ଜଗନ୍ନାଥ ମନ୍ଦିର କୋହିନୂର ହୀରାର ଏକମାତ୍ର ଦାବିଦାର

ୱିଲିୟମଙ୍କ ମତକୁ ନେଇ ପ୍ରଶ୍ନ ଉଠାଇଲେ ଗବେଷକ

ଭୁବନେଶ୍ବର: କୋହିନୂର ହୀରାର ବହୁ ଦାବିଦାର। ଐତିହାସିକ ତଥା ଅନ୍ତର୍ଜାତୀୟ ଲେଖକ ୱିଲିୟମ ଡାଲ୍‌ରିମ୍ପଲ୍‌ ସଚିବାଳୟରେ ଅନୁଷ୍ଠିତ ଜ୍ଞାନପୁଞ୍ଜ ବକ୍ତୃତାମାଳାରେ କୋହିନୂର ହୀରାକୁ ନେଇ ଏପରି ମନ୍ତବ୍ୟ ଦେବା ପରେ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଗବେଷକ ଅନିଲ୍‌ ଧୀର୍‌। ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି, ନ୍ୟାୟସଙ୍ଗତ ଭାବେ ପୁରୀ ଜଗନ୍ନାଥ ମନ୍ଦିର କୋହିନୂର ହୀରାର ଏକମାତ୍ର ଦାବିଦାର। ଜଗନ୍ନାଥ ମନ୍ଦିର ସହ ଶିଖ୍‌ ସମ୍ପୃକ୍ତି ସମ୍ବନ୍ଧରେ ଗବେଷଣା କରିଥିବା ଶ୍ରୀ ଧୀର୍‌ କହିଛନ୍ତି, କୋହିନୂର ହୀରା ଜଗନ୍ନାଥ ମନ୍ଦିରକୁ ଦାନ କରୁଥିବା ବିଷୟ ମହାରାଜା ରଣଜିତ ସିଂହ ନିଜର ମୃତ୍ୟୁ ପୂର୍ବରୁ ଇଚ୍ଛାପତ୍ରରେ ସ୍ବୀକାର କରିଛନ୍ତି। ଏ ବାବଦରେ ଯଥେଷ୍ଟ ପ୍ରମାଣପତ୍ର ମହଜୁଦ ଅଛି। ୧୮୨୯ ଜୁଲାଇ ୨ ତାରିଖରେ ଖାଇବର ପାସ୍‌ ନିକଟ ଶିବିରରୁ ବ୍ରିଟିସ୍‌ ସରକାରଙ୍କ ରାଜନୈତିକ ଅଭିକର୍ତାଙ୍କ ଦ୍ବାରା ଏ ସମ୍ପର୍କିତ ଗୋଟିଏ ଚିଠି ଭାରତ ସରକାରଙ୍କ ତତ୍କାଳୀନ କାର୍ଯ୍ୟବାହକ ସମ୍ପାଦକ ଟି.ଏ ମ୍ୟାଡ୍ଡକଙ୍କ ପାଖକୁ ଲେଖାଯାଇଥିଲା। ସେଥିରେ ସେ ସ୍ପଷ୍ଟ ଉଲ୍ଲେଖ କରିଛନ୍ତି ଯେ ରଣଜିତ ସିଂହ ଅସୁସ୍ଥ ଥିବା ବେଳେ ପ୍ରାୟ ୫୦ ଲକ୍ଷ ଟଙ୍କା ମୂଲ୍ୟର ଅଳଙ୍କାର ଓ ସମସ୍ତ ସମ୍ପତ୍ତି ଦାନ କରିବାକୁ ଘୋଷଣା କରିଥିଲେ। ଏଥିସହ କୋହିନୂର ହୀରାକୁ ଜଗନ୍ନାଥ ମନ୍ଦିରକୁ ଦାନ କରିବାକୁ ଇଚ୍ଛାପତ୍ରରେ ଉଲ୍ଲେଖ କରିଛନ୍ତି। ଗତବର୍ଷ ଇନ୍‌ଟାକ୍‌ ପକ୍ଷରୁ ଏ.ବି ତ୍ରିପାଠୀ ଏବଂ ଅନିଲ ଧୀର୍‌ ଭାରତ ଜାତୀୟ ଅଭିଲେଖାଗାରର ନିର୍ଦେଶକଙ୍କୁ ଭେଟି ରଣଜିତ ସିଂହଙ୍କ ସେଇ ମୂଳ ଚିଠିକୁ ଭୁବନେଶ୍ବରର ଜାତୀୟ ଅଭିଲେଖାଗାରରେ ପ୍ରଦର୍ଶନ ପାଇଁ ଅନୁରୋଧ କରିଥିଲେ। ଶ୍ରୀ ଧୀର୍‌ଙ୍କ କହିବା ମୁତାବକ, ଅମୃତସରର ସ୍ବର୍ଣ୍ଣ ମନ୍ଦିରଠାରୁ ମଧ୍ୟ ରଣଜିତ ସିଂହ ଜଗନ୍ନାଥ ମନ୍ଦିରକୁ ବହୁ ସୁନା ଓ ରୁପା ଦାନ କରିଥିଲେ। ମାତ୍ର ୧୮୩୯ ମସିହାରେ ରଣଜିତ ସିଂହଙ୍କ ମୃତ୍ୟୁର ୧୦ ବର୍ଷ ପରେ ତାଙ୍କ ପୁଅ ଦୁଲୀପ ସିଂହଙ୍କଠାରୁ ବ୍ରିଟିସ୍‌ କୋହିନୂରକୁ ନେଇ ଯାଇଥିଲେ। ୧୯୪୭ରେ ଭାରତ ସ୍ବାଧୀନ ହେବା ପରେ କୋହିନୂରକୁ ଫେରାଇ ଆଣିବା ପାଇଁ ଭାରତ ସରକାର ଦାବି କରିଥିଲେ। ରାଣୀ ଏଲିଜାବେଥ୍‌ଙ୍କ ରାଜ୍ୟାଭିଷେକ ବର୍ଷ ଅର୍ଥାତ ୧୯୫୩ରେ ମଧ୍ୟ ପୁନର୍ବାର କୋହିନୂର ଫେରାଇବାକୁ ଦାବି ହେଲା। ୧୯୭୬ରେ ପାକିସ୍ତାନର ଜୁଲଫିକର ଅଲ୍ଲୀ ଭୁଟ୍ଟୋ ତତ୍କାଳୀନ ବ୍ରିଟିସ ପ୍ରଧାନମନ୍ତ୍ରୀ ଜେମ୍‌ସ କାଲାଘାନ୍‌ଙ୍କୁ ଚିଠି ଲେଖି ପାକିସ୍ତାନକୁ କୋହିନୂର ‌ହୀରା ଫେରେଇ ଦେବାକୁ କହିବା ପରେ ବିବାଦ ବଢ଼ିଥିଲା। ଏହା ପରେ ଇରାନ ଓ ଆଫଗାନିସ୍ତାନ ମଧ୍ୟ କୋହିନୂର ତାଙ୍କ ଦେଶକୁ ଫେରେଇ ଦେବାକୁ ଦାବି କରିଥିଲା। ହୀରା ବ୍ରିଟିସ୍‌ଙ୍କ ଦ୍ବାରା ବଳପୂର୍ବକ ନିଆଯାଇନି କି ଚୋରି ହୋଇନି, ବରଂ ଏହା ଇଷ୍ଟ ଇଣ୍ଡିଆ କମ୍ପାନିକୁ ମହରାଜା ରଣଜିତ ସିଂହଙ୍କ ଉତ୍ତରାଧିକାରୀଙ୍କ ଦ୍ବାରା ଦିଆଯାଇଛି ବୋଲି ୨୦୧୬ ମସିହାରେ ଭାରତ ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଉତ୍ତର ରଖାଯାଇଥିଲା। ତେଣୁ କୋହିନୂର ଫେରିବାର ବାଟ ଫିଟି ପାରିନାହିଁ। ଶ୍ରୀ ଧୀର୍‌ କହିଛନ୍ତି ଯେ ଶେଷ ବର୍ଷ ମୁଁ କେତେକ ବିଧାୟକଙ୍କୁ ଭେଟି ବିଧାନସଭାରେ ଏ ବାବଦରେ ରିଜଲ୍ୟୁସନ ପାସ୍‌ କରିବା ପାଇଁ କହିଥିଲେ ହେଁ ତାହା ହୋଇପାରିନାହିଁ। ତେଣୁ ଓଡ଼ିଶା ସରକାର ଏବଂ ମନ୍ଦିର ବୋର୍ଡ ଏ ବାବଦରେ ଦାବି ପାଇଁ ସ୍ବର ଉଠାଇବା ଦରକାର।

ସମ୍ବନ୍ଧିତ ଖବର