ପୂରିଲା କୁଆଖାଇ ଓ କୁଶଭଦ୍ରା

ବାଲିଅନ୍ତା: ଚଳିତ ବର୍ଷ ପ୍ରଥମ ଥର ପାଇଁ କୁଆଖାଇ ଓ କୁଶଭଦ୍ରା ନଦୀଦ୍ବୟରେ ବନ୍ୟାଜଳ ପ୍ରବାହିତ ହୋଇଛି। ପଠାକୁ ଛୁଇଁ ବନ୍ୟାଜଳ କୂଳ ଖାଇନଥିଲେ ମଧ୍ୟ ପୂରିଲା ନଦୀକୁ ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କ ପ୍ରବଳ ଆଗ୍ରହ ସୃଷ୍ଟି ହୋଇଛି। ତେଣୁ ବନ୍ୟାଜଳ ଦେଖିବା ପାଇଁ ଏବେ ମହାତ୍ମା ସେତୁ ଉପରେ ଜନଗହଳି ଦେଖାଯାଉଛି। ତେବେ ଆଜି ସକାଳେ ନଦୀଦ୍ବୟ ଯେମିତି ଭରପୂର ଥିଲା, ସଂଜବେଳକୁ ପ୍ରବାହିତ ଜଳର ପରିମାଣ ହ୍ରାସ ପାଇବାରୁ ଲୋକଙ୍କ ଉତ୍ସାହ କମିଯାଇଥିଲା।

ବାଲିଅନ୍ତା ବ୍ଲକ ଦେଇ ପ୍ରବାହିତ ଏହି ଦୁଇ ନଦୀ କୁଆଖାଇ ଓ କୁଶଭଦ୍ରାକୁ ମୁଣ୍ଡଳୀ ବ୍ୟାରେଜ୍‌ରୁ ଜଳ ପ୍ରବାହିତ ହୋଇଥାଏ। ବାଲିଅନ୍ତା କେନାଲ୍‌ ସବ୍‌ଡିଭିଜନର ସହକାରୀ ଯନ୍ତ୍ରୀ ଭୀମସେନ ମଙ୍ଗରାଜଙ୍କ ସୂଚନା ମୁତାବକ ମୁଣ୍ଡଳୀରେ ୫ ଲକ୍ଷ ୧୧ ହଜାର କ୍ୟୁସେକ୍‌ ବନ୍ୟାଜଳ ପ୍ରବାହିତ ହେଉଛି। ସେଥିରୁ ମାତ୍ର ୪୦ ପ୍ରତିଶତ କାଠଯୋଡ଼ି ନଦୀକୁ ଆସୁଛି। କାଠଯୋଡ଼ିରୁ କୁଆଖାଇ ନଦୀକୁ ୮୦ ହଜାର କ୍ୟୁସେକ୍‌ ଓ କୁଶଭଦ୍ରା ନଦୀକୁ ୧୦ ହଜାର କ୍ୟୁସେକ୍‌ ବନ୍ୟାଜଳ ପ୍ରବାହିତ ହେଉଛି। ତେବେ କମ୍ ଜଳ ହେଲେ ମଧ୍ୟ ବର୍ଷସାରା ଶୁଖିଲା ରହୁଥିବା କୁଶଭଦ୍ରା ନଦୀ ଏବେ ପୂରିଛି। ତେଣୁ ସ୍ଥାନୀୟ ଲୋକେ ଉତ୍ସାହିତ ହୋଇପଡ଼ିଛନ୍ତି। ସ୍ଥାନୀୟ ‌ଲୋକ ଖେପାଜାଲ, ପୋଳୁହ ଓ ଫାସିଜାଲ ଟାଣି ନଦୀରୁ ମାଛ ଧରିବାରେ ଲାଗିପଡ଼ିଛନ୍ତି।

ସମ୍ବନ୍ଧିତ ଖବର