କ୍ରିଷ୍ଣା ମହାନ୍ତିଙ୍କୁ ଜୟକିରଣ ସମ୍ମାନ

ଭୁବନେଶ୍ବର : ବିଶିଷ୍ଟ ସମାଜସେବୀ କ୍ରିଷ୍ଣା ମହାନ୍ତିଙ୍କୁ ଜୟକିରଣ ସମ୍ମାନ ପ୍ରଦାନ କରାଯାଇଛି। ଜୟକିରଣ ଟ୍ରଷ୍ଟ୍‌ ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ବର୍ଣ୍ଣାଢ଼୍ୟ ଉତ୍ସବରେ ୨୦ ହଜାର ଟଙ୍କାର ଅର୍ଥରାଶି ସହ ମାନପତ୍ର ଓ ଫଳକ ଦେଇ ତାଙ୍କୁ ସମ୍ବର୍ଧିତ କରାଯାଇଛି। ପ୍ରାକ୍ତନ ମନ୍ତ୍ରୀ ବିଜୟ ମହାପାତ୍ର ଉଦ୍‌ଘାଟକ ଏବଂ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଂଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ସମ୍ମାନ ପ୍ରଦାନ କରିଥିଲେ। ଅନୁଷ୍ଠାନର ସଭା‌ପତି ଶାଶ୍ବତୀ ବଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପୂଜ୍ୟପୂଜା ଉତ୍ସବରେ ଓଡ଼ିଶୀ ସଂଗୀତ ଗୁରୁ ରାମହରି ଦାସଙ୍କୁ ଗୁରୁ ଗୋପାଳଚନ୍ଦ୍ର ପଣ୍ଡା ସମ୍ମାନ ଏବଂ ଓଡ଼ିଶୀ ନୃତ୍ୟ ଗୁରୁ ନିରଂଜନ ରାଉତଙ୍କୁ ଗୁରୁ ଗଙ୍ଗାଧର ପ୍ରଧାନ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା। ଉଭୟଙ୍କୁ ୧୦ ହଜାର ଟଙ୍କା ପୁରସ୍କାର ରାଶି ସହ ପୁରସ୍କୃତ କରାଯାଇଥିଲା।

ପ୍ରାକ୍ତନ ମନ୍ତ୍ରୀ ବିଜୟ ମହାପାତ୍ର କହିଲେ, କିଛି ମୁଷ୍ଟିମେୟ ବ୍ୟକ୍ତିଙ୍କ ହୀନ ଉଦ୍ୟମ, ବ୍ୟକ୍ତିଗତ ସ୍ବାର୍ଥ ଏବଂ ସଂକୀର୍ଣ୍ଣ ରାଜନୈତିକ ଭାବନା ଭବିଷ୍ୟତ ପାଇଁ ବିପଦର କାରଣ ସାଜିବାକୁ ଯାଉଛି। ଏହାକୁ ରୋକିବା ପାଇଁ ସାମୂହିକ ଉଦ୍ୟମର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ। ପିସିସି ସଭାପତି ନିରଂଜନ ପଟ୍ଟନାୟକ କହିଲେ, ଆଦର୍ଶ, ସେବା ଓ ତ୍ୟାଗ ବିନା ଏକ ଉନ୍ନତ ଦେଶରେ ସୁସ୍ଥ ସମାଜର ପରିକଳ୍ପନା କରାଯାଇପାରେନା। ତ୍ୟାଗ ଓ ଆଦର୍ଶକୁ ଜଳାଞ୍ଜଳି ଦେଇ ସମସ୍ତେ କେମିତି କ’ଣ ଭୋଗ କରିବେ ସେଇ ଚିନ୍ତାରେ ଲାଗିଛନ୍ତି। ବାସ୍ତବରେ ସ୍ବାର୍ଥ ରହିଲେ ସମାଜ ସୁସ୍ଥ ହେବ ନାହିଁ ବୋଲି ସେ କହିଥିଲେ। ଟ୍ରଷ୍ଟର ସମ୍ପାଦିକା ସୁମିତ୍ରା ଜେନା କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ। ଶେଷରେ ସଦସ୍ୟ ପଦ୍ମାକର ଗୁରୁ ଧନ୍ୟବାଦ ଅର୍ପଣ କରିଥିଲେ। ପରେ ପଦ୍ମଶ୍ରୀ ଅରୁଣା ମହାନ୍ତିଙ୍କ ନୃତ୍ୟ ସଂଯୋଜନାରେ ନୃତ୍ୟ ନାଟିକା ‘ଅହିଂସା’ ପରିବେଷିତ ହୋଇଥିଲା। ଓଡ଼ିଶା ଡ୍ୟାନ୍ସ ଏକାଡେମିର ଶିଳ୍ପୀମାନେ ନୃତ୍ୟ ପରିବେଷଣ କରିଥିଲେ। ଇଂ ଶ୍ରୀନିବାସ ଘଟୁଆରୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର