ଭୁବନେଶ୍ବର: ନୂଆପଲ୍ଲୀ ଆବାସିକ ଅଞ୍ଚଳରେ ୭୦ ବର୍ଷୀୟ ଜଣେ ମହିଳାଙ୍କୁ ଛୁରାମାଡ଼ ଘଟଣାରେ ଏକ ଦୁଃଖଦ ମୋଡ଼ ଆସିଛି। ଘଟଣାକୁ ୬୦ ଘଣ୍ଟା ବିତିଥିବା ବେଳେ ପୀଡ଼ିତାଙ୍କର ଚେତା ଫେରୁନାହିଁ। ଏଭଳି ପରିସ୍ଥିତିରେ ଆଜି ସନ୍ଧ୍ୟାରେ ତାଙ୍କର ସ୍ବାବ୍ ପରୀକ୍ଷା ରିପୋର୍ଟ ଆସିଛି। ରିପୋର୍ଟରେ କରୋନା ପଜିଟିଭ୍ ଥିବା ଜଣାପଡ଼ିଛି। ଏଣୁ ତାଙ୍କୁ ତୁରନ୍ତ ସମ୍ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସେଠାରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। କରୋନା ପଜିଟିଭ୍ ଥିବାରୁ ପରିବାର ସଦସ୍ୟଙ୍କୁ ଆଉ ସେଠାରେ ରହିବା ପାଇଁ ଅନୁମତି ଦିଆଯାଇ ନାହିଁ। ମହିଳାଙ୍କ ସ୍ବାମୀ ତାଙ୍କୁ ହସ୍ପିଟାଲ୍ ନେଇ ଯାଇଥିବାରୁ ତାଙ୍କର ପରୀକ୍ଷା ହେବା ସହ ତାଙ୍କୁ ସଙ୍ଗରୋଧରେ ରହିବା ପାଇଁ କୁହାଯାଇଛି।
ଏଭଳି ଏକ ପରିସ୍ଥିତିରେ ପତ୍ନୀଙ୍କଠାରୁ ଦୂରେଇ ରହିବାକୁ ନେଇ ସେ ଭାଙ୍ଗି ପଡ଼ିଛନ୍ତି। ଏହି ଘଟଣାରେ ପୁଲିସ୍ ସିସିଟିଭି ଫୁଟେଜ୍ ସଂଗ୍ରହ କରି ଫୁଟେଜ୍ରେ ଥିବା ସମସ୍ତ ବାଇକ୍ଗୁଡ଼ିକୁ ଚିହ୍ନଟ କରିଛି। ଖୁବ୍ଶୀଘ୍ର ପୁଲିସକୁ ସଫଳତା ମିଳିବା ଆଶା କରାଯାଉଛି ବୋଲି ଡିସିପି ଉମାଶଙ୍କର ଦାଶ କହିଛନ୍ତି। ସୂଚନାଯୋଗ୍ୟ, ରବିବାର ପୂର୍ବାହ୍ନ ୧୦ଟା ବେଳେ ମହର୍ଷି ପବ୍ଲିକ୍ ସ୍କୁଲ ସମ୍ମୁଖ ଏନ୍/୪-୨୬୩ରେ ରହୁଥିବା ଚକ୍ରପାଣି ମିଶ୍ରଙ୍କ ଘରେ ଘରଭଡ଼ା ବୁଝିବା ପାଇଁ ଦୁଇଜଣ ଦୁର୍ବୃତ୍ତ ଘରେ ପଶିଥିଲେ। ତାଙ୍କର ୭୦ ବର୍ଷୀୟ ପତ୍ନୀ ତୁଳସୀ ଦେଈଙ୍କୁ ଉଭୟ ଛୁରାମାଡ଼ କରି ସୁନା ଗହଣା ଲୁଟି ନେଇଥିଲେ।