କାଳ ସାଜିଛି କୁଆଖାଇ : ୨ବର୍ଷରେ ଗଲାଣି ୧୮ ମୁଣ୍ଡ

୫ ଶବର ପରିଚୟ ମିଳିନି

ଭୁବନେଶ୍ବର : ରାଜଧାନୀ‌ ଉପକଣ୍ଠ ଦେଇ ପ୍ରବାହିତ କୁଆଖାଇ ନଦୀ କାଳ ସାଜିଛି। ଗତ ୨ବର୍ଷ ମଧ୍ୟରେ ନଦୀରୁ ୧୫ଟି ମୃତଦେହ ମିଳିଥିବା ବେଳେ ପୁରୀ କେନାଲ୍‌ରୁ ମଧ୍ୟ ୩ଟି ମୃତଦେହ ଉଦ୍ଧାର କରାଯାଇଛି। ସେଥିମଧ୍ୟରୁ ବାଲିଅନ୍ତା ଥାନା ପୁଲିସ ୧୫ଟି ମୃତଦେହ ଉଦ୍ଧାର କରିଥିବା ବେଳେ ମଞ୍ଚେଶ୍ବର ଥାନା ପୁଲିସ ୩ଟି ଉଦ୍ଧାର କରିଛି। ମୃତକଙ୍କ ମଧ୍ୟରେ ୧୬ଜଣ ପୁରୁଷ ଓ ୨ଜଣ ମହିଳା ରହିଛନ୍ତି। ୨୦୧୮ ମସିହାରେ ନଦୀରୁ ୮ଜଣଙ୍କ ମୃତଦେହ ମିଳିଥିବା ବେଳେ ୨୦୧୯ରେ ୧୦ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି।

କୁଆଖାଇ ନଦୀ ଓ କେନାଲ୍‌ରୁ ବାରମ୍ବାର ମୃତଦେହ ମିଳୁଥିବାରୁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ମୃତଦେହଗୁଡ଼ିକ କେଉଁ ଅଞ୍ଚଳରୁ ଭାସି ଆସୁଛି? କିଭଳି ସେମାନଙ୍କ ମୃତ୍ୟୁ ଘଟୁଛି? କେହି ଜାଣି ପାରୁନାହାନ୍ତି। ସେମାନଙ୍କୁ କେହି ହତ୍ୟା କରି ପାଣିରେ ଭସାଇ ଦେଉଛି ନା ଆତ୍ମହତ୍ୟା କରୁଛନ୍ତି ତାହା ସ୍ପଷ୍ଟ ହୋଇପାରୁ ନାହିଁ। ହତ୍ୟା ପରେ ପ୍ରମାଣ ନଷ୍ଟ ପାଇଁ ମୃତଦେହକୁ ନଦୀରେ ଫିଙ୍ଗି ଦେଉଥିବା ସନ୍ଦେହ ହେଉଛି। ପୁଲିସ ଘଟଣାର ଅନୁସନ୍ଧାନ କରୁଥିଲେ ବି ମୃତ୍ୟୁ ରହସ୍ୟ ଉନ୍ମୋଚନ କରିବାରେ ସକ୍ଷମ ହୋଇପାରୁ ନାହିଁ। କାରଣ ବେ‌ଳେବେଳେ ମୃତଦେହଗୁଡ଼ିକ ୫-୭ ଦିନ ପରେ ଗଳିତ ଅବସ୍ଥାରେ ଆସି ନଦୀ କୂଳରେ ଲାଗୁଛି। ପୁଲିସ ୧୩ଟି ମୃତଦେହ ଚିହ୍ନଟ କରିଥିଲେ ମଧ୍ୟ ଏ ଯାଏ ଗୋଟିଏ ବି ହତ୍ୟା ମାମଲା ରୁଜୁ କରିନାହିଁ। ଏପର୍ଯ୍ୟନ୍ତ ଅନ୍ୟ ୫ଜଣଙ୍କ ପରିଚୟ ବି ମଳିପାରି ନାହିଁ। ସେମାନଙ୍କ ମୃତ୍ୟୁ ଏବେ ବି ରହସ୍ୟ ଘେରରେ ରହିଛି।

ରହସ୍ୟରେ ୫ ଘଟଣା
୨୦୧୮ ମାର୍ଚ୍ଚ ୨୦ ତାରିଖରେ ଅଲାରପୁର କେନାଲ୍‌ ସାଇଫନ୍‌ ନିକଟରୁ ଓ ସେହିବର୍ଷ ଜୁଲାଇ ୩୧ ତାରିଖରେ କୁଆଖାଇ ନଦୀରୁ ମିଳିଥିବା ମୃତଦେହର ପରିଚୟ ଅଦ୍ୟାବଧି ମିଳିପାରି ନାହିଁ।
୨୦୧୯ ଅଗଷ୍ଟ୯ ତାରିଖରେ ପୁରୀ କେନାଲ୍‌ରୁ ମିଳିଥିବା ଜଣେ ମହିଳାଙ୍କ ମୃତଦେହ ଏବଂ ଗତ ୨୦ ତାରିଖରେ କୁଆଖାଇ ନଦୀରୁ ଓ ୨୪ ତାରିଖରେ ପୁରୀ କେନାଲ୍‌ରୁ ମିଳିଥିବା ୨ ମୃତ ଯୁବକଙ୍କ ପରିଚୟ ଅସ୍ପଷ୍ଟ ରହିଛି। ତେ‌ବେ ଏଗୁଡ଼ିକ ହତ୍ୟା ମାମଲା ଭଳି ମନେ ହେଉଥିବା ବେଳେ ଏପର୍ଯ୍ୟନ୍ତ ଏହା ଉପରୁ ସନ୍ଦେହର ପରଦା ହଟିପାରି ନାହିଁ।

୨୦୧୯ର କେତେକ ପ୍ରମୁଖ ଘଟଣା

ଫେବ୍ରୁଆରି୨୪ ତାରିଖରେ ବାଙ୍କୁଆଳ ଘାଟରୁ ଏୟାରଫିଲ୍ଡ ଅଞ୍ଚଳର ମନୀନ୍ଦ୍ର ଖଟୁଆଙ୍କ ମୃତଦେହ ମିଳିଥିଲା। ବାଲିଅନ୍ତା ଥାନା ପୁଲିସ କ୍ୟାପିଟାଲ୍‌ ହସ୍ପିଟାଲ୍‌ରୁ ତାଙ୍କ ମୃତଦେହକୁ ଜବତ କରିଥିଲା।
ମାର୍ଚ୍ଚ୨୪ରେ ବାଳକାଟି ନିକଟ ପୁରୀ କେନାଲ୍‌ରୁ ରବୀନ୍ଦ୍ର ଦାସ ନାମକ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ତାଙ୍କ ଘର ସହିଦନଗର ଥାନା ଅଧୀନ ବାୟାବାବା ମଠ ଅଞ୍ଚଳରେ ବୋଲି ପରବର୍ତ୍ତୀ ସମୟରେ ଜଣାପଡ଼ିଥିଲା।
ଏପ୍ରିଲ୍‌ ୩୦ରେ ବାଳକାଟି ନିକଟ ପୁରୀ କେନାଲ୍‌ରୁ ପ୍ରତାପରୁଦ୍ରପୁର ଅଞ୍ଚଳର ମ‌ନୋଜ ମିଶ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।
ମେ ୧୧ ତାରିଖରେ ହଂସପାଳ ନିକଟ ପୁରୀ କେନାଲ୍‌ରୁ ବାଲିପାଟଣା ଅଞ୍ଚଳର ସଞ୍ଜୟ ମହାନ୍ତିଙ୍କ ମୃତ‌ଦେହ ଉଦ୍ଧାର କରାଯାଇଥିଲା।
ଅଗଷ୍ଟ ୧୨ ତାରିଖରେ କୁଆଖାଇରୁ ବାଲିଅନ୍ତା ଚାନ୍ଦୋଳ ଅଞ୍ଚଳର ଅର୍ଜୁନ ଜେନାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।
ଅଗଷ୍ଟ ୨୭ ତାରିଖରେ କୁଆଖାଇରୁ ବାଲିଅନ୍ତା କୂଳସାହି ଅଞ୍ଚଳର ନିରଂଜନ ବାରିକଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।

ସମ୍ବନ୍ଧିତ ଖବର