କୋଶଲଟାଇମ୍‌ ପକ୍ଷରୁ ନବକୃଷ୍ଣ ଚୌଧୁରୀ ଜୟନ୍ତୀ

ଭୁବନେଶ୍ୱର: ବରଗଡ଼ରୁ ପ୍ରକାଶିତ ପାକ୍ଷିକ ପତ୍ରିକା ‘କୋଶଲଟାଇମ’ ପକ୍ଷରୁ ୧୧୭ତମ ନବକୃଷ୍ଣ ଚୌଧୁରୀ ଜୟନ୍ତୀ ଓ ସମ୍ବର୍ଦ୍ଧନା ସମାରୋହ ଇଡ୍‌କଲ୍‌ ଅଡିଟୋରିୟମରେ ପାଳିତ ହୋଇଯାଇଛି। ସମ୍ପାଦକ ସଞ୍ଜୀବ ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଲେ, ନବକୃଷ୍ଣ ଚୌଧୁରୀଙ୍କ ପରି ମୁଖ୍ୟମନ୍ତ୍ରୀ ବିରଳ। ସେ ଗରିବ ଓ ଚାଷୀଙ୍କ ହକ୍‌ ପାଇଁ ଲଢ଼େଇ କରୁଥିଲେ। ସେ ଥିଲେ ସ୍ବାଭିମାନର ପ୍ରତୀକ। ତାଙ୍କ ସଚ୍ଚୋଟତା, ନିଷ୍ଠାପରତା ଓ ପରୋପକାର ମନୋଭାବ ସମସ୍ତଙ୍କୁ ପ୍ରେରଣା ଯୋଗାଇବ ବୋଲି ମନ୍ତ୍ରୀ ଶ୍ରୀ ସାମଲ କହିଥିଲେ। ସେହିପରି ଉତ୍ସବରେ ସମ୍ମାନିତ ଅତିଥିଭାବେ ରାଜ୍ୟସଭା ସାଂସଦ ତଥା ପଦ୍ମବିଭୂଷଣ ରଘୁନାଥ ମହାପାତ୍ର, ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ, ‘ପ୍ରମେୟ’ର ସମ୍ପାଦକ ଗୋପାଳକୃଷ୍ଣ ମହାପାତ୍ର ଏବଂ ‘ସମାଜ’ର ପ୍ରକାଶକ ଓ ମୁଦ୍ରକ ନିରଞ୍ଜନ ରଥ ଯୋଗଦେଇ କହିଥିଲେ, ସମାଜବାଦୀ ଚିନ୍ତାଧାରା ଓ ସ୍ବାଧୀନତା ଆନ୍ଦୋଳନରେ ସ୍ବର୍ଗତ ଚୌଧୁରୀଙ୍କ ଭୂମିକା ଚିରସ୍ମରଣୀୟ। ଏହି ଅବସରରେ ‘ପ୍ରତିଭା-ପୂଜା’ କାର୍ଯ୍ୟକ୍ରମରେ ଅତିଥିମାନଙ୍କୁ ସମ୍ବର୍ଧିତ କରାଯାଇଥିଲା। ସେହିପରି ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲାର ୩୦ ଜଣ ପ୍ରତିଭା ଓ ୧୨ଜଣ ସଂଗୀତ ପ୍ରତିଭାଙ୍କୁ ସମ୍ମାନିତ କରାଯାଇଥିଲା। ଏହାଛଡ଼ା ‘କୋଶଲଟାଇମ୍‌’ ପକ୍ଷରୁ ଅନୁଷ୍ଠିତ ପ୍ରବନ୍ଧ ପ୍ରତିଯୋଗିତାର ୧୨ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଶିକ୍ଷୟିତ୍ରୀ ପ୍ରବାସିନୀ ହୋତା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ‌ ପ୍ରାଧ୍ୟାପକ ରାଜେନ୍ଦ୍ର ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ। ପରେ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର