୩୦ ବର୍ଷ ହେଲା ବର୍ଷକୁ ୯ମାସ ଶୁଖିଲା କୁଆଖାଇ, ଦୟା

ଭରସା ପୁରୀ କେନାଲ

ଭୁବନେଶ୍ବର : ଦୟା ଓ କୁଆଖାଇ ଏବେ ଶୁଖୁନି। ଏହି ଦୁଇଟି ନଦୀ ଗତ ୩୦ବର୍ଷ ହେଲା ଖରାଦିନେ ଶୁଖିଯାଉଛି। ବର୍ଷର ଅକ୍ଟୋବରରୁ ଜୁନ୍ ପର୍ଯ୍ୟନ୍ତ ୯ ମାସ ଏହି ଦୁଇ ନଦୀରୁ ପାଣି ଯୋଗାଇବା ଆହ୍ବାନପୂର୍ଣ୍ଣ ହୋଇଯାଉଛି। ବିଶେଷକରି ଗ୍ରୀଷ୍ମ ୪ମାସ ପଳାସୁଣି ଟ୍ରିଟମେଣ୍ଟ ପ୍ଲାଣ୍ଟରୁ ପାଣି ଯୋଗାଇବା ଅତ୍ୟନ୍ତ କଷ୍ଟକର ହୋଇପଡ଼ୁଛି। ଏଥିପାଇଁ ପୁରୀ କେନାଲ ଉପରେ ନିର୍ଭର କରିବାକୁ ପଡ଼ୁଛି। ପ୍ରାଚୀ ଡିଭିଜନ୍‌ କାନପୁର ବ୍ୟାରେଜ୍‌ ଖୋଲି କୁଆଖାଇରେ ପାଣି ଛାଡ଼ିଲେ ରାଜଧାନୀବାସୀ ପାଣି ପାଉଛନ୍ତି। ନଚେତ୍‌ ସହିଦନଗର, ସତ୍ୟନଗର, ବମିଖାଲ, ଜୟଦେବ ବିହାର, ଚନ୍ଦ୍ରଶେଖରପୁର, ନୂଆପଲ୍ଲୀ, ଆଚାର୍ଯ୍ୟ ବିହାର, ବାଣୀବିହାର, ରସୁଲଗଡ଼ ଆଦି ଅଞ୍ଚଳରେ ଜଳ ସଙ୍କଟ ଦେଖାଦେଉଛି। ଏହି ସମସ୍ୟାର ସମାଧାନ ପାଇଁ ୭ବର୍ଷ ତଳୁ ଯୋଜନା ହେଲାଣି। କୁଆଖାଇରେ ଏକ ଚେକ୍‌ ଡ୍ୟାମ୍‌ ନିର୍ମାଣ କରିବାକୁ ପ୍ରସ୍ତାବ ଦିଆଯାଇଛି। ଏନେଇ ବହୁ ସର୍ଭେ ସରିଲାଣି। କିନ୍ତୁ ଜଳସମ୍ପଦ ବିଭାଗ ଅଧିକାରୀ କ’ଣ କରୁଛନ୍ତି, କ’ଣ ନାହିଁ ଆମେ ଜାଣିପାରୁନୁ। କୁଆଖାଇ ଜଳସମ୍ପଦ ବିଭାଗ ଅଧୀନରେ ଥିବାରୁ ଏହି ଚେକ୍‌ ଡ୍ୟାମ୍‌ ନିର୍ମାଣ ନଗର ଉନ୍ନୟନ ବିଭାଗ କରିପାରିବନି। ତେଣୁ ଆମ ପ୍ରସ୍ତାବ କେବଳ ପ୍ରସ୍ତାବରେ ରହିଯାଇଛି।

ଉକ୍ତ ଅଧିକାରୀଙ୍କ ସୂଚନା ଅନୁଯାୟୀ, କୁଆଖାଇରେ ୪୨ଫୁଟ ରିଡ୍ୟୁସ୍‌ ଲେଭେଲ୍‌ (ସମୁଦ୍ର ପତ୍ତନରୁ ୪୨ଫୁଟ ଉଚ୍ଚ)ରେ ପାଣି ରହିଲେ ପାଣି ଯୋଗାଣରେ କିଛି ଅସୁବିଧା ହେବନି। ହେଲେ ଏହା ଅଧିକା˚ଶ ସମୟରେ ୩୬ଫୁଟରୁ ତଳକୁ ଖସି ଆସୁଥିବାରୁ ଫୁଟବଲ୍‌ ପାଣି ଉଠାଉନି। ଏଥିପାଇଁ ହାଇଟେକ୍‌ କଲେଜ ନିକଟରେ କୁଆଖାଇରେ ଏକ ଚେକ୍‌ ଡ୍ୟାମ୍‌ କରିବାକୁ ପ୍ରାଚୀ ଡିଭିଜନକୁ ୭ବର୍ଷ ତଳୁ କୁହାଯାଇଛି। ହେଲେ କେହି ଶୁଣୁନାହାନ୍ତି। ଫଳରେ କୁଆଖାଇରେ ଯେତିକି ପାଣି ଛଡ଼ାଯାଉଛି ତାହା ତଳମୁଣ୍ଡକୁ ବହି ଯାଉଥିବାରୁ କିଛି ଦିନ ପରେ ସମସ୍ୟା ଉପୁଜୁଛି। ଏପରିକି ପ୍ରତିବର୍ଷ ଅକ୍ଟୋବର ମାସ ପରେ ପ୍ରତି ୧୫ଦିନରେ ପୁରୀ କେନାଲର କାନପୁର ବ୍ୟାରେଜ୍‌ ନ ଖୋଲିଲେ ପଳାଶୁଣି ଟ୍ରିଟମେଣ୍ଟ ପ୍ଲାଣ୍ଟରୁ ପାଣି ଯୋଗାଇବା ସମ୍ଭବ ହେଉନି। ନଦୀରେ ୩୦୦ ମିଟର ଲମ୍ବା, ୧୦ଫୁଟ ଉଚ୍ଚତାରେ ବାଲି ବସ୍ତା ବନ୍ଧ କରି ପାଣି ଅଟକାଉଛୁ। ହେଲେ ଚେକ୍‌ ଡ୍ୟାମ୍‌ ନଥିବାରୁ ଅଧାରୁ ଅଧିକ ପାଣି ତଳମୁଣ୍ତକୁ ଖସିଯାଉଛି।

ଏବେ ଯେଉଁଭଳି ଖରା ହେଲାଣି, ନଦୀରେ ଯେଉଁଭଳି ପାଣି ଅଛି ତାହାକୁ ନଜରରେ ରଖି ଚଳିତବର୍ଷ କାନପୁର ବ୍ୟାରେଜ୍‌ ସବୁଦିନ ଖୋଲିବାକୁ ଆମେ ଚିଠି ଲେଖିବୁ ବୋଲି ଯୋଜନା କରୁଛୁ। ଏଥିରେ ଦୈନିକ ପ୍ରାୟ ୫୦ କ୍ୟୁସେକ୍‌ ପାଣି ଆସୁଛି। କିନ୍ତୁ ସବୁ ପାଣି ରଖି ହେଉନି। ଚେକ୍‌ ଡ୍ୟାମ୍‌ କଲେ ଏହି ସମସ୍ୟା ଉପୁଜନ୍ତାନି। ଏ ନେଇ ପ୍ରାଚୀ ଡିଭିଜନର ଜଣେ ବରିଷ୍ଠ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, କୁଆଖାଇରେ ଚେକ୍‌ ଡ୍ୟାମ୍‌ କରିବାକୁ ସର୍ଭେ ହୋଇଛି। ଜଳ ସମ୍ପଦ ମନ୍ତ୍ରଣାଳୟକୁ ଚିଠି ବି ଲେଖାଯାଇଛି। କିନ୍ତୁ କିଛି ଉତ୍ତର ମିଳୁନି। ଅର୍ଥ ମିଳିଲେ କୁଆଖାଇରେ ବ୍ୟାରେଜ୍ ହୋଇପାରିବ।

କାଠଯୋଡ଼ି ପାଣି କୁଆଖାଇକୁ ଆସିପାରୁନି
କେବଳ କୁଆଖାଇରେ ଚେକ୍‌ ଡ୍ୟାମ୍‌ ଜଳସଙ୍କଟର ସମସ୍ୟା ନୁହେଁ। କୁଆଖାଇକୁ କାଠଯୋଡ଼ି ପାଣି ଭଲ ଭାବେ ନ ଆସିବା ବି ଏହାର ଅନ୍ୟତମ କାରଣ। କୁଆଖାଇ କାଠଯୋଡ଼ିରୁ ବାହାରିଛି। ହେଲେ କାଠଯୋଡ଼ି ପାଣି କୁଆଖାଇକୁ ଅଧିକା˚ଶ ସମୟରେ ଆସୁନି। ଏହି ଦୁଇ ନଦୀର ସଂଯୋଗସ୍ଥଳ ନିକଟରେ କୁଆଖାଇ ପାର୍ଶ୍ବ ଉଚ୍ଚା ଥିବାରୁ କାଠଯୋଡ଼ି ପାଣି ଆସିପାରୁନି। ଏଠାରେ ପ୍ରାୟ ଅଧ କିମି ପର୍ଯ୍ୟନ୍ତ କୁଆଖାଇ କାଠଯୋଡ଼ି ପତନ ଠାରୁ ପ୍ରାୟ ୭ରୁ ୮ଫୁଟ ଉଚ୍ଚା ଅଛି। ଦୀର୍ଘ ୩୦ ବର୍ଷ ହେଲା ବାଲି ପୋତି ହୋଇ ରହିବା ପରେ ଏହି ସ୍ଥାନଟି ଉଚ୍ଚା ହୋଇଯାଇଛି। ତେଣୁ ବନ୍ୟା ସମୟରେ ଯାହା ପାଣି ଆସୁଛି। ଏହି ସ୍ଥାନରୁ ବାଲି ନିଷ୍କାସନ କରାଗଲେ କୁଆଖାଇ ସମସ୍ୟା କିଛି ମାତ୍ରାରେ ଦୂର ହୋଇପାରନ୍ତା। ସେହିପରି କାଠଯୋଡ଼ି ଯେଉଁ ସ୍ଥାନରେ ମହାନଦୀରୁ ବାହାରିଛି ସେଠାରେ କାଠଯୋଡ଼ି ବାଲିରେ ପୋତି ହୋଇ ଉଚ୍ଚା ହୋଇଯାଇଥିବାରୁ ମହାନଦୀ ପାଣି ବି ଆସୁନି। କାଠଯୋଡ଼ିରେ ଅଧିକ ପାଣି ନଥିବାରୁ କୁଆଖାଇ ଶୁଖିଲା ରହୁଛି। ଆଉ କୁଆଖାଇରେ ପାଣି ଭରିବା ପାଇଁ ପୁରୀ କେନାଲ ଉପରେ ନିର୍ଭର କରିବାକୁ ପଡ଼ୁଛି। କୁଆଖାଇ ଶୁଖିଲେ ଏହାର ପ୍ରଭାବ ଦୟା ନଦୀ ଉପରେ ପଡ଼ୁଛି। ଏହାଦ୍ବାରା ପୁରୁଣା ଭୁବନେଶ୍ବର, କଳ୍ପନା, ରବି ଟକିଜ୍‌, ଲକ୍ଷ୍ମୀସାଗର ଆଦି ଅଞ୍ଚଳରେ ଜଳ ସଙ୍କଟ ଦେଖାଯାଉଛି।

ସମ୍ବନ୍ଧିତ ଖବର