ଭୁବନେଶ୍ୱର : ସାମାନ୍ୟ ବଚସାକୁ କେନ୍ଦ୍ର କରି ଜଣେ ଦୁର୍ବୃତ୍ତ ଅନ୍ୟ ଜଣକୁ ପ୍ରାଣାନ୍ତକ ଆକ୍ରମଣ କରିବାକୁ ଯାଇ ପେଟରେ ଛୁରି ଭୁସି ଦେଇଛି। ଆକ୍ରମଣର ଶିକାର ହୋଇଥିବା ଯୁବକ ହେଲେ ରସୁଲଗଡ଼ ଅଞ୍ଚଳର ସନ୍ତୋଷ ରାଉତ ଓରଫ୍ କାଳିଆ। ଛୁରାମାଡ଼ରେ ତାଙ୍କ ପେଟରୁ ଅନ୍ତବୁଜୁଳା ବାହାରିପଡ଼ିଛି। ଗୁରୁତର ଅବସ୍ଥାରେ ତାଙ୍କୁ ଖଣ୍ଡଗିରିସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆକ୍ରମଣ କରିଥିବା ଦୁର୍ବୃତ୍ତ ଫେରାର୍ ହୋଇଯାଇଛି। ସହିଦନଗର ଥାନା ପୁଲିସ ଦୁର୍ବୃତ୍ତକୁ ଠାବ କରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।
/sambad/media/post_attachments/wp-content/uploads/2021/12/1anta-bujula.jpg)
ପୁଲିସ ସୂଚନାନୁସାରେ ଶୁକ୍ରବାର ସନ୍ଧ୍ୟାରେ ସନ୍ତୋଷ ରସୁଲଗଡ଼ ଅଟୋଷ୍ଟାଣ୍ଡ ନିକଟରେ ବସିଥିଲେ। ସେଠାରେ ସନ୍ଦେହଜନକ ଭାବେ ବସିଥିବା ଅନ୍ୟ ଜଣେ ଯୁବକଙ୍କୁ ସନ୍ତୋଷ କିଛି ପଚାରିବାରୁ ଉଭୟଙ୍କ ମଧ୍ୟରେ ସାମାନ୍ୟ ବଚସା ହୋଇଥିଲା। ସନ୍ତୋଷ ତାକୁ ସାଇକେଲ ଚୋର ବୋଲି କହିବାରୁ ଯୁବକ ଜଣକ ରାଗି ଯାଇଥିଲା। ମାତ୍ର କିଛି ନକହି ସେଠାରୁ ଚାଲିଯାଇଥିଲା। ତେବେ କିଛି ସମୟ ପରେ ସେ ପୁଣି ସେଠାରେ ପହଞ୍ଚିଥିଲା ଓ ସନ୍ତୋଷଙ୍କୁ ଅତର୍କିତ ଆକ୍ରମଣ କରିଥିଲା। ସନ୍ତୋଷ କିଛି ବୁଝିବା ପୂର୍ବରୁ ଦୁର୍ବୃତ୍ତ ଜଣକ ତାଙ୍କ ପେଟକୁ ଦୁଇ ଥର ଛୁରିରେ ଭୁସି ଦେଇ ସେଠାରୁ ପଳାଇଥିଲା। ଫଳରେ ସନ୍ତୋଷଙ୍କ ପେଟରୁ ଅନ୍ତବୁଜୁଳା ବାହାରି ପଡ଼ିଥିଲା ଓ ସେ ତଳେ ପଡ଼ି ଛଟପଟ ହୋଇଥିଲେ। ସେଠାରେ ଥିବା ଲୋକେ ତାଙ୍କୁ ଉଦ୍ଧାର କରି ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ ଘରୋଇ ହସ୍ପିଟାଲକୁ ନେଇଥିଲେ। ସାମାନ୍ୟ ବଚସାରୁ ଏଭଳି କାଣ୍ଡ ଘଟିଥିବାରୁ ରାଜଧାନୀରେ ଦୁର୍ବୃତ୍ତମାନଙ୍କ ପ୍ରାଦୃର୍ଭାବ କେତେ ବଢ଼ିଛି, ତାହା ସହଜରେ ଅନୁମେୟ। ରାସ୍ତାଘାଟରେ ଚୋରି, ଛିନ୍ତାଇ ବଢ଼ି ଚାଲିଥିବା ବେଳେ ମହିଳାମାନେ ମଧ୍ୟ ଅସାମାଜିକ ତତ୍ତ୍ବମାନଙ୍କ ଶିକାର ହେଉଛନ୍ତି। ଅପରାଧୀମାନେ ଏମିତି ନିର୍ଭୟରେ ବିଚରଣ କରୁଛନ୍ତି ଯେ ଜନଗହଳିପୂର୍ଣ୍ଣ ଅଞ୍ଚଳ ମଧ୍ୟ ନିରାପଦ ହୋଇନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/knife-aattack.jpg)