ଭୁବନେଶ୍ୱର: ଭୂଖଣ୍ଡନ, ଗ୍ରହଗୁଡ଼ିକର ଗତିବିଧି, ଜଳବାୟୁ ପରିବର୍ତ୍ତନ, ସମୁଦ୍ର ସ୍ରୋତ, ମହାଦେଶ ତଥା ମହାସାଗର ସୃଷ୍ଟି ତଥା ଗତିବିଧି ଦେଖିବାକୁ ମିଳିବ ଏକ ଘୂର୍ଣ୍ଣାୟମାନ ଗ୍ଲୋବ୍ରେ। କେବଳ ଗତିବିଧି ଦେଖାଇବା ତାହା ନୁହେଁ ଭିଡିଓ ମାଧ୍ୟମରେ ଏଗୁଡ଼ିକର ସୂକ୍ଷ୍ମତମ ଉପାଦାନର ସ୍ଥିତି, ସୃଷ୍ଟିର କାରଣ ମଧ୍ୟ ବିସ୍ତୃତ ଭାବରେ ବର୍ଣ୍ଣନା କରିବ। ଏହି ଗ୍ଲୋବ୍ରେ ପରିବେଷିତ ହେଉଥିବା ଭିଡିଓକୁ ଥରେ ଅବଲୋକନ କଲେ ବିଶ୍ୱବ୍ରହ୍ମାଣର ରହସ୍ୟ ସମ୍ପର୍କରେ ଅନେକ ତଥ୍ୟ ଜାଣିହେବ।
ପିଲାମାନଙ୍କୁ ବିଜ୍ଞାନର ଜଟିଳତମ ଜ୍ଞାନ ବିଷୟରେ ଜଣାଇବା ସହିତ ଭୂଗୋଳ ଓ ବିଜ୍ଞାନ ସମ୍ୱନ୍ଧୀୟ ତଥ୍ୟ ସମ୍ପର୍କରେ ଉତ୍ସୁକତା ବଢ଼ାଇବା ପାଇଁ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ପରିସରରେ ଉଦ୍ଘାଟିତ ହୋଇଯାଇଛି ଛଅଫୁଟର ଝୁଲା ଗ୍ଲୋବ ‘ନଲେଜ୍ ସ୍ପିଅର୍’। ଆଜି ଏହାର ଉଦ୍ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଯୋଗଦେଇ ପିଲାମାନଙ୍କ ମନରେ ବୈଜ୍ଞାନିକ ତଥ୍ୟ ପ୍ରତି ଥିବା ସମସ୍ତ ପ୍ରଶ୍ନର ଉତ୍ତର ଏହି ଗ୍ଲୋବ ପ୍ରଦାନ କରିବ ବୋଲି କହିଥିଲେ। ଏହା ପିଲାମାନଙ୍କୁ ଭୌଗୋଳିକ, ଓ ବୈଜ୍ଞାନିକ ତତ୍ତ୍ୱ ବିଷୟରେ ଜିଜ୍ଞାସାକୁ ବଢ଼ାଇବ ବୋଲି କହିଥିଲେ। ଅନ୍ୟାନ୍ୟ ଅତିଥି ଭାବେ କେନ୍ଦ୍ରୀୟ ଗବେଷଣା ଓ ତାଲିମ ପ୍ରୟୋଗଶାଳାର ନିର୍ଦ୍ଦେଶକ ମାନସ ବାଗ୍ଚୀ, ବିଜ୍ଞାନ କେନ୍ଦ୍ରର ପ୍ରକଳ୍ପ ନିର୍ଦ୍ଦେଶକ କପିଲ ଜୈନ ପ୍ରମୁଖ ଯୋଗ ଦେଇଥିଲେ।