କୋଳଥିଆ ଏଟିଏମ୍‌ରୁ ଚୋରି ଘଟଣା: ସିକ୍ରେଟ୍ ଚାମ୍ବର ପାସ୍‌ୱାର୍ଡ ଜାଣିଲା କେମିତି?

୬ ଦିନ ପରେ ବି ପୁଲିସ୍‌ ହାତ ଖାଲି, ୯ବର୍ଷ ତଳ ଘଟଣା ସହ ମେଳ ଖାଉଛି

ଭୁବନେଶ୍ବର : କୋଳଥିଆ ଛକରେ ଥିବା ୟୁନିଅନ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ଏଟିଏମ୍‌ କାଉଣ୍ଟର୍‌ରୁ ୭ ଲକ୍ଷ ୫୭ ହଜାର ୭ଶହ ଟଙ୍କା ଲୁଟ୍‌ ଘଟଣାକୁ ୬ ଦିନରୁ ଊର୍ଧ୍ବ ସମୟ ବିତି ଯାଇଥିଲେ ହେଁ ପୁଲିସ୍‌ ଦୁର୍ବୃତ୍ତକୁ ଧରି ପାରି ନାହିଁ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଜଣେ ମାତ୍ର ଦୁର୍ବୃତ୍ତ ଅଭିନବ ଉପାୟରେ ଏଟିଏମ୍‌ରୁ ଟଙ୍କା ଲୁଟ୍ କରିଛି। ଏଟିଏମ୍‌ର କ୍ୟାସ୍ ଭଲ୍ଟ ଓ ଭିତରେ ଥିବା କ୍ୟାସ୍ ଟ୍ରେ’ର ଇନର୍ ଲ୍ୟାଚ୍ ଓ ହ୍ୟାଣ୍ଡେଲ୍ ଭାଙ୍ଗି ସବୁତକ ଟଙ୍କା ଲୁଟି ନେଇଛି। ସାଧାରଣତଃ ଏଟିଏମ୍‌ ଲୁଟେରାମାନେ ଗ୍ୟାସ୍‌ କଟର୍‌ କିମ୍ବା ଅନ୍ୟ ହାତ ହତିଆରର ସାହାଯ୍ୟ ନେଇ ଏଟିଏମ୍‌ ମେସିନ୍‌କୁ ତାଡ଼ିବାକୁ ଚେଷ୍ଟା କରିଥା’ନ୍ତି। ଏଥିପାଇଁ ବହୁ ସମୟ ଦରକାର ଓ ସଫଳତାର ହାର ମଧ୍ୟ କମ୍‌। କିନ୍ତୁ ଏ କ୍ଷେତ୍ରରେ ଦୁର୍ବୃତ୍ତଜଣଙ୍କ ୫ ମିନିଟ୍‌ରୁ ବି କମ୍ ସମୟରେ ଟଙ୍କା ଲୁଟି କାଉଣ୍ଟର୍‌ରୁ ବାହାରିଛି। ତେଣୁ ନୂଆ ଜ୍ଞାନକୌଶଳରେ ଏହି ଏଟିଏମ୍‌ ଲୁଟ୍ କରାଯାଇଥିବା ଖଣ୍ଡଗିରି ପୁଲିସ୍‌ ତଦନ୍ତରୁ ଜାଣିବାକୁ ପାଇଛି।

ଏଟିଏମ୍‌ ସର୍ଭେଲାନ୍ସରେ କାର୍ଯ୍ୟରତ ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ଲୁଟ୍‌ର କୌଶଳରୁ ଜଣାପଡ଼ୁଛି ଯେ ଖୁବ୍ କମ୍ ସମୟରେ ଏଟିଏମ୍‌ର କ୍ୟାସ୍ ଭଲ୍ଟ ଭାଙ୍ଗି ଟଙ୍କା ଲୁଟ୍ କରାଯାଇଛି। କ୍ୟାସ୍‌ ଭଲ୍ଟ ଭାଙ୍ଗିବା ପରେ ଟଙ୍କା ଥିବା ସିକ୍ରେଟ୍‌ ଚାମ୍ବର ଖୋଲିବା ପାଇଁ ପାସ୍‌ଵାର୍ଡ ଦରକାର। ଯାହା କେବଳ ମାତ୍ର ୨ରୁ ୩ଜଣ ଜାଣିଥା’ନ୍ତି। ମେସିନ୍‌ରେ ଟଙ୍କା ଭର୍ତ୍ତି ବେଳେ ଓ ଭର୍ତ୍ତି ସରିଲେ ପାସ୍‌ଵାର୍ଡ ଦ୍ବାରା ହିଁ ଚାମ୍ବର ଲକ୍ କରାଯାଇଥାଏ। ଗୁରୁତ୍ବପୂର୍ଣ୍ଣ କଥା ହେଲା, ପ୍ରତିଥର ଟଙ୍କା ଭର୍ତ୍ତି ସମୟରେ ପୁରୁଣା ପାସ୍‌ଵାର୍ଡକୁ ବଦଳାଇ ଦିଆଯାଇଥାଏ। ତେଣୁ ବାହାରର ଜଣେ ଲୋକ ଏ ପାସ୍‌ୱାର୍ଡ ଜାଣିବା ସମ୍ଭବପର ନୁହେଁ। ହୁଏତ ଦୁର୍ବୃତ୍ତଜଣଙ୍କ ପାସ୍‌ଵାର୍ଡ ଜାଣିବା ପାଇଁ କାଉଣ୍ଟର୍‌ ଭିତରେ ଗୁପ୍ତ କ୍ୟାମେରା ଖଞ୍ଜିଥିବ। ନଚେତ୍‌ ଟଙ୍କା ଭର୍ତ୍ତି କରୁଥିବା ସଂସ୍ଥାର କୌଣସି କର୍ମଚାରୀଙ୍କ ଏଥିରେ ସଂପୃକ୍ତି ରହିଛି।

ଅପରପକ୍ଷେ ଏହି ଲୁଟ୍ କୌଶଳ ଦୀର୍ଘ ୯ ବର୍ଷ ପୂର୍ବର ଏକ ଏଟିଏମ୍ ଲୁଟ୍ ସହ ମେଳ ଖାଉଥିବା ଜଣାପଡ଼ିଛି। ୨୦୧୩ ମେ’ ୪ ତାରିଖରେ କଟକ ଟାଙ୍ଗୀରେ ଏସ୍‌ବିଆଇର ଏକ ଏଟିଏମ୍ କାଉଣ୍ଟର୍‌ରୁ ପ୍ରାୟ ୩୩ ଲକ୍ଷ ଟଙ୍କା ଲୁଟ୍‌ ହୋଇଥିଲା। ପରେ ପୂରା ରାଜ୍ୟ ସାରା ବୁଲି ବୁଲି ଏହି ଗ୍ୟାଙ୍ଗ୍‌ ସମାନ ଢଙ୍ଗରେ ଲୁଟ୍‌ କରିଥିଲା। ମାତ୍ର ୮ ମାସ ମଧ୍ୟରେ କେବଳ ଏସ୍‌ବିଆଇ ଏଟିଏମ୍‌ଗୁଡ଼ିକୁ ଟାର୍ଗେଟ୍‌ କରି ଦୁର୍ବୃତ୍ତମାନେ ପାଖାପାଖି ଦେଢ଼କୋଟି ଟଙ୍କା ଲୁଟି ନେଇଥିଲେ। ଗ୍ୟାଙ୍ଗ୍‌‌ରେ ଇଂଜିନିୟର୍‌ଠୁ ଆରମ୍ଭ କରି ଏଟିଏମ୍‌ରେ ଟଙ୍କା ଭରିବା ଦାୟିତ୍ବରେ ଥିବା କିଛି ପୂର୍ବତନ କର୍ମଚାରୀ ସାମିଲ୍ ଥିବା ତଦନ୍ତରୁ ଜଣାପଡ଼ିଥିଲା। କେବଳ ଓଡ଼ିଶା ନୁହେଁ, ବିଭିନ୍ନ ରାଜ୍ୟରେ ଏହି ଲୁଟ୍ କରାଯାଇଥିଲା। ସେତେବେଳେ ସେ ଗ୍ୟାଙ୍ଗ୍‌ର ଲୁଟ୍‌ ଶୈଳୀ, କୋଳଥିଆ କାଉଣ୍ଟର୍‌ର ଲୁଟ୍‌ ଶୈଳୀ ସହ ସମାନ। ତେଣୁ ଏ କ୍ଷେତ୍ରରେ ଲୁଟ୍‌ କରିଥିବା ଦୁର୍ବୃତ୍ତଜଣଙ୍କ ମଧ୍ୟ ପୂର୍ବରୁ ବ୍ୟାଙ୍କ୍‌ରେ କାମ କରୁଥିବା ପୁଲିସ ସନ୍ଦେହ କରୁଛି।

ଭୁବନେଶ୍ବର ଡିସିପି ପ୍ରତୀକ ସିଂହ କହିଛନ୍ତି, ଦୁର୍ବୃତ୍ତଜଣଙ୍କ ପୂର୍ବରୁ ୪ରୁ ୫ଥର କ୍ୟାସ୍ ଭଲ୍ଟ ଭାଙ୍ଗି ଟଙ୍କା ଚୋରି କରିବାକୁ ଉଦ୍ୟମ କରିଛି। ମାତ୍ର ଅନ୍ୟ ଲୋକ ଟଙ୍କା ଉଠାଇବାକୁ ଆସିବାରୁ ସେ ସଫଳ ହୋଇନ ଥିଲା। ସିସି କ୍ୟାମେରାରେ ଦୁର୍ବୃତ୍ତକୁ ଚିହ୍ନଟ କରାଯାଇଛି। ଖୁବ୍‌ଶୀଘ୍ର ଧରାଯିବ।

କର୍ତ୍ତୃପକ୍ଷଙ୍କ ଅବହେଳାରୁ ଚୋରି ବଢ଼ୁଛି
ଗତବର୍ଷ ଅନ୍ତଃରାଜ୍ୟ ଲୁଟେରା ରାଜଧାନୀ ସମେତ ଏକାଧିକ ଜିଲ୍ଲାରେ ବୁଲି ବୁଲି ଲକ୍ଷାଧିକ ଟଙ୍କା ଲୁଟ୍ କରିଥିଲେ। ରାଜଧାନୀରେ ଧରାପଡ଼ିବା ପରେ କମିସନରେଟ୍ ପୁଲିସ ଏକ ସ୍ବତନ୍ତ୍ର ଟିମ୍ ଗଠନ କରି ବ୍ୟାଙ୍କ୍ କର୍ତ୍ତୃପକ୍ଷଙ୍କୁ ଏଟିଏମ୍ ବାହାରେ ସୁରକ୍ଷା କର୍ମୀ ନିୟୋଜିତ କରିବାକୁ କହିଥିଲା। ଏପରିକି ନିର୍ଦ୍ଦିଷ୍ଟ ଭାବେ ସମ୍ବେଦନଶୀଳ ଜାଗାଗୁଡ଼ିକୁ ଯାଞ୍ଚ କରି ସେଠାରେ ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା ପାଇଁ ବ୍ୟାଙ୍କ୍‌କୁ ସୂଚନା ଦେଇଥିଲା। ମାତ୍ର ବ୍ୟାଙ୍କ୍ କର୍ତ୍ତୃପକ୍ଷ ସୁରକ୍ଷାକର୍ମୀ ନିୟୋଜିତକୁ ଅତିରିକ୍ତ ଖର୍ଚ୍ଚର ବୋଝ ବୋଲି ଦର୍ଶାଇ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି। କେବଳ ଏତିକି ନୁହେଁ, ସିସିଟିଭି ସର୍ଭେଲାନ୍ସ ଦାୟିତ୍ବରେ ଥିବା କର୍ମଚାରୀମାନେ ମଧ୍ୟ ଠିକ୍ ଭାବେ ନିଜ ଦାୟିତ୍ବ ନିର୍ବାହ କରୁନାହାନ୍ତି। କାରଣ ୟୁନିଅନ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ଏଟିଏମ୍ କାଉଣ୍ଟର୍‌ରୁ ଟଙ୍କା ନେବା ଘଟଣାରେ କର୍ତ୍ତୃପକ୍ଷ ସ୍ପଷ୍ଟ ଭାବେ ଲେଖିଛନ୍ତି ଯେ ଉକ୍ତ ଦୁର୍ବୃତ୍ତଜଣଙ୍କ ପୂର୍ବରୁ ଏକାଧିକଥର ସେହି ଏଟିଏମ୍‌କୁ ଆସି ଲୁଟ୍ ଉଦ୍ୟମ କରିଛି। ଏସବୁ ସିସି କ୍ୟାମେରାରେ କଏଦ୍ ହେବା ସତ୍ତ୍ବେ ସୁରକ୍ଷା ପ୍ରତି ଧ୍ୟାନ ନ ଦିଆଯିବାରୁ ଟଙ୍କା ଲୁଟ୍ ହୋଇଥିବା ଜଣାପଡ଼ିଛି। କେବଳ ଗୋଟିଏ ନୁହେଁ, ପ୍ରାୟ ସମସ୍ତ ଏଟିଏମ୍ ଲୁଟ୍ ଘଟଣାରେ କର୍ତ୍ତୃପକ୍ଷ ଅବହେଳା ପାଇଁ ଲୁଟ୍ ହେଉଛି।

ଏଟିଏମ୍‌ରୁ ଟଙ୍କା ଚୋରି ମାମଲାରେ ପୁଲିସ୍‌ ବିଫଳ କାହିଁକି?
କୋଳଥିଆସ୍ଥିତ ଏଟିଏମ୍‌ରୁ ଲୁଟ୍ ଘଟଣାକୁ ୬ଦିନ ପରେ ବି ପୁଲିସକୁ ସଫଳତା ମିଳିନି। ୨ ମାସ ତଳେ ଜଣେ ଯୁବକ ଏଟିଏମ୍‌ ଭିତରେ ଲୋକଙ୍କୁ ସାହାଯ୍ୟ କରିବା ଆଳରେ ଟଙ୍କା ଲୁଟି ନେଇଥିଲା। ପ୍ରଥମେ କ୍ୟାପିଟାଲ୍ ଥାନା ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଏଟିଏମ୍ କାର୍ଡ ବଦଳାଇ ଟଙ୍କା ନେଇଥିବା ବେଳେ ପରେ ଏୟାରପୋର୍ଟ ଥାନା ଅନ୍ତର୍ଗତ ପୋଖରୀପୁଟ୍‌ ଓ ନୂଆପଲ୍ଲୀ ଥାନା ସ୍ବପ୍ନେଶ୍ବର ମନ୍ଦିର ନିକଟରେ ଥିବା ଏସ୍‌ବିଆଇ ଏଟିଏମ୍‌ରେ ଜଣେ ବୃଦ୍ଧଙ୍କ ଏଟିଏମ୍ କାର୍ଡ ବଦଳାଇ ଲୁଟ୍ କରିଥିଲା। ୩ଟି ଯାକ ଘଟଣାରେ ଜଣେ ଯୁବକର ହାତ ଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଥିଲା ଓ ସିସିଟିଭି ଫୁଟେଜ୍‌ରୁ ମଧ୍ୟ ଯୁବକକୁ ଚିହ୍ନଟ କରାଯାଇଥିଲା। ମାତ୍ର ୨ ମାସରୁ ଅଧିକ ଦିନ ବିତିଥିଲେ ହେଁ ଦୁର୍ବୃତ୍ତ ଧରା ପଡ଼ିନାହିଁ। ସେହିଭଳି ବହୁଚର୍ଚ୍ଚିତ ଧଉଳି ଥାନା ଅନ୍ତର୍ଗତ ଇନ୍ଦିରା କଲୋନିରେ ଏଟିଏମ୍ କାଉଣ୍ଟର୍ ତାଡ଼ି ୫ରୁ ଊର୍ଧ୍ବ ଦୁର୍ବୃତ୍ତ ୨୧ ଲକ୍ଷ ଟଙ୍କା ଲୁଟି ନେଇଥିଲେ। ଏହି ଘଟଣାରେ ପୁଲିସ ୨ଜଣଙ୍କୁ ଗିରଫ କରିଥିବା ବେଳେ ବାକି ଅଭିଯୁକ୍ତମାନେ ଏ ପର୍ଯ୍ୟନ୍ତ ଧରାପଡ଼ି ନାହାନ୍ତି। ସେହିପରି ଅଭିଯୁକ୍ତଙ୍କଠାରୁ ପୁଲିସ ଟଙ୍କାଟିଏ ବି ଜବତ କରିପାରିନାହିଁ।

ସମ୍ବନ୍ଧିତ ଖବର