ଭୁବନେଶ୍ବର: ସକାଳୁ ସକାଳୁ ସହରରେ କୋହଲା ପାଗ ଲାଗି ରହିଥିଲା। ବର୍ଷା ନଥିଲେ ମଧ୍ୟ ମେଘୁଆ ଆକାଶ ଯୋଗୁଁ ପରିବେଶ ସମ୍ପୂର୍ଣ୍ଣ ନିଆରା ଥିଲା। ମଧ୍ୟାହ୍ନ ବେଳକୁ ହଠାତ୍‌ କଳାହାଣ୍ଡିଆ ବାଦଲ ଘୋଟି ଆସିଥିଲା। ଖ୍ରୀଷ୍ଟମାସ୍‌ ପୂର୍ବରୁ ବୁଲାବୁଲି କରିବାକୁ ମନସ୍ଥ କରିଥିବା ରାଜଧାନୀବାସୀଙ୍କ ମଧ୍ୟରେ ବର୍ଷାକୁ ନେଇ ଟିକିଏ ଛନକା ପଶିଯାଇଥିଲା। ବାହାରକୁ ଯିବେ କି ନାହିଁ ସେନେଇ ଦ୍ବନ୍ଦ୍ବରେ ରହିଥିଲେ। ତାହାରି ଭିତରେ ଅପରାହ୍ଣ ବେଳକୁ ଝିପିଝିପି ବର୍ଷା ପାଗ ମିଜାଜ୍‌ରେ ପରିବର୍ତ୍ତନ ଆଣିଥିଲା। କୋହଲା ପାଗ ଯୋଗୁଁ ଟିକିଏ ଥଣ୍ଡା ଅନୁଭୂତ ହେଉଥିଲା। ମାତ୍ର ଝିପିଝିପି ବର୍ଷା ଯୋଗୁଁ ଲୋକେ ଅସହ୍ୟ ଥଣ୍ଡା ଅନୁଭବ କରିଥିଲେ।

Advertisment

ସନ୍ଧ୍ୟାରେ ବର୍ଷା ପରିମାଣ ଟିକିଏ ବଢ଼ିବାରୁ ଯିଏ ଯେଉଁଠି ପାରିଲେ ଛିଡ଼ା ହୋଇ ରହିଥିଲେ। ଝିପିଝିପି ବର୍ଷା ସାଙ୍ଗକୁ କାଲୁଆ ପବନ ମାଡ଼ରେ ରାଜଧାନୀବାସୀ ଅସ୍ତବ୍ୟସ୍ତ ହୋଇ ପଡ଼ିଥିଲେ। ସନ୍ଧ୍ୟା ସମୟରେ ଦୋକାନ ବଜାରରେ ମଧ୍ୟ ଗହଳି କମିଯାଇଥିଲା। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ, ବଙ୍ଗୋପସାଗରରେ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ ଭୁବନେଶ୍ବରରେ ମେଘୁଆ ଆକାଶ ସହ ହାଲୁକା ବର୍ଷା ଲାଗିରହିଛି। ରାତି ୮ଟା ସୁଦ୍ଧା ମାତ୍ର ଦୁଇ ମିମି ବର୍ଷା ହୋଇଛି। ବୁଧବାର ମଧ୍ୟ ଏଭଳି ସ୍ଥିତି ଲାଗିରହିବ। ତା’ପରେ ପାଗରେ ପରିବର୍ତ୍ତନ ଆସିବ। ଗତ ୨୪ ଘଣ୍ଟାରେ ଭୁବନେଶ୍ବରର ସର୍ବୋଚ୍ଚ ତାପମାତ୍ରା ୨୫.୧ ଏବଂ ସର୍ବନିମ୍ନ ତାପମାତ୍ରା ୧୯.୪ ଡିଗ୍ରି ରେକର୍ଡ କରାଯାଇଛି। ୨୫ ଓ ୨୬ ତାରିଖରେ ଭୁବନେଶ୍ବରରେ ସର୍ବନିମ୍ନ ତାପମାତ୍ରା ୨୦ ଡିଗ୍ରି ରହିବ। ୨୭ ଓ ୨୮ ତାରିଖ ବେଳକୁ ୧୭ ଡିଗ୍ରିକୁ ଖସି ଆସିବ।