ଭୁବନେଶ୍ବର: କିଛି ଦିନ ହେଲା ରାଜଧାନୀରେ ଆତଙ୍କ ଖେଳାଇଥିବା କେଟିଏମ୍‌ ଲୁଟେରା ଗ୍ୟାଙ୍ଗର ଦୁଇ ସଦସ୍ୟଙ୍କୁ ଆଜି ସହିଦନଗର ଥାନା ପୁଲିସ ଗିରଫ କରିଛି। ଆଜି ଆଇଡିବିଆଇ ଛକ, ପେଟ୍ରୋଲ ପମ୍ପ ନିକଟରେ ଲୁଟ୍ ମୋବାଇଲ ଫୋନ୍‌କୁ କମ ଦାମରେ ବିକ୍ରି ଉଦ୍ୟମ ବେଳେ ପୁଲିସ ହାତରେ ଧରା ପଡ଼ିଛନ୍ତି। ଦୁଇ ଅଭିଯୁକ୍ତ ହେଲେ କେଦାରପଲ୍ଲୀ ବସ୍ତିରେ ରହୁଥିବ‌ା କଟକ ତିଗିରିଆ ଅଞ୍ଚଳର ରାହୁଲ ନାୟକ(୩୦) ଓ ମ‌ା’ ମଙ୍ଗଳା ବସ୍ତିରେ ରହୁଥିବା‌ ଯାଜପୁର ବିଂଝାରପୁର ଅଞ୍ଚଳର ଚନ୍ଦନ ମଲ୍ଲିକ(୨୦)।

Advertisment

ସୂଚନାନୁସାରେ ଅଭିଯୁକ୍ତମାନେ ରାଜଧାନୀର ବିଭିନ୍ନ ଅଞ୍ଚଳରେ କେଟିଏମ୍ ବାଇକ୍‌ରେ ଆସି ଲୋକଙ୍କ ଠାରୁ ସୁନାଚେନ୍, ମୋବାଇଲ ‌ଆଦି ଛଡ଼ାଇ ନେଉଥିଲେ। ଗତ ଏକ ସପ୍ତାହ ମଧ୍ୟରେ ୧୦ରୁ ଅଧିକ ଅଭିଯୋଗ କମିସନରେଟ ପୁଲିସର ବିଭିନ୍ନ ଥାନାରେ ପଞ୍ଜୀକୃତ ହୋଇଥିଲ‌ା। ପ‌ାର୍ବଣ ପୂର୍ବରୁ ଏହି ଗ୍ୟାଙ୍ଗକୁ ଧରିବାକୁ କମିସନରେଟ ପୁଲିସ ନିକଟରେ ଏକ ପ୍ରକାର ଚ୍ୟାଲେଞ୍ଜ ଥିଲା। ଆଜି ସହିଦନଗର ଥାନାର ଏକ ଟିମ ପାଟ୍ରୋଲିଂ କରୁଥିବା ସମୟରେ ଦୁଇ ଅଭିଯୁକ୍ତ ଦୁଇଟି ଭିନ୍ନ ମୋଟର ସାଇକେଲରେ ଆସି ଆଇଡିବିଆଇ ଛକ ଅନ୍ତର୍ଗତ ପେଟ୍ରୋଲ ପମ୍ପ ନିକଟରେ ଚୋରା ମୋବାଇଲ ଫୋନକୁ କମ ଦାମରେ ବିକ୍ରି କରିବା ଲାଗି ଗ୍ରାହକଙ୍କ ସହିତ ଯୋଗାଯୋଗ କରୁଥିଲେ। ‌ପାଟ୍ରୋଲିଂ ଟିମ୍ ଘଟଣାସ୍ଥଳରେ ଚଢ଼ଉ କରି ଦୁଇ ଅଭିଯୁକ୍ତଙ୍କୁ କାବୁ କରିବା ସହିତ ଉଭୟଙ୍କ ନିକଟରୁ ୫ଟି ଚୋରା ମୋବାଇଲ ଫୋନ ଏବଂ ଗୋଟିଏ କେଟିଏମ୍‌ ବାଇକ ଓ ଗୋଟିଏ ପଲସର ବାଇକ ଜବତ କରିଥିଲା। ଅଭିଯୁକ୍ତ ରାହୁଲ ନାମରେ ପୂର୍ବରୁ କ୍ୟାପିଟାଲ ଥାନାରେ ୩ଟି ମାମଲା ରହିଥିବା ବେଳେ ଧଉଳି ଥାନାରେ ଗୋଟିଏ ମାମଲା ରହିଥିବା ତଦନ୍ତ ବେଳେ ଜଣାପଡିଛି। ସେହିପରି ଅଭିଯୁକ୍ତ ଚନ୍ଦନ ନାମରେ ମଧ୍ୟ କ୍ୟାପିଟାଲ ଥାନାରେ ଗୋଟିଏ ମାମଲା ରହିଛି।