ରାଜଧାନୀରେ କୋରାପୁଟ ଅଦାର ଚାହିଦା

ଭୁବନେଶ୍ବର: ରାଜଧାନୀରେ ରହିଛି କୋରାପୁଟ ଅଦାର ଚାହିଦା। ବ୍ୟାପକ ଉତ୍ପାଦନ ସତ୍ତ୍ବେ ଅଫ୍ ସିଜନରେ ଏହାର ଯୋଗାଣ ହୋଇ ପାରୁନଥିବାରୁ ମହାରାଷ୍ଟ୍ର, ବେଙ୍ଗାଲୁରୁ ଅଦା ବର୍ତ୍ତମାନ ରାଜଧାନୀ ବଜାରକୁ ପ୍ରବେଶ କରିଗଲାଣି। ରାଜ୍ୟରେ ଅଦାର ଉତ୍ପାଦନ ଭଲ ହେଉଥିଲେ ହେଁ ଉପଯୁକ୍ତ ମାର୍କେଟିଂ ଏବଂ ସଂରକ୍ଷଣ ବ୍ୟବସ୍ଥା ସହିତ ଚାଷୀଙ୍କୁ ଲାଭ ନମିଳିଲେ ଅନ୍ୟ ଫଳ ଏବଂ ପରିବା ଭଳି ବାହାର ରାଜ୍ୟର ଅଦା ରାଜଧାନୀ ସମେତ ସମଗ୍ର ଓଡ଼ିଶା ବଜାରକୁ କବ୍‌ଜା କରିନେବା ଆଶଙ୍କା କରିଛନ୍ତି ଉଭୟ ଚାଷୀ ଏବଂ କୃଷି ବିଶେଷଜ୍ଞ।

ଆଇଗିଣିଆ ପାଇକାରୀ ବ୍ୟବସାୟୀ ସଂଘର ସୂଚନା ଅନୁସାରେ, ଭୁବନେଶ୍ବରକୁ ପ୍ରାୟ ପ୍ରତିଦିନ ପ୍ରାୟ ୫୦ ଟନ୍‌ ଅଦାର ଚାହିଦା ଥାଏ। ପାଇକାରୀରେ ଏହାର ମୂଲ୍ୟ ୩୦ରୁ ୩୫ ଟଙ୍କା କିନ୍ତୁ ଖୁଚୁରା ଦର ୬୦ ଟଙ୍କାକୁ ଛୁଇଁଛି। ଅନ୍ୟଦିଗରେ ଓଡ଼ିଶା ୧୧୦ ହେକ୍ଟର ଜମିରେ ୧୭୬୯.୨ ମେଟ୍ରିକ ଟନ ଉତ୍ପାଦନ କରିଥାଏ। ପ୍ରତି ବର୍ଷ ଏହା ବୃଦ୍ଧି ପାଉଛି। ପଟାଙ୍ଗିରେ ଅଦା ଗବେଷଣା କେନ୍ଦ୍ର ରହିଛି। ଯେଉଁଠାରେ ତନ୍ତୁ ବିହୀନ ଅର୍ଥାତ ଚେର ନଥାଇ ସୁପ୍ରଭା, ସୁରୁଚି ନାମକ ଦୁଇଟି ସ୍ବତନ୍ତ୍ର ପ୍ରକାର ଅଦା ପ୍ରସ୍ତୁତ କରାଯାଇଥିଲା। ଗତବର୍ଷ ଅନଲାଇନରେ କୋରାପୁଟ କେନ୍ଦ୍ରରୁ ୭୦ ହଜାର କ୍ବିଣ୍ଟାଲ ଅଦା ଉତ୍ତରପ୍ରଦେଶକୁ ବିକ୍ରି ହୋଇଥିଲା।

ଖୁଚୁରା ଦର ଅଧିକ, ଚାଷୀଙ୍କୁ ମିଳୁନି ଲାଭ
ଉଚ୍ଚମାନର ଉତ୍ପାଦ, ମାର୍କେଟିଂ କି ଯୋଗାଣ ନାହିଁ

ଏଥିସହିତ ରାୟଗଡ଼ା, ଗଜପତି, କଳାହାଣ୍ଡି, ଫୁଲବାଣୀରେ ମୁଖ୍ୟତଃ ଅଦା ଚାଷ ହୋଇଥାଏ। ବର୍ଷ ତମାମ କେଜି ହିସାବରେ ଏହା ୪୦ରୁ ୧୪୦ ଟଙ୍କାରେ ବିକ୍ରି ହୁଏ। ବ୍ୟବସାୟୀ ଏକ ଚତୁର୍ଥାଂଶ ଦରରେ ଚାଷୀଙ୍କ ଠାରୁ କ୍ରୟ କରନ୍ତି। ମେ’, ଜୁନ ମାସରେ ଅଦା ପାଇଁ ମଞ୍ଜି ପୋତାଯାଇ ମାର୍ଚରେ ଏହାର ଉତ୍ପାଦନ ହୁଏ। ତେଣୁ ଖରା ଦିନରେ ଓଡ଼ିଶା ଅଦା ବଜାରକୁ ଆସିପାରେ ନାହିଁ। ଯାହାର ଫାଇଦା ବର୍ତ୍ତମାନ ମହାରାଷ୍ଟ୍ର, ବେଙ୍ଗାଲୁରୁ ଅଦା ନେବାକୁ ବସିଥିବା କହିଛନ୍ତି ଆଇଗିଣିଆ ବଜାରର ହୋଲସେଲ ବ୍ୟବସାୟୀ ଶକ୍ତି ମିଶ୍ର। ଉଦ୍ୟାନ କୃଷି ବିଶେଷଜ୍ଞଙ୍କ ଅନୁସାରେ, ଏହା ୧୧ ମାସିଆ ଫସଲ ହୋଇଥିବାରୁ ବର୍ଷରେ ଗୋଟିଏ ଥର ହୁଏ। କେବଳ ମେ’ ମାସରେ ଏହା କରାନଯାଇ ଏପ୍ରିଲ, ମେ’ ଏବଂ ଜୁନ ମାସରେ ତିନୋଟି ପର୍ଯ୍ୟାୟରେ କରାଗଲେ ଉତ୍ପାଦନ ମଧ୍ୟ ମାର୍ଚ, ଏପ୍ରିଲ ଏବଂ ମେ’ ମାସ ପର୍ଯ୍ୟନ୍ତ ଆସିପାରିବ ବୋଲି କୁହାଯାଏ। ଏପରିକି କିଛି ବିଶେଷଜ୍ଞଙ୍କ ଅନୁସାରେ, ଫୁଲବାଣୀ, କୋରାପୁଟ ଅଦା ଏତେ ଉଚ୍ଚମାନର ଯେ ମିଲେଟ ମିସନ ଢାଞ୍ଚାରେ ଏହାର ଏକ ସ୍ବତନ୍ତ୍ର ବ୍ରାଣ୍ଡ ତିଆରି ହୋଇ ପାରିବ। ମାତ୍ର ଏହା ହୋଇ ପାରୁ ନାହିଁ। ବରଂ ଯେଉଁ ବଜାର ରହିଛି ସେହି ବଜାର ମଧ୍ୟ ହାତଛଡ଼ା ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର