ପୁରୀରୁ ଧରାପଡ଼ିଲା କୋଲକାତାର ଠକ ମହିଳା: ବୀମା ଆଳରେ ଘରେ କଳାକନା ବୁଲାଉଥିଲା

ଦେଢ଼ଲକ୍ଷ ଟଙ୍କା, ୨ଚେନ୍‌, ୧୦ ମୁଦି ଓ ଗୋଟିଏ ବ୍ରେସ୍‌ଲେଟ୍ ଜବତ, ରିମାଣ୍ଡରେ ଆସିପାରେ ପୀୟୁ

ଭୁବନେଶ୍ବର: ନିଜକୁ ଜଣେ ଅଧ୍ୟାପିକା ଓ ଏକ ପ୍ରତିଷ୍ଠିତ ବୀମା କମ୍ପାନିର ଏଜେଣ୍ଟ ବୋଲି ପରିଚୟ ଦେଇ ଲୋକଙ୍କୁ ଚୂନ ଲଗାଉଥିବା ଜଣେ ବଙ୍ଗୀୟ ମହିଳା ଠକକୁ ସହିଦନଗର ଥାନା ପୁଲିସ ପୁରୀରୁ ଗିରଫ କରିଛି। ପଶ୍ଚିମବଙ୍ଗ ପୁଲିସ ଦ୍ବାରା ତଡ଼ିପାର୍ ହୋଇଥିବା ଏହି ଧୂର୍ତ୍ତ ଠକ ମହିଳା ହେଲା ହାୱଡ଼ା ଅଞ୍ଚଳର ପୀୟୂ ବିଶ୍ବାସ(୩୯)। ନିକଟରେ ସହିଦନଗର ଥାନା ବାଙ୍କୁଆଳରୁ ପୁରୀର ଜଣେ ବ୍ୟବସାୟୀଙ୍କୁ ତାଙ୍କ ଘରେ ନିଶା ଦେଇ ଲୁଟି ଥିବା ଅଭିଯୋଗରେ ପୀୟୂକୁ ଗିରଫ କରାଯାଇଛି। ବ୍ୟବସାୟୀଙ୍କଠାରୁ ଲୁଟିଥିବା ନଗଦ ଦେଢ଼ ଲକ୍ଷ ଟଙ୍କା, ଦୁଇଟି ସୁନାଚେନ୍‌, ୧୦ଟି ମୁଦି, କାନଫୁଲ ଓ ଗୋଟିଏ ବ୍ରେସ୍‌ଲେଟ୍ ଆଦିକୁ ପୁଲିସ ତା’ଠାରୁ ଜବତ କରିଛି। ସୂଚନା ମୁତାବକ, ଫେସ୍‌ବୁକ୍‌ ଜରିଆରେ ଜୟକୃଷ୍ଣଙ୍କ ସହ ପୀୟୂର ବନ୍ଧୁତା ସ୍ଥାପନ ହୋଇଥିଲା। ପୀୟୂ ନିଜକୁ ଏକ ଘରୋଇ ଶିକ୍ଷାନୁଷ୍ଠାନର ଅଧ୍ୟାପିକା ବୋଲି ପରିଚୟ ଦେଇଥିଲା। ଏଥିସହିତ ସେ ଏକ ବୀମା କମ୍ପାନିର ଏଜେଣ୍ଟ ବୋଲି ମଧ୍ୟ କହିଥିଲା। କିଛି ଦିନର ବାର୍ତ୍ତାଳାପ ଭିତରେ ପୀୟୂ ମିଠାମିଠା କଥା କହି ଜୟକୃଷ୍ଣଙ୍କ ମନରେ ବିଶ୍ବାସ ଜନ୍ମାଇଥିଲା। ବନ୍ଧୁତା ନିବିଡ଼ ହେବା ପରେ ଏକ ବୀମା ପଲିସି କରିବାକୁ ସେ ଜୟକୃଷ୍ଣଙ୍କୁ ଲୋଭନୀୟ ଅଫର୍ ଦେଇଥିଲା।

ଜୟକୃଷ୍ଣ ରାଜି ହୋଇ ଯାଇଥିଲେ। ବୀମା ବାବଦରେ କଥା ହେବା ପାଇଁ ଗତ ୯ ତାରିଖ ରାତିରେ ପୀୟୂ ବାଙ୍କୁଆଳସ୍ଥିତ ଜୟକୃଷ୍ଣଙ୍କ ଫ୍ଲାଟ୍‌ରେ ପହଞ୍ଚିଥିଲା। ଉଭୟ ପୁରୀର ବାସିନ୍ଦା ହୋଇଥିଲେ ବି ବୀମା କଥା ଆଲୋଚନା ପାଇଁ ଭୁବନେଶ୍ବରରେ ଏକାଠି ହୋଇଥିଲେ। ବୀମା କଥା ଆଲୋଚନା ଭିତରେ ବିଳମ୍ବ ହେବାରୁ ଓ ରାତି ଅଧିକ ହୋଇଯିବାରୁ ପୁରୀ ଫେରିବାରେ ସମସ୍ୟା ହେବ କହି ପୀୟୂ ରାତିକ ପାଇଁ ସେହି ଫ୍ଲାଟ୍‌ରେ ରହିବା ପାଇଁ ପ୍ରସ୍ତାବ ଦେଇଥିଲା। ଜୟକୃଷ୍ଣ ଏକାକୀ ଉକ୍ତ ଫ୍ଲାଟ୍‌ରେ ରହୁଥିବାରୁ କିଛି ଆପତ୍ତି ଉଠାଇନଥିଲେ। ଏମିତିକି ବାହାରୁ ଖାଇବା ମଗାଇ ସେମାନେ ଏକାଠି ଖାଇଥି‌ଲେ। ତାଙ୍କର ଏହି ସରଳତାର ସୁଯୋଗ ନେଇ ସେ ଜୟକୃଷ୍ଣଙ୍କ ଖାଇବାରେ କୌଣସି ନିଶା ମିଶାଇ ଦେଇଥିଲା। ଜୟକୃଷ୍ଣ ଚେତାଶୂନ୍ୟ ହେବା ପରେ ପୀୟୂ ତାଙ୍କ ଘରୁ ନଗଦ ୨୦ ହଜାର ଟଙ୍କା, ୩ଟି ସୁନାଚେନ୍, ୨ଟି ବ୍ରେସ୍‌ଲେଟ୍‌ ଏବଂ ୨ଟି ଦାମୀ ମୋବାଇଲ୍‌ ନେଇ ଚମ୍ପଟ ମାରିଥିଲା। ପରଦିନ ସକାଳେ ଜୟକୃଷ୍ଣ ସହିଦନଗର ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା। ମୋବାଇଲ୍‌ ଟ୍ରାକିଂରୁ ପୁଲିସ ପୀୟୂକୁ ଠାବ କରିବା ପରେ ମଙ୍ଗଳବାର ବିଳମ୍ବିତ ରାତିରେ ପୁରୀ ବଳିଆପଣ୍ଡା ଧୋବାଖାଲ ବସ୍ତିରେ ଚଢ଼ଉ କରି ତାକୁ ଗିରଫ କରିଥିଲା।

ପୀୟୂକୁ ପୁଲିସ ରିମାଣ୍ଡ୍‌ରେ ଆଣିବା ପାଇଁ ଯୋଜନା କରୁଛି। ତା’ ନାମରେ ପୂର୍ବରୁ କୋଲକାତାରେ ବି ଠକେଇ ମାମଲା ରହିଛି। ଓଡ଼ିଶା ଆସିବା ପରେ ସେ ଏମିତି ଅନେକ ଲୋକଙ୍କୁ ଠକିଥିବା ପଚରାଉଚରା ବେଳେ ମାନିଛି। ତେବେ ସେ ଏକା ଏମିତି ଠକୁଥିଲା ନା ତା’ ସହ ଆଉ କାହାର ସମ୍ପୃକ୍ତି ରହିଛି, ସେନେଇ ଛାନ୍‌ଭିନ୍ ଜାରି ରହିଛି। ତା’ ସହ କୌଣସି ଗ୍ୟାଙ୍ଗ୍‌ର ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି। ସେ ଗରିଫ ହେବା ପରେ ଆହୁରି କିଛି ଠକେଇ ଅଭିଯୋଗ ଆସିବା ଅନୁମାନ କରାଯାଉଛି। ଏବେ ବି ତା’ ପାଖରେ ପ୍ରଚୁର ସୁନାଗହଣା ଓ ଟଙ୍କା ରହିଛି। ତେଣୁ ତା‌କୁ ରିମାଣ୍ଡରେ ଆଣିବା ବୋଲି ସୂଚନା ମିଳିଛି।

ବେଙ୍ଗଲି ମିଠା ଭାଷାରେ ମାୟାଜାଲ ବିଛାଉଥିଲା

ପୀୟୂ ଜଣେ ଧୂର୍ତ୍ତ ମହିଳା ବୋଲି ଜଣାପଡ଼ିଛି। ଲୋକଙ୍କୁ ଠକିବା ପାଇଁ ସେ ସୋସିଆଲ୍‌ ମିଡିଆରେ ଫେସ୍‌ବୁକ୍‌, ହ୍ବାଟ୍ସଆପ୍‌ ଆଦିକୁ ମୁଖ୍ୟ ଅସ୍ତ୍ର ଭାବେ ବ୍ୟବହାର କରୁଥିଲା। ବେଙ୍ଗଲି ମିଠା ଭାଷା କହି ସେ ମାୟାଜାଲ ବିଛାଉଥିଲା ଓ ସହଜରେ ଅନ୍ୟକୁ ଫସାଇ ପାରୁଥିଲା। ଫଟୋରେ ତା’ର ସୁନ୍ଦର ଚେହେରା ଅକ୍ଳେଶରେ ଗ୍ରାହକଙ୍କୁ ଆକର୍ଷଣ କରିପାରୁଥିଲା। ତାକୁ କେହି ସହଜରେ ଠକ ବୋଲି ଜାଣି ପାରୁନଥିଲେ। ଏହାର ସୁଯୋଗ ନେଇ ସେ ଲୋକଙ୍କ ନମ୍ବର ସଂଗ୍ରହ କରୁଥିଲା ଓ ପରେ ହ୍ବାଟ୍ସ ଆପ୍‌ରେ ମେସେଜ୍ କରି ବନ୍ଧୁତା ବଢ଼ାଉଥିଲା। ପରେ ବୀମା ସ୍କିମ୍‌ର ଲୋଭନୀୟ ଅଫର୍‌ ଦେଖାଉଥିଲା। ବୀମା ନାଁରେ ଫସାଇବା ପାଇଁ ସେ ଗ୍ରାହକଙ୍କୁ ‌ହୋଟେଲ୍‌ରେ ଭେଟିବାକୁ ଆମନ୍ତ୍ରଣ କରୁଥିଲା। ଏହି ସୁଯୋଗରେ ସେ ଗ୍ରାହକକୁ ଲୁଟୁଥିଲା। ପରେ ଲୋକଲଜ୍ଜା ଭୟରେ ଅନେକ ଅଭିଯୋଗ କରୁନଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର