ପିତାପଲ୍ଲୀ ଆଡ଼ାରୁ କିରାସିନି ଜବତ, ୧୫ ବ୍ୟାରେଲ୍‌ରୁ ମିଳିଲା ୭୫୦ ଲିଟର

ଭୁବନେଶ୍ବର : ମାତ୍ର ୬ ଦିନର ବ୍ୟବଧାନ ପରେ ପୁଣି ପିତାପଲ୍ଲୀ ଚୋରା କିରାସିନି ଆଡ଼ାରୁ ବିପୁଳ କିରାସିନି ଜବତ ହୋଇଛି। ଶୁକ୍ରବାର କମିସନରେଟ୍‌ ପୁଲିସ ୧୬ ନମ୍ବର ଜାତୀୟ ରାଜପଥ ପିତାପଲ୍ଲୀ ଛକ ସ୍ଥିତ ଓଡ଼ିଶା ଢାବା ପଛରେ ଚଢ଼ଉ କରି ପ୍ରାୟ ୭୫୦ ଲିଟର ଚୋରା କିରାସିନି ଜବତ କରିଛି। କିନ୍ତୁ ଚଢ଼ଉ ପୂର୍ବରୁ ମାଫିଆମାନେ ଚମ୍ପଟ ମାରିବାରେ ସକ୍ଷମ ହୋଇଛନ୍ତି।

ଗତ ୧୯ ତାରିଖରେ ଉପରୋକ୍ତ ଛକ ନିକଟ ଏକ ପରିତ୍ୟକ୍ତ ଆଜ୍‌ବେଷ୍ଟସ୍‌ ଘରେ ଜଟଣୀ ଥାନା ପୁଲିସ ଚଢ଼ଉ କରିଥିଲା। ଉକ୍ତ ଘରୁ ଓ ନିକଟସ୍ଥ ଏକ ବାଡ଼ିରୁ ପୁଲିସ ୩୨ଟି ବଡ଼ ବ୍ୟାରେଲ୍‌ ଓ ୧୬ଟି ଜେରିକେନ୍‌ ଭର୍ତ୍ତି ପ୍ରାୟ ୭ ହଜାର ଲିଟର କିରାସିନି ଜବତ କରିଥିଲା। ଦୀର୍ଘ ଦିନ ଧରି ଉକ୍ତ ଛକରେ ଗୁପ୍ତ ଆଡ଼ା କରି ମଙ୍ଗୁଳି ସ୍ବାଇଁ, ଶୁକୁରି ସ୍ବାଇଁ ଓ ଚକରା ସ୍ବାଇଁ କିରାସିନି କଳା କାରବାର କରୁଛନ୍ତି ବୋଲି ଖବର ପାଇ ପୁଲିସ ଚଢ଼ଉ କରିଥିଲା। କିନ୍ତୁ ସେଦିନ କେବଳ ମଙ୍ଗୁଳି ଧରାପଡ଼ିଥିଲା ଓ ଅନ୍ୟ ଦୁଇ ଜଣ ଫେରାର୍ ହୋଇଯାଇଥିଲେ। ଆଜି ଅନୁରୂପ ଖବର ପାଇ ପୁଲିସ ପୁଣି ଓଡ଼ିଶା ଢାବା ପଛ ଏକ ଜଂଗଲିଆ ସ୍ଥାନରେ ଚଢ଼ଉ କରି ୧୫ଟି କିରାସିନି ଭର୍ତ୍ତି ପ୍ଲାଷ୍ଟିକ୍ ବ୍ୟାରେଲ୍‌ ଠାବ କରିଥିଲା। ସବୁ ବ୍ୟାରେଲ୍‌ରେ ପ୍ରାୟ ୫୦ ଲିଟର କିରାସିନି ଥିବା ଜଣାପଡ଼ିଛି। ଜବତ କିରାସିନି ସାଧାରଣ ବଣ୍ଟନ ବ୍ୟବସ୍ଥା(ପିଡିଏସ୍‌) ମାଲ୍ ହୋଇଥିଲେ ବି ମାଫିଆମାନେ କେଉଁଠାରୁ ଏହା ପାଉଛନ୍ତି, ତାହା ଜଣାପଡ଼ିନାହିଁ। ପୁଲିସ ତଦନ୍ତ ଜାରି ରହିଛି।

ସମ୍ବନ୍ଧିତ ଖବର