ଶବ ମାଗୁଛି ନ୍ୟାୟ : କୁଆଖାଇ ବ୍ରିଜ୍ ତଳୁ ଯୁବତୀଙ୍କ ମୃତଦେହ ମିଳିବା ଘଟଣାକୁ ୩ ବର୍ଷ ବିତିଲା

ଛତିଶଗଡ଼ ପୁଲିସ ପାରୁଛି, ଓଡ଼ିଶା କାହିଁକି...?

ଭୁବନେଶ୍ବର: ଫେବ୍ରୁଆରି ୧, ୨୦୧୭। ମଞ୍ଚେଶ୍ବର ଥାନା ଅଧୀନ କୁଆଖାଇ ନଦୀ ବ୍ରିଜ୍ ତଳୁ ଅଖା‌ରେ ଭର୍ତ୍ତି ମୃତଦେହ ମିଳିବା ପରେ ରାଜଧାନୀରେ ଚାଞ୍ଚଲ୍ୟ ଖେଳି ଯାଇଥିଲା। ଖବର ପାଇ ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ସହ ମିଶି ତଦନ୍ତ ଆରମ୍ଭ କଲା ପୁଲିସ। ଅଖା ଭିତରେ ଥିବା ଏୟାରବ୍ୟାଗ୍‌ରେ ରହିଥିଲା ମୃତ‌‌ଦେହ। ବ୍ୟାଗ୍ ଖୋଲାଯିବା ପରେ ମୃତଦେହଟି ଜଣେ ଯୁବତୀଙ୍କର ଥିଲା। ବୟସ ୨୦ରୁ ୨୫ବର୍ଷ ହେବ ବୋଲି ଅନୁମାନ କରାଯାଇଥିଲା। ବେଶଭୂଷା, ପୋଷାକରୁ ଯୁବତୀ ଜଣେ ସମ୍ଭ୍ରାନ୍ତ ଶ୍ରେଣୀ ପରିବାରର ବୋଲି ଅନୁମାନ କରାଯାଇଥିଲା। ପ୍ରଥମେ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ଏହା ଏକ ହତ୍ୟା ମାମଲା ବୋଲି ସ୍ପଷ୍ଟ ହୋଇଥିଲା। ଯୁବତୀଙ୍କ ମୁଣ୍ଡକୁ ଏକାଧିକଥର ଆଘାତ ଦିଆଯିବା ପରେ ତାଙ୍କର ମୃତ୍ୟୁ ହୋଇଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ସ୍ପଷ୍ଟ ହୋଇଥିଲା। ଏହା ପରେ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ପୁଲିସ। ରାଜ୍ୟ ସମେତ ରାଜ୍ୟ ବାହାରର ପୁଲିସ ସହ ଯୋଗାଯୋଗ ବି ହୋଇଥିଲା। କ୍ରାଇମବ୍ରା଼ଞ୍ଚ ହସ୍ତକ୍ଷେପ ବି ଲୋଡ଼ିଥିଲା କମିସନରେଟ୍ ପୁଲିସ। କିନ୍ତୁ ଯୁବତୀଙ୍କର ପରିଚୟ ମିଳି ନ ଥିଲା। ଏହି ମାମଲାକୁ ଏବେ ତିନି ବର୍ଷ ପୂରି ଯାଇଛି। କିନ୍ତୁ ଯୁବତୀଙ୍କ ପରିଚୟ ମିଳିପାରିନାହିଁ। ଏହି ମାମଲାରେ ଫେଲ୍ ମାରିଛି କମିସନରେଟ୍ ପୁଲିସ। ବର୍ଷ ପରେ ବର୍ଷ ଗଡ଼ି ଚାଲିଥିବା ବେଳେ ମାମଲାର ଫାଇଲ୍ ଏକପ୍ରକାର ବନ୍ଦ ହେବାକୁ ଯାଉଛି।

କେମିତି ଥିଲା ପୁଲିସର ତଦନ୍ତ
ଯୁବତୀଙ୍କ ମୃତଦେହ ମିଳିବା ପରେ ଖୋଳତାଡ଼ ଆରମ୍ଭ କରିଥିଲା ପୁଲିସ। ପରିଚୟ ଖୋଜିବା ହିଁ ପୁଲିସ ପାଇଁ ଥିଲା ସବୁଠୁ ବଡ଼ ଚାଲେଞ୍ଜ। ଯୁବତୀଙ୍କ ଫଟୋକୁ ମଞ୍ଚେଶ୍ବର ଥାନା ପୁଲିସ ରାଜ୍ୟର ସବୁ ଥାନାକୁ ଜାରି କରିଥିଲା। କ୍ରାଇମବ୍ରାଞ୍ଚର ସହାୟତା ବି ନେଇଥିଲା। ଏହି ଫଟୋକୁ କ୍ରାଇମବ୍ରାଞ୍ଚ ପଡ଼ୋଶୀ ରାଜ୍ୟ ପୁଲିସକୁ ଜାରି କରିଥିଲା। ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ସମ୍ବଲପୁର, ବ୍ରହ୍ମପୁର ସମେତ କେତେକ ଜିଲ୍ଲାରୁ ନିଖୋଜ ଯୁବତୀଙ୍କ ସମ୍ପର୍କୀୟ ବି ପହଞ୍ଚିଥିଲେ। କିନ୍ତୁ ମୃତଦେହକୁ କେହି ଚିହ୍ନଟ କରିପାରି ନଥିଲେ। ଏବେ ବି ପୁଲିସ ପାଇଁ ଅଜଣା ହୋଇରହିଛି ମୃତଦେହ। ମୃତଦେହର ଡିଏନ୍ଏ ପରୀକ୍ଷା ମଧ୍ୟ କରାଯାଇଛି। ଯଦି ଆଗକୁ କିଛି ସୁରାକ୍ ପୁଲିସ ହାତରେ ଲାଗେ, ତା’ ହେଲେ ମୃତଦେହ ଦାବିଦାର କରୁଥିବା ବ୍ୟକ୍ତିଙ୍କ ସହ ଡିଏନ୍ଏ ମ୍ୟାଚ୍ କରିବା ପାଇଁ ଚେଷ୍ଟା କରିବ ପୁଲିସ।

କ’ଣ ଥିଲା ସୁରାକ୍?
ଯୁବତୀଙ୍କ ମୃତଦେହର ପରିଚୟ ପାଇବା ଲାଗି ତନାଘନା ଆରମ୍ଭ କରିଥିଲା ପୁଲିସ। ପ୍ରଥମ ସୁରାକ୍ ଭାବେ ପୁଲିସ ହାତରେ ଲାଗିଥିଲା କାମଧେନୁ ଗୋ-ଖାଦ୍ୟ ଅଖା। ପୁଲିସ୍ ତଦନ୍ତ କରି ଜଗତପୁରରେ ଥିବା ସେହି ଗୋଖାଦ୍ୟ କମ୍ପାନିରେ ପହଞ୍ଚିଥିଲା। ସେଠାରେ ଖୋଳତାଡ଼ କରିଥିଲା। କିନ୍ତୁ ଗୋ-ଖାଦ୍ୟ ଅଖାରେ କୌଣସି ଲଟ୍ କିମ୍ବା ସିରିଏଲ୍ ନମ୍ବର ନ ଥିବାରୁ ସେହି ଅଖାଟି କେଉଁ ଅଞ୍ଚଳ କିମ୍ବା ଡିଲରଙ୍କ ପାଖକୁ ଯାଇଥିଲା, ତାହା ଜଣା ପଡ଼ି ନଥିଲା। ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳରେ କେତେକ ଯୁବତୀ ନିଖୋଜ ମାମଲାର ଖୋଳତାଡ଼ କରିଥିଲା ପୁଲିସ। କିନ୍ତୁ ପୁଲିସକୁ ସବୁଠି ନିରାଶ ହେବାକୁ ପଡ଼ିଥିଲା। ତଦନ୍ତ ଆଉ ଆଗକୁ ବଢ଼ି ପାରି ନଥିଲା। କିନ୍ତୁ ଯୁବତୀଙ୍କୁ ରାଜଧାନୀ କିମ୍ବା ଆଖପାଖ ଅଞ୍ଚଳରେ ହତ୍ୟା କରାଯାଇଥିବା ଏକପ୍ରକାର ସ୍ପଷ୍ଟ ହୋଇଥିଲା।

କ’ଣ ହୋଇଥାଇ ପାରେ କାରଣ?
କାରଣ ନଂ ୧
ପ୍ରେମ ସମ୍ପର୍କକୁ ନେଇ ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି ପ୍ରଥମେ ସନ୍ଦେହ କରିଥିଲା ପୁଲିସ। ଯୁବତୀଜଣଙ୍କ ଘରୁ କୌଣସି ଯୁବକଙ୍କ ସହ ପଳାଇ ଆସିଥିବା ଅନୁମାନ କରାଯାଇଥିଲା। ବିବାହକୁ ନେଇ ତିକ୍ତତା ହେବା ପରେ ଯୁବତୀଙ୍କୁ ତାଙ୍କ ପ୍ରେମିକ ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଇଥିଲା।
କାରଣ ନଂ ୨
ଯୁବତୀଙ୍କର କୌଣସି ବିବାହିତ ଯୁବକଙ୍କ ସହ ପରକୀୟା ପ୍ରୀତି ଥାଇପାରେ ବୋଲି ଅନୁମାନ କରିଥିଲା ପୁଲିସ। ଯୁବତୀ ବିବାହ ପାଇଁ ଜିଦ୍ ଧରିବାରୁ ସମ୍ପୃକ୍ତ ବିବାହିତ ଯୁବକ ଘଟଣା ଲୁଚାଇବାକୁ ଯାଇ ହତ୍ୟା କରିଥାଇ ପାରନ୍ତି।
କାରଣ ନଂ ୩
ଯୁବତୀଙ୍କୁ କେହି ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ ମଧ୍ୟ ପ୍ରକାଶ ପାଇଥିଲା।
କାରଣ ନଂ ୪
ଏହା ଏକ ଅନର୍‌ କିଲିଂ ମଧ୍ୟ ହୋଇଥାଇପାରେ। ନିଜ ଆଡ଼ୁ ଆଗ୍ରହ ପ୍ରକାଶ କରି କେହି ମୃତଦେହର ଦାବିଦାର ନ ଥିବାରୁ ଅନର୍‌ କିଲିଂ ବୋଲି ସନ୍ଦେହ କରାଯାଇଥିଲା। ଯୁବତୀଜଣଙ୍କ ଜଣେ ସମ୍ଭ୍ରାନ୍ତ ଶ୍ରେଣୀର ବୋଲି ପୋଷାକ ଓ ବେଶଭୂଷାରୁ ଜଣାପଡ଼ିଥିଲା। ହୁଏତ ଯୁବତୀଙ୍କର କାହା ସହ ସମ୍ପର୍କ ରହିଥିଲା ଓ ଏହା ପରିବାର ଲୋକଙ୍କୁ ପସନ୍ଦ ନ ଥିଲା।

ସମ୍ବନ୍ଧିତ ଖବର