଲେ, ନୂଆପଲ୍ଲୀର ଅଭିମନ୍ୟୁ ନାୟକ ଓରଫ ଅଭୟ। ପୂର୍ବାହ୍ନ ପ୍ରାୟ ୧୦ଟା ବେଳେ ୨ଜଣ ଯୁବକ ରାସ୍ତା ଉପରେ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଛୁରାମାଡ଼ କରିଥିଲେ। ନୂଆପଲ୍ଲୀ ଥାନା ପୁଲିସ ତାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଇଥିଲା। ପରେ ସ୍ବାସ୍ଥ୍ୟାବସ୍ଥା ଉଦ୍‌ବେଗଜନକ ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଅଭିମନ୍ୟୁଙ୍କ ପେଟ, ପିଠିର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ଏହି ଘଟଣାରେ ପୁଲିସ ଘଟଣାସ୍ଥଳରୁ ଜଣେ ଯୁବକକୁ କାବୁ କରି ଥାନା‌ରେ ଅଟକ ରଖିଛି।

ଘଟଣା ଘଟିବା ସମୟ‌ରେ ଉପସ୍ଥିତ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା। ଜୀବନ ବଞ୍ଚାଇ ଯିଏ ଯିଆଡ଼େ ପାରିଲେ, ଦୌଡ଼ି‌ଥିଲେ। ଅପରପକ୍ଷେ ପାସ୍‌ପୋର୍ଟ କାର୍ଯ୍ୟାଳୟ ଭଳି ଜନଗହଳିପୂର୍ଣ୍ଣ ସ୍ଥାନରେ ଏଭଳି ଆତଙ୍କରାଜ ଘଟଣା କମିସନରେଟ୍‌ ପୁଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପୁଲିସ ସୂଚନା ମୁତାବକ, ଅଭୟଙ୍କ ଦାଦା ରବୀନ୍ଦ୍ରଙ୍କର ପାସ୍‌ପୋର୍ଟ ଅଫିସ୍‌ ପାଖ‌ରେ ଏକ କ୍ୟାବିନ୍‌ ରହିଥିଲା। ଗତ ରାତିରେ କେହି ତାକୁ ଓଲଟାଇ ଦେଇଥିଲା। ନିକଟରେ ଦୋକାନ କରିଥିବା ସ୍ମୃତିରଞ୍ଜନ ସେଠୀ ଓ ତାଙ୍କ ଭାଇ ବିଜୟ ସେଠୀ ଏପରି କରିଛନ୍ତି ବୋଲି ଆଜି ପୂର୍ବାହ୍ନରେ ରବୀନ୍ଦ୍ର ଅଭିଯୋଗ କରିଥିଲେ। ଏହାକୁ ନେଇ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏଥିରେ ରାଗିଯାଇ ଅଭୟ ଓ ରବୀନ୍ଦ୍ର ମିଳିତ ଭାବେ ତାଙ୍କୁ ମାଡ଼ ମାରିଥିବା ନେଇ ସ୍ମୃତି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଏକ ଘଣ୍ଟା ନ ପୂରୁଣୁ ଅଭୟଙ୍କୁ ଏକୁଟିଆ ପାଇ ସ୍ମୃତି ଓ ବିଜୟ ଛୁରିରେ ଆକ୍ରମଣ କରିଥିଲେ। ତେବେ ଠିକ୍‌ ସେତିକିବେଳେ ସେହି ରାସ୍ତା ଦେଇ ଏକ ଜରୁରୀ କାମରେ ଯାଉଥିବା ନୂଆପଲ୍ଲୀ ଥାନା ଆଇଆଇସି ଅରୁଣ ସ୍ବାଇଁ ଏହା ଦେଖି ଅଭୟଙ୍କୁ ଉଦ୍ଧାର କରିଥିଲେ।

ସମ୍ବନ୍ଧିତ ଖବର