ବାଲିଅନ୍ତା: ଭୁବନେଶ୍ୱର ତହସିଲ ଅଧୀନ କୁଆଖାଇ ନଦୀରେ କେଶୁରା ବାଲିଘାଟ ସୀମା ଚିହ୍ନଟ ହୋଇଛି। ଆଜି ପୂର୍ବାହ୍ନରେ ବାଲିଅନ୍ତା ତହସିଲ ପ୍ରଶାସନ ମାପଚୁପ କରି ନିଜ ରାଜସ୍ୱ ପରିସରଭୁକ୍ତ ସୀମାରେ ନାଲି ପତାକା ମାରିଛନ୍ତି। ଉକ୍ତ ଘାଟ ନିଲାମଧାରୀ ନିର୍ଧାରିତ ନିଲାମ ପରିସରଭୁକ୍ତ ସୀମାକୁ ଡେଇଁ ବେଆଇନ ଭାବେ ବାଲିଅନ୍ତା ସୀମା ଅଞ୍ଚଳରୁ ଶହଶହ ଟ୍ରିପ୍ ବାଲି ଉଠାଇ ନେଉଥିବା ସଂକ୍ରାନ୍ତରେ ଅଭିଯୋଗ ହୋଇଥିଲା। ଜନସାଧାରଣଙ୍କ ଅଭିଯୋଗକୁ ଆଧାର କରି ଆଜି ବାଲିଅନ୍ତା ତହସିଲଦାର ଅକ୍ଷୟ କୁମାର ରାଉତଙ୍କ ତତ୍ତ୍ୱାବଧାନରେ ଉକ୍ତ ନଦୀର ବିଭିନ୍ନ ସ୍ଥାନରେ ନାଲି ପତାକା ମାରି ରାଜସ୍ୱ ପରିସରଭୁକ୍ତ ଅଂଶ ଚିହ୍ନଟ ହୋଇଥିଲା। ବାଲିଅନ୍ତା ଥାନା ଅଧିକାରୀ ମନୋଜ କୁମାର ସ୍ୱାଇଁଙ୍କ ସହିତ ତହସିଲ ପ୍ରଶାସନର ଆର୍ଆଇ, ଅମିନ ଓ ସୁପରଭାଇଜର୍ ପ୍ରମୁଖ ସାମିଲ ଥିଲେ। ସେହିପରି ଭୁବନେଶ୍ୱର ତହସିଲ ପ୍ରଶାସନର ଅତିରିକ୍ତ ତହସିଲଦାର ପୁରନ୍ଦର ନନ୍ଦ, କମଳାକାନ୍ତ ବେହେରାଙ୍କ ସହିତ ଅନ୍ୟ କର୍ମଚାରୀ ଓ ସହିଦ ନଗର ଥାନା ପୁଲିସ ମଧ୍ୟ ଉପସ୍ଥିତ ଥିଲେ। ହେଲେ ପ୍ରାରମ୍ଭରେ ଭୁବନେଶ୍ୱର ତହସିଲ ପ୍ରଶାସନିକ ଅଧିକାରୀମାନେ ମାଇନିଂ ପ୍ଲାନ୍ର ବୈଷୟିକ ଅଧିକାରୀ ଆସି ନଥିବାର କହି ମାପକୁ ବନ୍ଦ କରିବା ପାଇଁ କହିବାରୁ ଘଟଣାସ୍ଥଳରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଅନ୍ୟପକ୍ଷରେ ଭୁବନେଶ୍ୱର ତହସିଲଦାର ଶୁଭେନ୍ଦୁ ସାହୁଙ୍କ ସୂଚନାନୁସାରେ କେଶୁରା ବାଲିଘାଟର ସୀମା ହେଉଛି ୩୮.୪ ଏକର। ୨୦୧୫/୧୬ ଆର୍ଥିକ ବର୍ଷରୁ ୫ ବର୍ଷିଆ ନିଲାମ ହୋଇଥିବା ଏହି ବାଲିଘାଟର ଶେଷ ସମୟ ଅବଧି ହେଉଛି ୨୦୨୦ ମସିହା। ବର୍ଷକୁ ୯୧ଲକ୍ଷ ଟଙ୍କା ରାଜସ୍ୱ ଦେୟ ଦେବାକୁ ସ୍ଥିର ହୋଇଥିବା ବେଳେ ଏଯାଏ ସଂପୃକ୍ତ ନିଲାମଧାରୀ ମାତ୍ର ୫୦ ଲକ୍ଷ ଟଙ୍କା ରାଜସ୍ୱ ବାବଦ ଅର୍ଥ ପୈଠ କରିଛନ୍ତି। ନିର୍ଦ୍ଧାରିତ ସୀମା ଉଲ୍ଲଙ୍ଘନ କରି ପୁନର୍ବାର ବାଲି ଚାଲାଣ ସଂପର୍କରେ ବାଲିଅନ୍ତା ତହସିଲଦାର ଶ୍ରୀ ରାଉତଙ୍କୁ ପଚାରିବାରେ ଚଢ଼ଉ ଜୋରଦାର ହେବ ବୋଲି କହିଛନ୍ତି। ଉପରୋକ୍ତ ବାଲିଘାଟ ନିଲାମ ଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି।
କୁଆଖାଇ ନଦୀରେ କେଶୁରା ବାଲିଘାଟ ସୀମା ଚିହ୍ନଟ
/sambad/media/post_attachments/wp-content/uploads/2018/07/balianta-kuakhai.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)