ଝାରପଡ଼ା ଜେଲ୍ ଷ୍ଟଲ୍‌ରେ କୋରାପୁଟ କଫି

ଭୁବନେଶ୍ବର: ଅଟା, ବେସନ, ହଳଦୀ, ସୋରିଷ ତେଲ, ମାଣ୍ଡିଆ ଚୁନା ପରେ ଏବେ ଝାରପଡ଼ା ଜେଲ ଷ୍ଟଲରେ ମିଳୁଛି କୋରାପୁଟ କଫି। ଆଜିଠାରୁ ଜେଲ ଷ୍ଟଲରେ କୋରାପୁଟ କଫି ଉପଲବ୍ଧ ହେବା ସହ ବିକ୍ରୟ ଆରମ୍ଭ ହୋଇଛି। ୨୫୦ ଗ୍ରାମ କଫିର ମୂଲ୍ୟ ୨୮୦ ଟଙ୍କା ରଖାଯାଇଛି। ଅନ୍ୟ ସାମଗ୍ରୀ ସହ ଏବେ ଲୋକେ କଫି ପାଇ ପାରିବେ ବୋଲି କହିଛନ୍ତି ଜେଲ୍ ଅଧୀକ୍ଷକ ଡି.ଏନ୍ ବାରିକ।
ଆଗକୁ ଓଡ଼ିଶାରେ ପ୍ରସ୍ତୁତ ହେଉଥିବା ଅନ୍ୟ ସାମଗ୍ରୀ ମଧ୍ୟ ବିକ୍ରୟ ପାଇଁ ରଖାଯିବ ବୋଲି ସୂଚନା ମିଳିଛି। ସୂଚନାଯୋଗ୍ୟ, ଅଟା, ହଳଦୀ, ବେସନ, ସୋରିଷ ତେଲ ଓ ମାଣ୍ଡିଆ ଚୁନା ପ୍ରୋସେସିଂ ୟୁନିଟ୍ ଜେଲ ପରିସରରେ ରହିଛି। ମହିଳା କଏଦୀମାନେ ଏହାକୁ ପ୍ରସ୍ତୁତ କରିବା ପରେ ପ୍ୟାକିଂ କରାଯାଉଛି। ଖୋଲା ଯାଇଥିବା ଷ୍ଟଲ୍‌ରେ ସର୍ବସାଧାରଣଙ୍କ ଲାଗି ଏହା ଉଦ୍ଦିଷ୍ଟ ରହିଛି। ଏବେ ସୁଦ୍ଧା ଏହି ଷ୍ଟଲ୍‌ରୁ ପ୍ରାୟ ୧ ଲକ୍ଷ ଟଙ୍କାର ସାମଗ୍ରୀ ବିକ୍ରି ହୋଇଥିବା ଜଣାପଡିଛି।

ଜେଲ୍ ଅଧୀକ୍ଷକ ଆହୁରି କହିଛନ୍ତି ଯେ ଆଗକୁ ମଧ୍ୟ କଏଦୀମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ଏପରି ପଦକ୍ଷେପ ନିଆଯିବ। ଏଥିରୁ ମିଳୁଥିବା ଲାଭାର୍ଥ କଏଦୀଙ୍କ ଉନ୍ନୟନ ଲାଗି ଖର୍ଚ୍ଚ କରାଯିବ। ସେହିପରି ଫୁଲ ଚାଷ ମଧ୍ୟ କରାଯାଉଛି। ଆଗକୁ ଛତୁ ଚାଷ କରାଯିବାର କାର୍ଯ୍ୟକ୍ରମ ରହିଛି। ଏହା ପୂର୍ବରୁ ତାଲିମ କାର୍ଯ୍ୟକ୍ରମ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିବା କଏଦୀମାନଙ୍କୁ ତାଲିମ ସାର୍ଟିଫିକେଟ୍ ମଧ୍ୟ ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର