କୃଷ୍ଣ ଗୋପାଳ ମହାପାତ୍ରଙ୍କ ଏକକ ଚିତ୍ରକଳା ପ୍ରଦର୍ଶନୀ

ଭୁବନେଶ୍ବର: ତୂଳୀ କହୁଥିଲା ପ୍ରକୃତିର ବଦାନ୍ୟତାର କଥା। ଧୀରେଧୀ‌ରେ ନଷ୍ଟ ହେବାରେ ଲାଗିଥିବା ପ୍ରକୃତିର ରଙ୍ଗରୂପ କାନ୍‌ଭାସ୍‌ରେ ଉତ୍ତୋଳିତ ହୋଇଥିଲା। ୩୩ଟି ଚିତ୍ରକଳାକୁ ନେଇ ଜୟଦେବ ଭବନଠାରେ ଆଜିଠାରୁ ଆରମ୍ଭ ହୋଇଥିବା ‘କୃଷ୍ଣ ଗୋପାଳ ମହାପାତ୍ରଙ୍କ ଏକକ ଚିତ୍ରକଳା ପ୍ରଦର୍ଶନୀ’ ପ୍ରକୃତି ରାଣୀକୁ ସୁରକ୍ଷିତ ରଖିବାର ବାର୍ତ୍ତା ବାଣ୍ଟୁଥିଲା। ଏହି ଦୁଇଦିନିଆ ଚିତ୍ରକଳା ପ୍ରଦର୍ଶନୀକୁ ରାଜ୍ୟସଭା ସାଂସଦ ତଥା ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଶ୍ରୀ ପଟ୍ଟନାୟକ କହିଲେ, ଶ୍ରୀ ମହାପାତ୍ର ହେଉଛନ୍ତି ଜଣେ ସୌଖୀନ କଳାକାର। କୌଣସି ଅନୁଷ୍ଠାନରୁ ତାଲିମ୍‌ ନେଇ ନୁହେଁ, ନିଜସ୍ବ ଉଦ୍ୟମରେ ସେ ନିଜ ପ୍ରତିଭାକୁ ଅଧିକରୁ ଅଧିକ ମାର୍ଜିତ କରିଛନ୍ତି। ନିଜ ଚିତ୍ରକଳା ପ୍ରଦର୍ଶନୀ ମାଧ୍ୟମରେ ସେ ଏକ ସମ୍ବେଦନଶୀଳ ପ୍ରସଙ୍ଗକୁ ସମସ୍ତଙ୍କ ଦୃଷ୍ଟିଗୋଚରକୁ ଆଣିଛନ୍ତି। ବର୍ତ୍ତମାନ ଆମେ ବିକାଶ ନାମରେ ପ୍ରକୃତି ମା’କୁ ନଷ୍ଟ କରିଦେବାକୁ ଆଦୌ ସଂକୋଚ କରୁନାହେଁ। ବିକାଶ ପଛରେ ଦୌଡ଼ି ଦୌଡ଼ି ଆମେ କ’ଣ ହରାଇବାକୁ ଯାଉଛେ, ଶ୍ରୀ ମହାପାତ୍ରଙ୍କ ଏହି ଚିତ୍ରକଳା ସବୁ ଦେଖିବା ପରେ ନିହାତି ଭାବେ ଜାଣିପାରିବା ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ଚିତ୍ରଶିଳ୍ପୀ ଶ୍ରୀ ମହାପାତ୍ର ଏହି ଅବସରରେ କହିଲେ, ଜଣେ ପ୍ରଶାସକ ଭାବେ କାର୍ଯ୍ୟରତ ଥିଲେ ବି ପିଲାଟି ଦିନୁ ପ୍ରକୃତି ପ୍ରତି ମୋର ଅହେତୁକ ଦୁର୍ବଳତା। କିନ୍ତୁ ମୋ ଜୀବଦଶା ମଧ୍ୟରେ ପ୍ରକୃତିର ଏହି ବିଗିଡ଼ି ଯାଉଥିବା ରୂପ ଦେଖି ମୁଁ ବିଚଳିତ। ଏଣୁ ଦର୍ଶକଙ୍କୁ କିଛି ବାର୍ତ୍ତା ଦେବା ପାଇଁ ଏହି ସବୁ ଚିତ୍ରକଳା ଆଙ୍କିଥିବା ସେ କହିଥିଲେ। ଏହି ପ୍ରଦର୍ଶନୀ ଶନିବାର ସଂଧ୍ୟା ୬ଟା ଯାଏଁ ଚାଲିବ।

ସମ୍ବନ୍ଧିତ ଖବର