ଚାଷୀଙ୍କ ୭୦ ଲକ୍ଷର ଋଣ ଚଳୁ, କୋଟାକ୍‌ ମହିନ୍ଦ୍ରା ବ୍ୟାଙ୍କ୍‌ ଡେପୁଟି ମ୍ୟାନେଜର୍ ଗିରଫ

ଭୁବନେଶ୍ବରରୁ ଉଠାଇନେଲା ଛତିଶଗଡ଼ ପୁଲିସ

ଭୁବନେଶ୍ବର : ଚାଷୀଙ୍କ ନାଁରେ ଋଣ ମଞ୍ଜୁର କରି ପ୍ରାୟ ୭୦ ଲକ୍ଷ ଟଙ୍କାକୁ ଆତ୍ମସାତ୍ କରିଥିବା ଅଭିଯୋଗରେ ଆଜି ଛତିଶଗଡ଼ ପୁଲିସ ଭୁବନେଶ୍ବର ନୂଆପଲ୍ଲୀସ୍ଥିତ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ୍‌ର ଡେପୁଟି ମ୍ୟାନେଜର ପ୍ରବୋଧ ଦାଶଙ୍କୁ ଗିରଫ କରିଛି। ଭୁବନେଶ୍ବର ଏସ୍‌ଡିଜିଏମ୍‌ କୋର୍ଟରେ ତାଙ୍କୁ ହାଜର କରାଇବା ପରେ ଛତିଶଗଡ଼ ବିଳାସପୁର ପୁଲିସ ତାଙ୍କୁ ଟ୍ରାନ୍‌ଜିଟ୍‌ ରିମାଣ୍ଡରେ ନେଇଛି। ଜଣେ ରାଇସ୍‌ ମିଲ୍‌ ମାଲିକଙ୍କ ସହ ମିଶି ଅଭିଯୁକ୍ତ ପ୍ରବୋଧ ଚାଷୀଙ୍କ ଋଣ ଟଙ୍କା ଚଳୁ କରିଥିବା ନେଇ ୬ଟି ଅଭିଯୋଗ ହୋଇଛି।

ସୂଚନାନୁସାରେ ୬ ବର୍ଷ ପୂର୍ବେ ଅଭିଯୁକ୍ତ ପ୍ରବୋଧ ବିଳାସପୁରରେ ଆକ୍ସିସ୍‌ ବ୍ୟାଙ୍କରେ ଡେପୁଟି ମ୍ୟାନେଜର ଥିଲେ। ପାରାଦ୍ବୀପ ଅଞ୍ଚଳର ରାଇସ୍ ମିଲ୍ ମାଲିକ ହୀରାଲାଲ୍ କିଛି ଋଣ ପାଇଁ ଏହି ବ୍ୟାଙ୍କ୍‌ ସହ ଯୋଗାଯୋଗ କରିଥିଲେ। ସେତେବେଳେ ପ୍ରବୋଧଙ୍କ ସହ ହୀରାଲାଲ୍‌ଙ୍କ ପରିଚୟ ହୋଇଥିଲା। ଚାଷୀଙ୍କୁ ଋଣ ଦେବା ବ୍ୟବସ୍ଥା ଥିବାରୁ ପ୍ରବୋଧ କିଛି ଚାଷୀଙ୍କୁ ଯୋଗାଡ଼ କରିବାକୁ ହୀରାଲାଲ୍‌ଙ୍କୁ କହିଥିଲେ। ହୀରାଲାଲ୍ ୧୦ରୁ ଅଧିକ ଚାଷୀଙ୍କୁ ଯୋଗାଯୋଗ କରିଥିଲେ ଓ ସେମାନଙ୍କ ନାଁରେ ଉକ୍ତ ଶାଖାରେ ଆକାଉଣ୍ଟ୍‌ ଖୋଲାଯାଇଥିଲା। ସେମାନଙ୍କ ଜମି ବନ୍ଧକ ରଖି ବ୍ୟାଙ୍କ୍‌ରୁ ପ୍ରାୟ ୭୦ ଲକ୍ଷ ଟଙ୍କା ଋଣ ମଞ୍ଜୁର କରାଯାଇଥିଲା। ଚଞ୍ଚକତା କରି ପ୍ର ବୋଧ ଚାଷୀମାନଙ୍କଠାରୁ ଚେକ୍‌ରେ ମଧ୍ୟ ଦସ୍ତଖତ କରାଇ ନେଇଥିଲେ। ଋଣ ଟଙ୍କାତକ ଚଳୁ କରି ପ୍ରବୋଧ ଉକ୍ତ ବ୍ୟାଙ୍କ ଛାଡ଼ି ଦେଇଥିଲେ ଓ ପରେ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ୍‌ରେ ଯୋଗ ଦେଇଥିଲେ। ଚାଷୀମାନେ ଋଣ ଟଙ୍କା ନପାଇ ବ୍ୟାଙ୍କ୍‌ ସହ ଯୋଗାଯୋଗ କରିବାରୁ ଏହି ଠକାମି ବାବଦରେ ଜଣାପଡ଼ିଥିଲା। ତେଣୁ ଉଭୟ ବିଳାସପୁର ବ୍ୟାଙ୍କ୍‌ ଶାଖା ଓ ଚାଷୀଙ୍କ ପକ୍ଷରୁ ସ୍ଥାନୀୟ ସରକୋଣ୍ଡା ଥାନାରେ ଅଭିଯୋଗ ହୋଇଥିଲା। ଗତ ୫ଦିନ ତଳୁ ବିଳାସପୁର ପୁଲିସ ଭୁବନେଶ୍ବର ଆସି ଡେରା ପକାଇଥିଲା। ଆଜି ନୂଆପଲ୍ଲୀ ଥାନା ପୁଲିସ ସହଯୋଗରେ ବିଳାସପୁର ପୁଲିସ ପ୍ରବୋଧଙ୍କୁ ବ୍ୟାଙ୍କ ଶାଖାରୁ ଉଠାଇ ନେଇଥିଲା।

ସମ୍ବନ୍ଧିତ ଖବର