ଭୁବନେଶ୍ବର: ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ କୋହିନୂର ହୀରା ଫେରାଇ ଆଣିବାକୁ ନେଦରଲାଣ୍ଡସ୍ ହଗ୍ସ୍ଥିତ ଅନ୍ତର୍ଜାତୀୟ କୋର୍ଟରେ ଆବେଦନ ହୋଇଛି। ଶ୍ରୀଜଗନ୍ନାଥ ସେନାର ଆବାହକ ପୁରୀର ଆଇନଜୀବୀ ପ୍ରିୟଦର୍ଶନ ପଟ୍ଟନାୟକ ନେଦରଲାଣ୍ଡସ୍ ଯାଇ ଅନ୍ତର୍ଜାତୀୟ କୋର୍ଟ ଅଫ୍ ଜଷ୍ଟିସ୍ରେ ଏହି ପିଟିସନ୍ ଦାୟର କରିଛନ୍ତି। ଇଂଲଣ୍ଡ ପ୍ରଧାନମନ୍ତ୍ରୀଙ୍କୁ ସେ ପକ୍ଷଭୁକ୍ତ କରିଛନ୍ତି। ଗତ ଜୁଲାଇ ୧୪ ତାରିଖରେ ସେ ଏହି ପିଟିସନ୍ ଦାୟର କରିଥିବା ଆଜି ଭୁବନେଶ୍ବରରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଶ୍ରୀ ପଟ୍ଟନାୟକ କହିଛନ୍ତି, ଓଡ଼ିଶାର ଶ୍ରୀଜଗନ୍ନାଥ ପ୍ରେମୀ ତଥା ସମଗ୍ର ବିଶ୍ବର ହିନ୍ଦୁଙ୍କ ସ୍ବାର୍ଥ ପାଇଁ ସେ ଏହି ଆବେଦନ କରିଛନ୍ତି। ସେ ତାଙ୍କ ଆବେଦନପତ୍ରରେ ଉଲ୍ଲେଖ କରିଛନ୍ତି, କୋହିନୂର ଭଳି ମୂଲ୍ୟବାନ ଓ ୧୦୫ କ୍ୟାରେଟ୍ ହୀରା ସାରା ବିଶ୍ବରେ ନାହିଁ।
ଏହାକୁ କୌଣସି ପୁରୁଷ ପରିଧାନ କଲେ, ଦୃଷ୍ଟି ଶକ୍ତି ହରାଇବେ ବୋଲି ଆଶଙ୍କା ରହିଛି। ତେଣୁ ତତ୍କାଳୀନ ପଞ୍ଜାବର ରାଜା ରଣଜିତ୍ ସିଂ ୧୮୩୯ରେ ଏହି ହୀରା ଶ୍ରୀଜଗନ୍ନାଥଙ୍କୁ ଅର୍ପଣ କରିଥିଲେ। ରାଜା ରଣଜିତ୍ ସିଂ ତାଙ୍କ ଇଚ୍ଛାପତ୍ରରେ ଏହା ଉଲ୍ଲେଖ କରିଛନ୍ତି। ପୂର୍ବରୁ କୋହିନୂର ଫେରାଇ ଆଣିବା ପାଇଁ ଇଂଲଣ୍ଡ ସରକାରଙ୍କ ନିକଟରେ ଭାରତ ପକ୍ଷରୁ ଆବେଦନ କରାଯାଇଥିଲା। କିନ୍ତୁ ଆଫଗାନସ୍ତାନ, ବାଂଲାଦେଶ, ପାକିସ୍ତାନ, ଇରାନ୍ ଭଳି ଦେଶ ବି ଏହାର ଦାବିଦାର ଅଛନ୍ତି ବୋଲି କହି ଏହି ପ୍ରସଙ୍ଗକୁ ଏଡ଼ାଇ ଦିଆଗଲା। କିନ୍ତୁ ରାଜ୍ୟ ଅଭିଲେଖାଗାରରୁ ମିଳିଥିବା ଏକ ମିଲିଟାରି ତଥ୍ୟ ଆଧାରରେ ଶ୍ରୀଜଗନ୍ନାଥ ସେନା କୋହିନୂର ହୀରା ମହାପ୍ରଭୁଙ୍କର ବୋଲି ଦାବି କରୁଛି।
ଶ୍ରୀ ପଟ୍ଟନାୟକ କହିଛନ୍ତି, ଶ୍ରୀଜଗନ୍ନାଥ ସେନା ୨୦୧୬ ଅକ୍ଟୋବର ୧୯ରେ ତତ୍କାଳୀନ ଇଂଲଣ୍ଡର ମହାରାଣୀ ଏଲିଜାବେଥଙ୍କ ନିକଟକୁ ଶ୍ରୀଜଗନ୍ନାଥଙ୍କ କୋହିନୂର ହୀରା ଫେରାଇଦେବାକୁ ପତ୍ର ଲେଖିଥିଲା। ହୀରା ଫେରାଇବା ନିଷ୍ପତ୍ତି କେବଳ ଇଂଲଣ୍ଡ ସରକାର ନେଇ ପାରିବେ ବୋଲି ବକିଙ୍ଗହାମ୍ ପ୍ୟାଲେସ୍ ପକ୍ଷରୁ ପ୍ରତ୍ୟୁତ୍ତର ଆସିଥିଲା। ଏହି ପ୍ରସଙ୍ଗରେ ଭାରତ ସରକାରଙ୍କ ସାହାଯ୍ୟ ନିତାନ୍ତ ଜରୁରି ବୋଲି ସେ କହିଛନ୍ତି।