ଭୁବନେଶ୍ବର: ତ୍ରିକୋଣୀୟ ପ୍ରେମର ହିଂସାତ୍ମକ ପରିଣତି ଆଜି ରାଜଧାନୀ ଭୁବନେଶ୍ବରର ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି। ପୁରୁଣା ପ୍ରେମିକା ଓ ତା’ର ନୂଆ ପ୍ରେମିକ ଅନ୍ଧାରିଆ ଗଳିରେ କଥା ହେଉଥିବାକୁ ଯୁବକ ଜଣକ ସହ୍ୟ କରି ନପାରି ପ୍ରତିକ୍ରିୟା ପ୍ରବଣ ହୋଇ ଉଠିଳେ। ଏହି କଥାକୁ ନେଇ ପ୍ରଥମେ ଯୁକ୍ତିତର୍କ ଓ ପରେ ଛୁରାମାଡ଼ ହୋଇଛି। ଦୁଇ ପାଠପଢ଼ୁଆ ଯୁବକ ରକ୍ତାକ୍ତ ସଂଘର୍ଷରେ ଲିପ୍ତ ହୋଇ ଆହତ ହୋଇଛନ୍ତି। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ୩ ଜଣ ଯୁବକଙ୍କୁ ଥାନାରେ ଆଣି ପଚରାଉଚରା କରୁଥିବା ବେଳେ ଯୁବତୀଙ୍କୁ ତାଙ୍କର ଅଭିଭାବକଙ୍କ ହେପାଜତରେ ଛାଡ଼ି ଦିଆଯାଇଛି।
ସୂଚନା ଅନୁସାରେ ଆଜି ସନ୍ଧ୍ୟାରେ ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଶୈଳଶ୍ରୀ ବିହାର କଲୋନିର ଏକ ଗଳିରେ ଗୌରୀ ନାମକ ଜଣେ ଘରୋଇ ଇଞ୍ଜିନିୟରିଂ କଲେଜର ଛାତ୍ରଙ୍କ ପୁରୁଣା ପ୍ରେମିକାଙ୍କ ସହିତ ପ୍ରିୟରଂଜନ ନାମକ ଆଉ ଜଣେ ଯୁବକ କଥା ହେଉଥିଲେ। ଗୌରୀ ଓ ପ୍ରିୟ ଗୋଟିଏ ଇଞ୍ଜିନିୟରିଂ କଲେଜର ଛାତ୍ର। ତେବେ ଯୁବତୀ ଜଣକ ପ୍ରିୟରଂଜନ ସହ କଥା ହେଉଥିବା ବେଳେ ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇଁ ଗୌରୀ ନିଜର ଜଣେ ସାଙ୍ଗ ସହିତ ବାଇକ୍ରେ ଘଟଣାସ୍ଥଳରେ ପହଞ୍ଚି ଥିଲେ। ସେ କିଛି ନ କହି ହଠାତ୍ ଯୁବତୀ ତଥା ନିଜର ପୁରୁଣା ପ୍ରେମିକାଙ୍କ ଗାଲକୁ ଏକ ଚାପୁଡା ମାରିଥିଲେ। ଏହାକୁ ପ୍ରିୟରଂଜନ ବିରୋଧ କରିଥିଲେ। ଫଳରେ ପ୍ରିୟରଂଜନ, ଗୌରୀ ଓ ସାଥୀରେ ଆସିଥିବା ଅନ୍ୟ ଯୁବକଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଗୌରୀ ପୂର୍ବରୁ ଯୋଜନା ମୁତାବକ ସାଥୀରେ ଏକ ଛୁରୀ ନେଇ ଆସିଥିଲେ। ସେ ପ୍ରିୟରଂଜନଙ୍କୁ ଛୁରୀରେ ଆକ୍ରମଣ କରିଥିଲେ। ଏହି ସମୟରେ ପାଟିତୁଣ୍ଡ ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳକୁ ପହଞ୍ଚିି ଯାଇଥିଲେ ଏବଂ ଯୁବତୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ପୁଲିସକୁ ସୂଚନା ଦେଇଥିଲେ।
ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା ଏବଂ ଉଦ୍ଧାର ହୋଇଥିବା ଯୁବତୀଙ୍କୁ ତାଙ୍କର ଅଭିଭାବଙ୍କ ହେପାଜତରେ ଛାଡ଼ି ଦେଇଥିଲା। ରିପୋର୍ଟ ଲେଖାଯିବା ବେଳକୁ ଘଟଣାସ୍ଥଳରୁ ଛୁରୀ ଜବତ କରିବା ସହିତ ୩ ଜଣ ଅଭିଯୁକ୍ତଙ୍କୁ ଥାନାକୁ ନେଇ ପଚରାଉଚରା କରାଯାଉଛି। ପ୍ରିୟରଂଜନଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/77d1c3f5-1707-4ce5-a9cd-9f1e807ddfb8.jpg)