ଭୁବନେଶ୍ବର: ଭୁବନେଶ୍ବରର ଜଣାଶୁଣା ହାଟ ଭିତରେ ରସୁଲଗଡ଼ସ୍ଥିତ ମା’ କୋଚିଲେଇ ହାଟ ଅନ୍ୟତମ। କିନ୍ତୁ ଏହି ହାଟ ଆଜି ପର୍ଯ୍ୟନ୍ତ ଭୁବନେଶ୍ବର ମହାନଗର ନିଗମ(ବିଏମ୍ସି)ର ତାଲିକାଭୁକ୍ତ ହୋଇପାରିନି। ଏଠାରେ ବ୍ୟବସାୟ କରୁଥିବା ଦୋକାନୀମାନେ ବିଏମ୍ସିର ଭେଣ୍ଡର ତାଲିକାରେ ନାହାନ୍ତି। କାହାରି ପାଖରେ ଅଦ୍ୟାବଧି ଟ୍ରେଡ୍ ଲାଇସେନ୍ସ ବି ନାହିଁ। ଏଣୁ ନା ବିଏମ୍ସିଠାରୁ ଏମାନେ ଟଙ୍କାଟିଏ ପାଉଛି, ନା ବିଏମ୍ସି ଏମାନଙ୍କୁ ଟଙ୍କାଟିଏ ଦେଉଛି। ଫଳରେ ବିଏମ୍ସି ପକ୍ଷରୁ ବିଜୁଳି, ପାଣି, ଶୌଚାଳୟ, ପରିମଳ ଭଳି ମୌଳିକ ସୁବିଧାରୁ ଏମାନେ ବଞ୍ଚିତ ହୋଇରହିଛନ୍ତି। ଚୁକ୍ତିପତ୍ର ହୋଇନଥିବାରୁ ହାଟର ବିକାଶ ବି ସମ୍ଭବପର ହୋଇପାରୁନି। ସେପଟେ ଏ ଉପରେ ବାରମ୍ବାର ବିଏମ୍ସି କର୍ପୋରେସନ୍ ବୈଠକରେ ହଲ୍ଲାପଟା ହେଲାଣି। ଯେହେତୁ ଦୋକାନୀମାନେ ଭେଣ୍ଡର ତାଲିକାରେ ନାହାନ୍ତି, ଯଦି କୌଣସି ଦୋକାନୀଙ୍କ କିଛି କ୍ଷୟକ୍ଷତି ହୁଏ, ସରକାରଙ୍କଠାରୁ ଟଙ୍କାଟିଏ ବି କ୍ଷତିପୂରଣ ପାଇପାରିବେନି। ଏଣୁ ସମସ୍ତ ଦୋକାନୀଙ୍କ ସହ ବିଏମ୍ସିର ଚୁକ୍ତିପତ୍ର କାମ ସାରିବାକୁ ଦାବି ଉଠିଲାଣି। କିନ୍ତୁ ବିଏମ୍ସି କେବଳ ନୋଟିସ୍ ଦେଇ ଦାୟିତ୍ବ ତୁଲାଇ ଦେଉଛି।
ଠାକୁରାଣୀ ମା’ କୋଚିଲେଇଙ୍କ ନାମରେ ପରିଚୟ ପାଇଛି ମା’ କୋଚିଲେଇ ହାଟ। ଭୁବନେଶ୍ବର ମହାନଗର ନିଗମର ୩୧ ନମ୍ବର ୱାର୍ଡରେ ପ୍ରାୟ ୨ ଏକର ଜାଗାରେ ଏହି ହାଟ ବସିଛି। ବିଏମ୍ସି ତାଲିକା ଅନୁସାରେ ଏଠାରେ ୬୧୭ଜଣ ଦୋକାନୀ ବ୍ୟବସାୟ କରୁଛନ୍ତି। କିଏ ଡାଲି, ଚାଉଳ ତ’ କିଏ ପନିପରିବା, ଆଉ କିଏ ଘରକରଣା, ପାଠପଢ଼ା ବହି, ଖାତା ଆଦି ବିକ୍ରି କରୁଛନ୍ତି। ପ୍ରତିଦିନ ସକାଳେ ଓ ସଂଧ୍ୟାରେ ସର୍ବାଧିକ ଭିଡ଼ ଦେଖିବାକୁ ମିଳୁଛି। କିନ୍ତୁ ବିଏମ୍ସି ପକ୍ଷରୁ ଏଠାରେ ରାସ୍ତାଘାଟ, ପାଣି, ବିଜୁଳି ଭଳି ମୌଳିକ ସୁବିଧା ଦିଆଯାଇନି। ଦୋକାନୀମାନେ ନିଜସ୍ବ ଉଦ୍ୟମରେ ବିକାଶ କାମ କରୁଛନ୍ତି। ଦୋକାନ ଘର ଭାଙ୍ଗିଲେ, ନିଜେ ମରାମତି କରୁଛନ୍ତି। ବିଜୁଳି ସଂଯୋଗ ବି ନିଜେ ନେଇଛନ୍ତି। ହାଟ ରାସ୍ତା ଏତେ ସଂକୁଚିତ ଯେ ଅଗ୍ନିକାଣ୍ଡ ଘଟିଲେ ଅଗ୍ନିଶମ ଗାଡ଼ି ବି ପଶି ପାରିବନି।
୩୧ ନମ୍ବର ୱାର୍ଡ କର୍ପୋରେଟର୍ କୁମରେନ୍ଦ୍ର ମହାପାତ୍ର କହିଛନ୍ତି, ବିଏମ୍ସି ସହ କୋଚିଲେଇ ହାଟର ବ୍ୟବସାୟୀଙ୍କ ଚୁକ୍ତିପତ୍ର କରିବାକୁ ବହୁଦିନରୁ କର୍ପୋରସେନ୍ ବୈଠକରେ ଦାବି କରିଆସୁଛି। ଦାବି ପରେ ବିଏମ୍ସି ବ୍ୟବସାୟୀଙ୍କୁ ନୋଟିସ୍ ଦେଇ ଦାୟିତ୍ବ ତୁଟାଇ ଦେଉଛି। ଦୋକାନୀମାନେ କିଭଳି ଚୁକ୍ତିପତ୍ର ସହ ଅମାନତ ରାଶି(ସିକ୍ୟୁରିଟି ଡିପୋଜିଟ୍) ଓ ଦୋକାନ ଭଡ଼ା ଦେବେ, ସେ ଦିଗରେ ଅଧିକାରୀମାନେ ଆନ୍ତରିକତା ଦେଖାଉନାହାନ୍ତି। ଦୋକାନୀଙ୍କ ଇଚ୍ଛା ଥିଲେ ବି ଅଧିକାରୀମାନେ ଆନ୍ତରିକତା ଦେଖାଉନଥିବାରୁ ବିକାଶ ହେଉ କି ମୌଳିକ ସୁବିଧା, ସବୁଥିରେ ହାଟକୁ ଅଣଦେଖା କରାଯାଉଛି। କେବଳ ଅଳିଆ ଉଠୁଛି ଓ ଝାଡ଼ୁ ବାଜୁଛି। କିନ୍ତୁ ଅନ୍ୟ କୌଣସି ସୁବିଧା ମିଳୁନି। ଶୌଚାଳୟ ପାଇଁ ଉଭୟ ଗ୍ରାହକ ଓ ଦୋକାନୀମାନେ କଲବଲ ହେଉଛନ୍ତି। ଏଠାରେ ଥିବା ସଂଘ ଅଧୀନରେ ୬୧୭ ଦୋକାନୀରୁ ପ୍ରାୟ ୪୦୦ ପଞ୍ଜୀକୃତ ହୋଇଛନ୍ତି। ତୁରନ୍ତ ଚୁକ୍ତିପତ୍ର ସହ ଅମାନତ ରାଶି ଓ ଭଡ଼ା ଆଦାୟ ପୂର୍ବକ ଏହି ହାଟର ବିକାଶ ଦିଗରେ ବିଏମ୍ସି ଆୟୁକ୍ତ ଦୃଷ୍ଟି ଦେବାକୁ ସେ ଦାବି କରିଛନ୍ତି।
ବିଏମ୍ସି ଡେପୁଟି କମିସନର୍(ମାର୍କେଟ୍) ରୁବି ବେହେରା କହିଛନ୍ତି, ଆମେ ଗତ ଏପ୍ରିଲ ୧୫ ଓ ମେ ମାସ ୨୨ ତାରିଖରେ ଚୁକ୍ତିନାମା ଦାଖଲ ସହ ବକେୟା ଭଡ଼ା ଓ ଅମାନତ ରାଶି ହାଟ ଦାୟିତ୍ବରେ ଥିବା ମହାନଗର ନିଗମ ଆଦାୟକାରୀ ଅଧିକାରୀଙ୍କ ନିକଟରେ ଦାଖଲ କରିବାକୁ ୬୧୭ ଦୋକାନୀଙ୍କୁ ନୋଟିସ୍ ଦେଇଥିଲୁ। ଚୁକ୍ତିପତ୍ର ଦାଖଲ ପ୍ରକ୍ରିୟା ବି ଶୀଘ୍ର ଶେଷ କରିବାକୁ ଯୋଜନା କରିଛୁ। କିନ୍ତୁ ଦୋକାନୀମାନେ ଆନ୍ତରିକତା ଦେଖାଉନାହାନ୍ତି। ଦକ୍ଷିଣ-ପୂର୍ବ ଜୋନାଲ୍ ଡେପୁଟି କମିସନର୍ ରାଜଲକ୍ଷ୍ମୀ ନାୟକ କହିଛନ୍ତି, ଆମେ ନୋଟିସ୍ ସହ ଡାକବାଜି ଜରିଆରେ ବି ଅବଗତ କରାଇଥିଲୁ। ଏହା ପରେ ଦୋକାନୀମାନେ ଚୁକ୍ତିନାମାପତ୍ର ଦାଖଲ ଜାରି ରଖିଛନ୍ତି। ଏହି ପ୍ରକ୍ରିୟା ଶେଷ ପରେ ଦୋକାନୀଙ୍କୁ ଟ୍ରେଡ୍ ଲାଇସେନ୍ସ, ଭେଣ୍ଡର ମାନ୍ୟତା ପ୍ରଦାନ ସହ ହାଟର ବିକାଶ ସମ୍ଭବ ହୋଇପାରିବ।
କୋଚିଲେଇ ହାଟ, ଗୁରୁତ୍ବ ଦେଉନି ବିଏମ୍ସି
ଭୁବନେଶ୍ବରର ଜଣାଶୁଣା ହାଟ ଭିତରେ ରସୁଲଗଡ଼ସ୍ଥିତ ମା’ କୋଚିଲେଇ ହାଟ ଅନ୍ୟତମ। କିନ୍ତୁ ଏହି ହାଟ ଆଜି ପର୍ଯ୍ୟନ୍ତ ଭୁବନେଶ୍ବର ମହାନଗର ନିଗମ(ବିଏମ୍ସି)ର ତାଲିକାଭୁକ୍ତ ହୋଇପାରିନି। ଏଠାରେ ବ୍ୟବସାୟ କରୁଥିବା...
/sambad/media/media_files/2025/06/18/mnbvcxz-ca9ec8b0.jpg)