ଓଡ଼ିଆରେ ନିର୍ମିତ ହେବ କ୍ରିଷ୍ଣା-ଷ୍ଟୋରି ଅଫ୍‌ ଡ୍ୟାନ୍ସ

ପରଦାକୁ ଆସିବ ପ୍ରିନ୍‌ସ ଡ୍ୟାନ୍ସ ଗ୍ରୁପ୍‌ର କାହାଣୀ

ଭୁବନେଶ୍ୱର: ବ୍ରହ୍ମପୁରରର ନିପଟ ବସ୍ତିରୁ ମୁମ୍ବାଇର ଇଣ୍ଡିଆଜ୍‌ ଗଟ୍‌ ଟ୍ୟାଲେଣ୍ଟ୍‌ ମଞ୍ଚ। ଦିନେ ଯାହା କେହି ପରିକଳ୍ପନା କରିପାରୁନଥିଲେ ତାହାକୁ ଇତିହାସରରେ ରୂପାନ୍ତରିତ କରିଥିଲେ ଦିନ ମଜୁରିଆ ଶ୍ରେଣୀର କିଛି କଳାକାର। କଲର୍ସ ଚ୍ୟାନେଲ୍‌ରେ ୨୦୦୯ରେ ପ୍ରସାରିତ ବହୁ ଚର୍ଚିତ ଇଣ୍ଡିଆଜ୍‌ ଗଟ୍‌ ଟ୍ୟାଲେଣ୍ଟ୍‌ରେ ଅନେକ ଦକ୍ଷ ପ୍ରତିଯୋଗୀଙ୍କୁ ପଛରେ ପକାଇ ବିଜୟୀ ମୁକୁଟ ପିନ୍ଧିଥିଲେ ପ୍ରିନ୍‌ସ ଡ୍ୟାନ୍ସ୍‌ ଗ୍ରୁପ୍‌। ଓଡ଼ିଶାର କଳାଗାରିମାକୁ ଜାତୀୟ ଦୃଶ୍ୟପଟରେ ମନେ ପକେଇ ଦେଇ ସାରା ଓଡ଼ିଶାବାସୀଙ୍କ ଗେହ୍ଲାପୁଅ ପାଲଟିଯାଇଥିଲେ ଏହି କଳାକାରବୃନ୍ଦ। ଜିତିବାର ଝୁଙ୍କ୍‌ ଏବଂ ନିଷ୍ଠା ଥିଲେ ଯେ ବିଜୟ ସୁନିଶ୍ଚିତ ଏହା ପ୍ରମାଣିତ କରିଥିବା ପ୍ରିନ୍‌ସ ଡ୍ୟାନ୍ସ ଗ୍ରୁପ୍‌ର ଏହି ବିଜୟ ଯାତ୍ରାକୁ ବଡ଼ ପରଦାରେ ଦେଖିବାର ସୁଯୋଗ ପାଇବେ ଦର୍ଶକ। ଏହି ସତ କାହାଣୀକୁ ନେଇ ନିର୍ମିତ ହେବ ଚଳଚ୍ଚିତ୍ର। ୮ ବର୍ଷ ତଳର ସେଇ ସ୍ୱର୍ଣ୍ଣିମ ଅଧ୍ୟାୟକୁ ଚଳଚ୍ଚିତ୍ରରେ ରୂପାନ୍ତରିତ କରିବେ ପ୍ରିନ୍‌ସ ଡ୍ୟାନ୍ସ ଗ୍ରୁପ୍‌ର ଚର୍ଚିତ ଚେହେରା କ୍ରିଷ୍ଣା ରେଡ୍ଡି। ସେ ଚଳଚ୍ଚିତ୍ରର କାହାଣୀ, ଚିତ୍ରନାଟ୍ୟ ସହ ଏହାର ନିର୍ଦେଶନା ମଧ୍ୟ ଦେବେ।

ଚଳଚ୍ଚିତ୍ରର ନାଁ ରହିଛି ‘କ୍ରିଷ୍ଣା-ଷ୍ଟୋରି ଅଫ୍‌ ଡ୍ୟାନ୍ସ’। ସଂଘର୍ଷମୟ ନୃତ୍ୟ ଅଭିଯାନର ଅନେକ ବାସ୍ତବ କାହାଣୀର ଝଲକ ଏହି ଚଳଚ୍ଚିତ୍ରରେ ଦେଖିବାକୁ ମିଳିବ। ଓଡ଼ିଆ ଭାଷାରେ ଏହା ନିର୍ମିତ ହେବ। ଚଳଚ୍ଚିତ୍ରରେ କ୍ରିଷ୍ଣା ନିଜେ ନାୟକ ଭୂମିକାରେ ଅଭିନୟ କରିବେ। ତାଙ୍କ ସହ ନାୟିକା ଭୂମିକାରେ ରହିବେ ୨୦୧୪ରେ ମିସ୍‌ ଭାଇଜାଗ୍‌ ଦ୍ୱିତୀୟ ରନର୍ସଅପ୍‌ ହୋଇଥିବା ସୂର୍ଯ୍ୟମୟୀ ମହାପାତ୍ର। ଚଳଚ୍ଚିତ୍ରର ଅବଧି ୨ ଘଣ୍ଟା ୨୦ ମିନିଟ୍‌ ରହିଥିବା ବେଳେ ଇଣ୍ଡିଆଜ୍‌ ଗଟ୍‌ ଟ୍ୟାଲେଣ୍ଟ୍‌ ମଞ୍ଚ ପର୍ଯ୍ୟନ୍ତ ସଫଳ ଯାତ୍ରା ଫିଲ୍ମରେ ରୂପାନ୍ତରିତ ହେବ। ବସ୍ତିରେ ଉତ୍କଟ ଦାରିଦ୍ର୍ୟ ମଧ୍ୟରେ ନୃତ୍ୟ ଅଭ୍ୟାସଠୁ ଆରମ୍ଭ କରି ମୁମ୍ବାଇରେ ୧୨ ଦିନ କାଳ ସାକାନିକା ବସ୍ତିରେ ନୃତ୍ୟ ଅଭ୍ୟାସ କରି ମଞ୍ଚରେ ଇଣ୍ଡିଆଜ୍‌ ଗଟ୍‌ ଟ୍ୟାଲେଣ୍ଟ୍‌ ମୁକୁଟ ପିନ୍ଧିବାର ସଫଳ ଯାତ୍ରାକୁ ନେଇ ଫିଲ୍ମଟି ପ୍ରସ୍ତୁତ କରାଯିବ।

ପ୍ରିନ୍‌ସ ଡ୍ୟାନ୍ସ ଗ୍ରୁପ୍‌ର ମୁଖ୍ୟ କ୍ରିଷ୍ଣା ରେଡ୍ଡିଙ୍କ ସୂଚନା ମୁତାବକ, କଲର୍ସର ମଞ୍ଚ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ଯେଉଁ ନିଷ୍ଠା, ପରିଶ୍ରମ ଓ ଆଗ୍ରହର ସହ ଆମେ ଆଗକୁ ବଢ଼ିଥିଲୁ ତାହା କୌଣସି ଏକ ରୋମାଞ୍ଚକର କାହାଣୀଠୁ କମ୍‌ ନୁହେଁ। ତେଣୁ ଦର୍ଶକଙ୍କୁ ୨୦୦୯ ବେଳର ସେଇ ଅଭୁଲା ମୁହୂର୍ତକୁ ଫେରାଇ ନେବା ସହିତ ସେଦିନ କଲର୍ସର ମଞ୍ଚରେ ଯେଉଁ ପରଦା ପଛର ଦୁଃଖ ବୟାନ କରିଥିଲୁ ତାହା ଫିଲ୍ମରେ ଦେଖେଇବା ମୋ’ର ସ୍ୱପ୍ନ ଥିଲା। ତେଣୁ ଏଭଳି ଏକ ପରିକଳ୍ପନା କରିଛି ବୋଲି ସେ କହିଛନ୍ତି। ପ୍ରିନ୍‌ସ ଡ୍ୟାନ୍ସ ଗ୍ରୁପ୍‌ ବ୍ୟାନରରେ ଏହା ନିର୍ମିତ ହେବାକୁ ଯାଉଥିବା ବେଳେ କ୍ରିଷ୍ଣା ଜଣେ ଭଲ ପ୍ରଯୋଜକଙ୍କ ସନ୍ଧାନରେ ଅଛନ୍ତି। ଚଳଚ୍ଚିତ୍ରଟି ବ୍ରହ୍ମପୁରର ଗୋପାଳପୁର, ଭୁବନେଶ୍ୱର ଏବଂ ମୁମ୍ବାଇର ସେଇ ସିକାନିକା ବସ୍ତିରେ ସୁଟିଂ କରାଯିବ। ଫିଲ୍ମର ବଜେଟ୍‌ ୬୦ରୁ ୭୦ ଲକ୍ଷ ଟଙ୍କା ରହିଛିି। ଏହି ଚଳଚ୍ଚିତ୍ରରେ ବନ୍ଦେ ଉତ୍କଳ ଜନନୀ ଓ ବନ୍ଦେ ମାତରମ୍‌ ସମେତ ୬ଟି ଗୀତ ରହିବ। କଣ୍ଠଶିଳ୍ପୀ କ୍ରିଷ୍ଣା ବେଉରା, ଅନନ୍ୟା ଶ୍ରୀତମ ନନ୍ଦ ଏବଂ ହ୍ୟୁମାନ ସାଗର ପ୍ରମୁଖ କଣ୍ଠଦାନ କରିବେ। କୁମାରଶ୍ରୀ ସାହୁ ଗୀତ ରଚନା କରିଥିବା ବେଳେ ଏହି ଚଳଚ୍ଚିତ୍ରରେ ସେହି ବିଜୟୀ ବେଳର ୨୬ ଜଣ କଳାକାରଙ୍କ ମଧ୍ୟରୁ ଅନେକ ଅଭିନୟ କରିବେ। ୪୫ ଜଣ କଳାକାରଙ୍କୁ ଚଳଚ୍ଚିତ୍ରରେ ଦେଖିବାକୁ ମିଳିବ। ଚଳଚ୍ଚିତ୍ରର ସୁଟିଂ ୧ ସପ୍ତାହ ମଧ୍ୟରେ ଆରମ୍ଭ ହେବ। ସମ୍ଭବତଃ ୨୦୧୮ରେ ଚଳଚ୍ଚିତ୍ରଟି ମୁକ୍ତିଲାଭ କରିବ ବୋଲି ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର