କୁଆଖାଇରେ ବୁଡ଼ି ଛାତ୍ର ମୃତ

ଭୁବନେଶ୍ୱର: କୁଆଖାଇ ନଦୀର ବଙ୍କୁଆଳ ଘାଟ ଗଣ୍ଡରେ ବୁଡ଼ି ଯାଇ ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କର ମୃତ୍ୟୁ ଘଟିଛି। ଓଡ଼ିଶା ଇଞ୍ଜିନିୟରିଂ କଲେଜ୍‌ରେ ବି-ଟେକ୍‌ ପଢ଼ୁଥିବା ଏହି ମୃତ ଛାତ୍ର ହେଉଛନ୍ତି କେନ୍ଦ୍ରାପଡ଼ା ମନକରପୁରର ମନୀନ୍ଦ୍ର ଖଟୁଆ। ଅନ୍ୟ ୫ ଜଣ ସାଙ୍ଗଙ୍କ ସହ ବଙ୍କୁଆଳ ଠାରେ ଗାଧୋଉଥିବା ବେଳେ ଏହି ଅଘଟଣ ଘଟିଛି। ଖବର ପାଇ ବାଲିଅନ୍ତା ଅଗ୍ନିଶମ ସେବା ସଂସ୍ଥାର କର୍ମଚାରୀମାନେ ମନୀନ୍ଦ୍ରଙ୍କୁ ଉଦ୍ଧାର କରିଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ସହିଦ ନଗର ପୁଲିସ ଶବ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଆସନ୍ତାକାଲି ବ୍ୟବଚ୍ଛେଦ ହେବା ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ପୁଲିସ କହିଛି। ଉଦ୍ଧାର କାର୍ଯ୍ୟରେ ବାଲିଅନ୍ତା ଫାୟାର ଷ୍ଟେସନ୍‌ର କର୍ମଚାରୀଙ୍କୁ ଭୁବନେଶ୍ବର ଷ୍ଟ୍ରାଇକିଂ ଫୋର୍ସ ସହଯୋଗ କରିଛନ୍ତି।

ସୂଚନାଯୋଗ୍ୟ ଯେ, ମନୀନ୍ଦ୍ର ଅନ୍ୟ ୫ ଜଣ ସାଙ୍ଗ କୈବଲ୍ୟ ବିଳାସ, ଅରବିନ୍ଦ ଦାସ, ମୀନକେତନ ବିଶ୍ବାଳ, ସିକନ୍ଦର କୁମାର ଓ ମାନସ ସାହୁଙ୍କ ସହ ବଙ୍କୁଆଳ ଭୋଜି କରିବା ପାଇଁ ଯାଇଥିଲେ। ନଈ କୂଳରେ ଭୋଜି ଖାଇବା ସାରି ପ୍ରାୟ ୩ଟା ବେଳେ ମନୀନ୍ଦ୍ରଙ୍କ ସହ ୪ ଜଣ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ। ଗାଧୋଉଥିବା ବେଳେ ମନୀନ୍ଦ୍ର ଗଣ୍ଡରେ ପଡ଼ି ଯାଇଥିଲେ। ପହଁରା ଶିଖି ନଥିବାରୁ ସେ ବୁଡ଼ି ଯାଇଥିଲେ। ଅନ୍ୟମାନେ ତାଙ୍କୁ ବଞ୍ଚାଇବା ପାଇଁ ଚାହିଥିଲେ ମଧ୍ୟ ପାରି ନଥିଲେ। ଉପରେ ଥିବା ଅନ୍ୟ ଦୁଇଜଣ ସାଙ୍ଗ ଅଗ୍ନିଶମ ସେବା ସଂସ୍ଥାକୁ ଖବର ଦେଇଥିଲେ। ଖବର ପାଇ ବାଲିଅନ୍ତା ଫାୟାର ଷ୍ଟେସନ୍‌ ଅଧିକାରୀ ଶ୍ରୀବତ୍ସ ବେହେରା ସଦଳବଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପ୍ରାୟ ଘଣ୍ଟାଏ ପରେ ସେମାନେ ଗଣ୍ଡରୁ ମନୀନ୍ଦ୍ରଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍‌ପିଟାଲ ନେଇଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ମୃତକଙ୍କ ମାମୁ ଙ୍କ ସମେତ ପରିବାରର ଅନ୍ୟମାନେ କ୍ୟାପିଟାଲ ହସ୍‌ପିଟାଲରେ ପହଞ୍ଚିଛନ୍ତି। ସେଠାରେ ଏକ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ଗତ ବର୍ଷ ଜୁଲାଇ ମାସରେ ଏହି ନଦୀରେ ବୁଡ଼ି ଦୁଇ ଜଣ ଛାତ୍ରଙ୍କର ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର