ଭୁବନେଶ୍ବର: ରାଜଧାନୀ ବଜାରରେ ଏବେ ଲିଚୁର ପସରା ମେଲିଛି। କେବଳ ସ୍ଥାୟୀ ଫଳଦୋକାନରେ ନୁହେଁ, ବିଭିନ୍ନ ଛକରେ ମଧ୍ୟ ବଜାର ଖୋଲିଛି। ଏହା ଦେଖିବାକୁ ଯେତିକି ସୁନ୍ଦର, ଖାଇବାକୁ ମଧ୍ୟ ଭାରି ସୁଆଦିଆ। ଋତୁଭିତ୍ତିକ ଫଳ ହୋଇଥିବାରୁ ସବୁ ସମୟରେ ରାଜଧାନୀରେ ଲିଚୁ ଦେଖିବାକୁ ମିଳେ ନାହିଁ। ସାଧାରଣତଃ ସାବିତ୍ରୀ ପୂଜା ପୂର୍ବରୁ ଏହି ଫଳଟିର ବିକ୍ରି ଆରମ୍ଭ ହୋଇଯାଏ। ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଓଡ଼ିଶାରେ ମଧ୍ୟ ଲିଚୁର ଚାଷ ବଢ଼ିଲାଣି। କିନ୍ତୁ ଏଯାଏଁ ଓଡ଼ିଶାରେ ଲିଚୁର ବଜାର ସୃଷ୍ଟି ହୋଇପାରି ନାହିଁ।
ଏକ ନମ୍ବର ହାଟ, ରାମମନ୍ଦିର ଛକ, ରାଜମହଲରୁ କଳ୍ପନା ଛକ ଆଦି ଅଞ୍ଚଳରେ ଥିବା ଫଳ ବଜାରରେ ଏବେ ଗଦାଗଦା ଲିଚୁ ଦେଖିବାକୁ ମିଳୁଛି। ପଶ୍ଚିମବଙ୍ଗ, ମୁମ୍ବାଇ ଓ ବିହାରରୁ ଲିଚୁ ଓଡ଼ିଶାକୁ ଆସୁଛି। କିନ୍ତୁ ପଶ୍ଚିମବଙ୍ଗ ବା କୋଲକାତାରୁ ବେଶି ଆସୁଛି। ମେ’ ମାସ ପହିଲାରୁ ଜୁଲାଇ ମାସ ପର୍ଯ୍ୟନ୍ତ ଏହା ବଜାରରେ ଉପଲବ୍ଧ ହୋଇଥାଏ। ଭୁବନେଶ୍ବରରେ ଦୁଇପ୍ରକାର ଲିଚୁ ମିଳୁଛି। ରାଜ୍ୟ ବାହାରୁ ଆସୁଥିବା ଲିଚୁକୁ କୁହାଯାଉଛି ‘ବମ୍ବେ ଲିଚୁ’ ଓ ଓଡ଼ିଶାର ଚାଷୀଙ୍କଠାରୁ ଆସୁଥିବା ଲିଚୁ ହେଉଛି ‘ଦେଶୀ ଲିଚୁ’। ଲିଚୁ ଚାଷ କରିବା ପାଇଁ ଆବଶ୍ୟକ ଜଳବାୟୁ ଓ ମାଟି ଥିବାରୁ ଓଡ଼ିଶାର କିଛି ସ୍ଥାନରେ ମଧ୍ୟ ଏବେ ଲିଚୁ ଚାଷ କରାଯାଉଛି। ଅନୁଗୁଳ, ସୁନ୍ଦରଗଡ଼, ଢେଙ୍କାନାଳ ଆଦି ସ୍ଥାନରୁ ଏହି ଦେଶୀ ଲିଚୁ ରାଜଧାନୀକୁ ଆସୁଥିବା ଏକନମ୍ବର ହାଟରେ ୧୫ବର୍ଷ ଧରି ଫଳ ବ୍ୟବସାୟ କରୁଥିବା ଶରତ ସାହୁ କହନ୍ତି। ତେବେ ଓଡ଼ିଶାର ଚାଷ ହେଉଥିବା ଲିଚୁର ବିଧିବଦ୍ଧ ବଜାର ବ୍ୟବସ୍ଥା ନଥିବାରୁ ଓଡ଼ିଶାରେ ଲିଚୁ ଚାଷ ହେଉଥିଲେ ମଧ୍ୟ ଅନ୍ୟରାଜ୍ୟ ଉପରେ ଏଥିପାଇଁ ଭରସା କରିବାକୁ ପଡୁଛି। ବାହାରୁ ଆସୁଥିବା ଲିଚୁ ଫଳ ଗୋଦାମରେ ସହଜରେ ମିଳୁଛି। ତା’ର ରଙ୍ଗ ମଧ୍ୟ ଗାଢ଼ ଓ ଅଧିକ ମିଠା ହୋଇଥିବାରୁ ଲୋକେ ବେଶି ପସନ୍ଦ କରୁଛନ୍ତି।
ଦେହକୁ କେତେ ହିତ?
‘‘ଏହି ଫଳରେ ପ୍ରଚୁର ପରିମାଣରେ ଜଳୀୟ ଅଂଶ ଥିବାରୁ ଏହା ଶରୀର ପାଇଁ ଖୁବ୍ ଭଲ। ଏଥିରେ ଭିଟାମିନ୍, ମିନେରାଲ୍ସ ଓ ଆଣ୍ଟି ଅକ୍ସିଡାଣ୍ଟ୍ ରହିଛି। ଏଥିରେ ରହିଥିବା ପଟାସିୟମ୍, କପର ଓ ଭିଟାମିନ୍ ସି ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରଥାଏ। ତେବେ ଲିଚୁ ଖାଇବାର ବି ଏକ ସୀମା ରହିଛି। ଦିନକୁ ୨ରୁ ୩ଟି ଲିଚୁ ଖାଇପାରନ୍ତି। ମାତ୍ରାଧିକ ଲିଚୁ ଖାଇଲେ ପାର୍ଶ୍ବ ପ୍ରତିକ୍ରିୟା ଦେଖା ଦେଇପାରେ। ଲିଚୁକୁ ଆପଣ ନିଜର ଓଜନ ହ୍ରାସ ଡାଏଟ୍ରେ ବି ସାମିଲ୍ କରିପାରନ୍ତି। ଏଥିରେ ଅଧିକ ମିଠା ଅଂଶ ଥିବାରୁ ଏହା ଛୋଟପିଲାଙ୍କୁ ଦେଇ ପାରିବେ। ମଧୁମେହ ରୋଗୀ ଏହାକୁ ନଖାଇବା ଭଲ।’’
-ସୁଶ୍ରୀ ସଙ୍ଗୀତା ଜେନା
କ୍ଲିନିକାଲ୍ ନ୍ୟୁଟ୍ରିସନ୍ ବିଭାଗ ମୁଖ୍ୟ
ସମ୍ ଅଲ୍ଟିମେଟ୍ ହସ୍ପିଟାଲ