ଭୁବନେଶ୍ବର: ସର୍ବ ସେବା ସଂଘ (ଅଖିଳ ଭାରତ ସର୍ବୋଦୟ ମଣ୍ଡଳ) ପକ୍ଷରୁ ୨୦୨୩ ବର୍ଷ ନିମନ୍ତେ ରାଷ୍ଟ୍ରୀୟ ଗାନ୍ଧୀ ପୁରସ୍କାର ଓଡ଼ିଶାର ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଏବଂ ସ୍ବାଧୀନତା ସଂଗ୍ରାମୀ ମାଳତି ଚୌଧୁରୀଙ୍କ ସୁକନ୍ୟା ବିଶିଷ୍ଟ ସର୍ବୋଦୟ ନେତ୍ରୀ କୃଷ୍ଣା ମହାନ୍ତିଙ୍କୁ ଅନୁଗୁଳସ୍ଥିତ ବାଜି ରାଉତ ଛାତ୍ରାବାସ ପରିସରରେ ପ୍ରଦାନ କରାଯାଇଛି। ଏହି ପୁରସ୍କାର ବାବଦରେ ଏକ ଲକ୍ଷ ଟଙ୍କାର ସମ୍ମାନ ରାଶି, ମାନପତ୍ର ତଥା ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ସହ ସେବାଗ୍ରାମ ଆଶ୍ରମରେ ପ୍ରାତଃଭ୍ରମଣରେ ଏକଦା ଯାଇଥିବା ବାଳିକା କୃଷ୍ଣାଙ୍କର ଏକ ତୈଳଚିତ୍ର ପ୍ରଦାନ କରାଯାଇଥିଲା।

Advertisment

ସମ୍ମାନ ସମାରୋହରେ ଅଧ୍ୟକ୍ଷତା କରି ସର୍ବ ସେବା ସଂଘର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚନ୍ଦନ ପାଲ କହିଛନ୍ତି, ଏହି ସମ୍ମାନ ଜରିଆରେ ସର୍ବୋଦୟ ପରିବାରକୁ ସମ୍ମାନିତ କରାଯାଇଛି। ସମ୍ମାନର ଉତ୍ତରରେ କୃଷ୍ଣା ମହାନ୍ତି କହିଛନ୍ତି, ଆଜି ଗଣତନ୍ତ୍ର ବିପଦରେ ପଡ଼ିଛି। ଦଳିତ, ମହିଳା ସମସ୍ତେ ଅତ୍ୟାଚାରର ଶିକାର ହେଉଛନ୍ତି, ସରକାର ମଦ ପ୍ରସାର ନୀତି ଆପଣେଇଛନ୍ତି, ଆଉ ଏ ଦେଶ କର୍ପୋରେଟ ଓ ଭ୍ରଷ୍ଟ ନେତାଙ୍କ ଦଖଲରେ ଥିବାବେଳେ ଗାନ୍ଧୀ ପୁରସ୍କାର ମୋ ପାଇଁ ଏକ ଆହ୍ୱାନ। ସଭାରେ ପରିବେଶବିତ୍‌ ପ୍ରଫୁଲ୍ଲ ସାମନ୍ତରା, ପଶ୍ଚିମ ଓଡ଼ିଶା କୃଷକ ସଂଗଠନର ଆବାହକ ଲିଙ୍ଗରାଜ, ନିୟମଗିରି ଆନ୍ଦୋଳନର ନେତା ଲିଙ୍ଗରାଜ ଆଜାଦ, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ସଭାପତି ଜଷ୍ଟିସ ମନୋରଞ୍ଜନ ମହାନ୍ତି, ମହମ୍ମଦ ଶେଖ ହୁସେନ, ଅବିନାଶ କାକଡେ, ଅରବିନ୍ଦ ଅଞ୍ଜୁମ, ଗୌରାଙ୍ଗ ମହାପାତ୍ର, ଅରବିନ୍ଦ କୁଶୱାହା, ମିହିର ପ୍ରତାପ ଦାସ, ଦେବ ପ୍ରସାଦ ରାୟ, ରମେଶ ବେହେରା, ପ୍ରଫେସର ଧନେଶ୍ୱର ସାହୁ, ପ୍ରଶାନ୍ତ ଦାସ, ରାମଚନ୍ଦ୍ର ଶୁକ୍ଳ, ଆର୍ଯ୍ୟଭଟ୍ଟ ମହାନ୍ତି, ଗୌରାଙ୍ଗ ରାଉତ, ପ୍ରମିଳା ରାଉତ, ସତ୍ୟାନାଦ ପ୍ରଧାନ, ମୁକ୍ତେଶ୍ୱର ପ୍ରଧାନ, ଶିଶିର ଶତପଥୀ, ଚୂଡ଼ାମଣି ସାହୁ, ଝରଣା ପଟ୍ଟନାୟକ, ବାସନ୍ତୀ ମହାନ୍ତି, ଆଦ୍ୟଶ୍ଳୋକ ମିଶ୍ର, ସୂର୍ଯ୍ୟ ନାରାୟଣ ନାଥ ପ୍ରମୁଖ ଦେଶର ଗଣତାନ୍ତ୍ରିକ ପରିସ୍ଥିତି ଓ ମହାତ୍ମା ଗାନ୍ଧୀ ଶୀର୍ଷକ ଆଲୋଚନାରେ ଭାଗ ନେଇଥିଲେ। ସର୍ବ ସେବା ସଂଘ ଆନ୍ଦୋଳନ ସମିତିର ସଂଯୋଜକ ଡାକ୍ତର ବିଶ୍ୱଜିତ ସଭା ସଂଚାଳନ କରିଥିଲେ।