ଭୁବନେଶ୍ବର : କୋଲକାତାରୁ ୨୩ ଯାତ୍ରୀଙ୍କୁ ନେଇ ଭୁବନେଶ୍ୱର ଆସୁଥିବା ଏକ ବସ୍(ଡବ୍ଲୁବି ୭୬ଏ ୨୦୪୦)କୁ ଭୁବନେଶ୍ୱର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ-୨ ଆଜି ଜବତ କରି ଚନ୍ଦ୍ରଶେଖରପୁର ପୁଲିସ୍କୁ ହସ୍ତାନ୍ତର କରିଛି। ବସ୍ରେ ଥିବା ସମସ୍ତ ଯାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ କରି ଛାଡ଼ି ଦିଆଯାଇଥିବା ବେଳେ ବସ୍ର ଚାଳକ ମୟୂରଭଂଜ ଜିଲ୍ଲା କିଶୋର ଚନ୍ଦ୍ର ପାତ୍ରଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏନେଇ ଥାନାରେ ଏକ ମାମଲା ମଧ୍ୟ ରୁଜୁ ହୋଇଛି।
ସୂଚନାଯୋଗ୍ୟ, କରୋନା ସଂକ୍ରମଣର ଚେନ୍ ଭାଙ୍ଗିବା ପାଇଁ ରାଜ୍ୟ ସରକାର ଅନ୍ତଃରାଜ୍ୟ ବସ୍ ଚଳାଚଳକୁ ବନ୍ଦ କରିଛନ୍ତି। ଆଜି ଆର୍ଟିଓର ଅଧିକାରୀମାନେ ବାଣୀବିହାର ଫ୍ଲାଏଓଭର୍ ଉପରେ ଗାଡ଼ିଗୁଡ଼ିକ ଯାଞ୍ଚ କରୁଥିବା ବେଳେ ଅନ୍ୟ ରାଜ୍ୟରେ ପଞ୍ଜୀକୃତ ହୋଇଥିବା ଏହି ବସ୍ଟିକୁ ଅଟକାଇଥିଲେ। ସେଥିରେ ଥିବା ଯାତ୍ରୀମାନଙ୍କୁ ପଚରାଉଚରା କରିବାରୁ ସେମାନେ କୋଲକାତାରୁ ଆସିଥିବା ମାନି ଯାଇଥିଲେ। ଏହାପରେ ପୁଲିସ୍ ସହାୟତାରେ ସମସ୍ତ ଯାତ୍ରୀମାନଙ୍କ ଥର୍ମାଲ ସ୍କ୍ରିନିଂ କରାଯାଇଥିଲା। କୌଣସି ଯାତ୍ରୀଙ୍କ ଦେହର ତାପାମାତ୍ରା ଅଧିକ ନଥିବାରୁ ସେମାନଙ୍କୁ ଛାଡ଼ି ଦିଆଯାଇଥିଲା।
ଉଲ୍ଲେଖଯୋଗ୍ୟ, କରୋନାର ନୂଆ ଘାତକ ଷ୍ଟ୍ରେନ୍ (ଟ୍ରିପଲ୍ ମ୍ୟୁଟାଣ୍ଟ ଭାଇରସ୍) ଏବେ ପଶ୍ଚିମବଙ୍ଗ ସମେତ ଅନ୍ୟ ରାଜ୍ୟରେ ଚିହ୍ନଟ ହୋଇଥିବାରୁ ରାଜ୍ୟ ସରକାର ଅଧିକ ସତର୍କତା ଆପଣାଇଛନ୍ତି। ଅନ୍ୟ ରାଜ୍ୟରୁ ଫେରୁଥିବା ଯାତ୍ରୀମାନଙ୍କୁ ବାଧ୍ୟତାମୂଳକ ସଂଗରୋଧରେ ରହିବା ପାଇଁ ରାଜ୍ୟ ସରକାର ଆଜି ନିର୍ଦ୍ଦେଶ ଦେଇଛନ୍ତି।