ବିଏମ୍‌ସି ହାତକୁ ଆସିଲା କୋଚିଲାଖାଇ ହାଟର ମାଲିକାନା

ଭୁବନେଶ୍ୱର : ଏକ ସ୍ୱତନ୍ତ୍ର ସରକାରୀ ପ୍ରକ୍ରିୟାରେ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ହାତକୁ ଆସିଛି ରସୁଲଗଡ଼ସ୍ଥିତ ମା’ କୋଚିଲାଖାଇ ହାଟର ମାଲିକାନା। ଏନେଇ ଆଜି ବିଏମ୍‌ସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ଅଧୀନରେ ରହିଥିବା ଉକ୍ତ ହାଟ ବମିଖାଲ ମୌଜାର ଜମି ଭାବେ ରହି ଆସିଛି। ହାଟଟି ସହରର ଏକ ପ୍ରମୁଖ ସ୍ଥଳ‌ରେ ହୋଇଥିବାରୁ ଓ ଏଠାରେ ବ୍ୟବସାୟ ବୃଦ୍ଧି, ଉତ୍ତମ ପରିଚାଳନା ଦୃଷ୍ଟିରୁ ସାଧାରଣ ପ୍ରଶାସନ ବିଭାଗରୁ ନଗର ଉନ୍ନୟନ ବିଭାଗ ମାଧ୍ୟମରେ ବିଏମ୍‌ସି ପାଖକୁ ହାଟକୁ ହସ୍ତାନ୍ତର କରାଯାଇଛି। ଏହି ହାଟର ୪ଟି ପ୍ଲଟ ହେଲା, ପ୍ଲଟ ନଂ-୫୧୪ର (ଖାତା ୪୨୮)ର ୧.୯୦୦ ଡିସିମିଲ ଜମି, ଯାହାର କିସମ ଘରବାଡ଼ି ରହିଛି। ଏଥିସହ ପ୍ଲଟ ନଂ-୫୧୫ର ୦.୦୪୮ ଡିସିମିଲ ଜମି, ଯାହାର କିସମ ଜଳାଶୟ, ପ୍ଲଟ ୫୧୮(ଅଂଶ)ର ୦.୦୪୮ ଡିସିମିଲ ଜମି, ଯାହାର କିସମ ଘରବାଡ଼ି, ପ୍ଲଟ ୫୧୨ର (ଖାତା ୪୨୯)ର ୧.୧୪୮ ଡିସିମିଲ, ଯାହାର କିସମ ଘରବାଡ଼ି ଓ ୦.୧୦୩ ଡିସିମିଲ ଜମି। ଦୁଇଟି ଖାତା ଓ ଗୋଟିଏ ମୌଜାରେ ହାଟଟି ରହିଛି। ଓଡ଼ିଶା କର୍ପୋରେସନ ନିୟମ ୨୦୦୩ର ଭାଗ ୫୫୯ ଅନୁଯାୟୀ ହାଟଟି ବିଏମ୍‌ସିକୁ ଆସିଛି। ନିୟମ ଅନୁଯାୟୀ ବିଏମ୍‌ସି କର୍ତୃପକ୍ଷ ହାଟର ପରିଚାଳନା କମିଟିକୁ ନିୟନ୍ତ୍ରଣ କରିବା ସହ ଏହାର ବିବିଧ ବିକାଶ ଯୋଜନା ଓ ପ୍ରଣୟନ ଆଦି କରିବ। ଆଗକୁ ସମୟାନୁସାରେ ଏହାର ବିକାଶ କରାଯିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର