ବିନା ପ୍ଲାନ୍‌ରେ ‘କୃଷି ଭବନ’

ଉଦ୍‌ଘାଟନ ବାତିଲ୍‌ ହେବା ପରେ ପ୍ଲାନ୍‌ ପାଇଁ ଆବେଦନ, କେଉଁଠୁ ବି ଏନ୍‌ଓସି ମିଳିନି

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ କୃଷି ଓ ସଶକ୍ତୀକରଣ ବିଭାଗ ସମେତ ଏହା ଅଧୀନସ୍ଥ ସମସ୍ତ ବିଭାଗକୁ ଗୋଟିଏ କୋଠାକୁ ଆଣିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ରବୀନ୍ଦ୍ର ମଣ୍ଡପରୁ ୧୨୦ ବାଟାଲିଅନ୍‌ ଛକ ମଧ୍ୟରେ କୃଷି ଭବନ ନିର୍ମାଣ ହୋଇଛି। ଏହି ଭବନର କଳାକୃତିକୁ ନେଇ ସବୁଠି ଚର୍ଚ୍ଚା। ସମ୍ବଲପୁରୀ ଇକ୍କତ ଢାଞ୍ଚାରେ ଏହି କୃଷି ଭବନ ନିର୍ମାଣ ହୋଇଥିବାରୁ ଏହା ଏବେ ରାଜଧାନୀର ଆକର୍ଷଣ ସାଜିଛି। କିନ୍ତୁ ଯେଉଁ ଅଧିକାରୀମାନେ ଏହି ବିଲ୍‌ଡିଂର ଡିଜାଇନ୍‌ ପ୍ରସ୍ତୁତ କରି ପ୍ରଶଂସା ସାଉଁଟିଲେ ଏବେ ସେମାନଙ୍କ ପାଇଁ ସରକାର ଅପଦସ୍ତ ହୋଇଛନ୍ତି। ବିନା ବିଡିଏ ପ୍ଲାନ୍‌ରେ କୃଷି ଭବନ ନିର୍ମାଣ ହୋଇଥିବାରୁ ଏବେ ଏହା ଉଦ୍‌ଘାଟନ ହୋଇପାରୁନି।

ପ୍ରାୟ ୮୦ ହଜାର ବର୍ଗଫୁଟ ଅଞ୍ଚଳରେ ନିର୍ମାଣ ହୋଇଥିବା ଏହି କୃଷି ଭବନ ପାଇଁ ୨୦୧୩ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳାନ୍ୟାସ କରିଥିଲେ। ଏହାକୁ ସେପ୍ଟେମ୍ବର ୯ତାରିଖରେ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିବେ ବୋଲି ସ୍ଥିର ହୋଇଥିଲା। ଏପରିକି ମୁଖ୍ୟମନ୍ତ୍ରୀ ଏଥିପାଇଁ ସହମତି ଜଣାଇଥିଲେ। କିନ୍ତୁ ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ବିଲ୍‌ଡିଂ ପ୍ଲାନ୍‌ ଅନୁମୋଦନ ହୋଇଛି କି ନାହିଁ କୃଷି ବିଭାଗକୁ ରିପୋର୍ଟ ମାଗିବାରୁ ଜଣାପଡ଼ିଲା ଯେ, ଏନେଇ କର୍ତ୍ତୃପକ୍ଷ କିଛି ପ୍ଲାନ୍‌ ନେଇନାହାନ୍ତି। ବିନା ପ୍ଲାନ୍‌ରେ ଏହି ବିଲ୍‌ଡିଂ ନିର୍ମାଣ ହୋଇଛି। ଏହାପରେ ତୁରନ୍ତ ପ୍ଲାନ୍‌ ଅନୁମୋଦନ କରିବାକୁ କହିବାରୁ କୃଷି ବିଭାଗ ଏହି ବିଲ୍‌ଡିଂର ପ୍ଲାନ୍‌ ଅନୁମୋଦନ ପାଇଁ ବିଡିଏକୁ ପଠାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଏହି ବିଲ୍‌ଡିଂ ପ୍ଲାନ୍‌ ଅନୁମୋଦନ ହେଲେ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିବେ ବୋଲି କହିଥିବାରୁ କୃଷି ବିଭାଗ ପକ୍ଷରୁ ଜୋରଦାର୍‌ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥିପାଇଁ ତନାଘନା ଆରମ୍ଭ ହୋଇଛି।

କୃଷି ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ, ବିଡିଏ ସିନା ପ୍ଲାନ୍‌ ଅନୁମୋଦନ କରିଦେବ ହେଲେ ଏହି ବିଲ୍‌ଡିଂ ପାଇଁ ଅଗ୍ନିଶମ ବିଭାଗର ଏନ୍‌ଓସି ମିଳିନି, ବିଏମ୍‌ସି ଅଞ୍ଚଳରେ ନିର୍ମାଣ ହୋଇଥିଲେ ହେଁ ବିଏମ୍‌ସିରୁ ଏନ୍‌ଓସି ଆସିନି, ବିମାନବନ୍ଦର କର୍ତ୍ତୃପକ୍ଷ, ଏଏସ୍‌ଆଇ ଏହିଭଳି କୌଣସି ସଂସ୍ଥାରୁ ଏନ୍‌ଓସି ମିଳିନି। ବିନା ଏନ୍‌ଓସିରେ ପ୍ଲାନ୍‌ କିପରି ଅନୁମୋଦନ ହେବ? ସେହିପରି କୃଷି ବିଭାଗ ଏହି ବିଲ୍‌ଡିଂ ନିର୍ମାଣ କାର୍ଯ୍ୟ ଇଡ୍‌କୋକୁ ଦେଇଥିବାବେଳେ ଏବେ ସମସ୍ତ ଦୋଷ ଇଡ୍‌କୋ ମୁଣ୍ଡରେ ଲଦିଛି। ଇଡ୍‌କୋକୁ ବିଲ୍‌ଡିଂର ନିର୍ମାଣ କାର୍ଯ୍ୟ ଦେବା ସମୟରେ ଏଥିରେ ପ୍ଲାନ୍‌ ଅନୁମୋଦନ କରିବା ପାଇଁ କୁହାଯାଇଥିଲା। କିନ୍ତୁ ଇଡ୍‌କୋ କର୍ତ୍ତୃପକ୍ଷ ପ୍ଲାନ୍‌ ଆଣିଲେନି କି କିଛି ଜଣାଇଲେନି। ଏବେ ପ୍ଲାନ୍‌ ନଥିବାରୁ ବିଲ୍‌ଡିଂ ଉଦ୍‌ଘାଟନ ହୋଇ ନପାରିବାରୁ କୃଷି ବିଭାଗ ସର୍ବକ୍ଷମା ଯୋଜନାରେ ପ୍ଲାନ୍‌ ଅନୁମୋଦନ କରିବାକୁ ଆବେଦନ କରିଛି।

ଏବେ ସର୍ବକ୍ଷମା ଯୋଜନାରେ ପ୍ଲାନ୍‌ ଅନୁମୋଦନ ପାଇଁ ଆବେଦନ ହୋଇଥିବାରୁ ପୂର୍ବରୁ ପ୍ଲାନ୍‌ ନେଲେ ଯେତିକି ଟଙ୍କା ଦେବାକୁ ପଡ଼ିଥାନ୍ତା ସେତିକି ବାଦ୍‌ ବହୁତ ଅଧିକ ଟଙ୍କା ଜରିମାନା ଆକାରରେ ଏବେ କୃଷି ବିଭାଗ ଗଣିବ। ଏବେ ପ୍ରଶ୍ନ ଉଠୁଛି କେତେ ଜଣ ଅଧିକାରୀଙ୍କ ଦୂରଦୃଷ୍ଟି ଅଭାବ ଏବଂ ଅପାରଗତା ଯୋଗୁଁ ଏବେ ଟିକସଦାତାଙ୍କ ଅର୍ଥକୁ ରାଜ୍ୟ ସରକାର ଜରିମାନା ହିସାବରେ ଗଣିବାକୁ ଯାଉଛନ୍ତି। ଯେଉଁ ଅଧିକାରୀଙ୍କ ଅବହେଳାରୁ ବିନା ପ୍ଲାନ୍‌ ଅନୁମୋଦନରେ କୃଷି ଭବନ ନିର୍ମାଣ ହେଲା ସେହି ଅଧିକାରୀଙ୍କଠାରୁ ଏହି ଅର୍ଥ ଆଦାୟ କାହିଁକି ହେବନି ବୋଲି ପ୍ରଶ୍ନ ଉଠିଛି।

ସୂଚନାଯୋଗ୍ୟ ଯେ, ରାଜଧାନୀରେ ସରକାରୀ ବିଲ୍‌ଡିଂ ନିର୍ମାଣ ହେବା ପୂର୍ବରୁ ବିଡିଏ କି ବିଏମ୍‌ସିରୁ ପ୍ଲାନ୍‌ ନନେବାକୁ ଯେପରି ସରକାରୀ ଅଧିକାରୀମାନେ ପଣ ନେଇଛନ୍ତି। ଏହାର ବଡ଼ ଉଦାହରଣ କମିସନରେଟ୍‌ ପୁଲିସ କାର୍ଯ୍ୟାଳୟ। ବିନା ପ୍ଲାନ୍‌ରେ ବିଲ୍‌ଡିଂ ନିର୍ମାଣ ହେଉଥିବାବେଳେ ସାଧାରଣ ଲୋକଙ୍କ ଟିକସ ଅର୍ଥକୁ ସରକାର ଜରିମାନା ଆକାରରେ ଗଣି ବିଲ୍‌ଡିଂ ପ୍ଲାନ୍‌ ଅନୁମୋଦନ କରୁଛନ୍ତି। କିନ୍ତୁ କେହି ସଚେତନ ହେଉନାହାନ୍ତି କି ସରକାର ଏଥିପାଇଁ କିଛି ଏସ୍‌ଓପି କରୁନାହାନ୍ତି।

ସମ୍ବନ୍ଧିତ ଖବର