କୁଆଖାଇ, ଭାର୍ଗବୀ, କୁଶଭଦ୍ରା, ଦୟା ଓ ଧନୁଆ ନଦୀ ଫୁଲୁଛି, ନିଦ ହଜେଇଛି ଘଳିଆ

ବାଲିପାଟଣା/ବାଲିଅନ୍ତା: କୁଆଖାଇ, ଭାର୍ଗବୀ, କୁଶଭଦ୍ରା, ଦୟା ଓ ଧନୁଆ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ଆଜି ସକାଳୁ ପ୍ରାୟ ସବୁ ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି। ତେଣୁ ଗତ ଦୁଇ ଦିନ ହେଲା ବୁଡ଼ି ଯାଇଥିବା ଅଞ୍ଚଳରେ ବି ଜଳସ୍ତର ବଢ଼ୁଛି। ସବୁ ଆଡ଼ ଜଳାର୍ଣ୍ଣବ। ଗହୀର, ପଡ଼ିଆ, ରାସ୍ତା ସବୁ ଏକାକାର ହୋଇଯାଇଛି। ଗାଁ ସବୁ ବାହ୍ୟଜଗତରୁ ବିଛିନ୍ନ ହୋଇପଡ଼ିଛି। ଶହ ଶହ ଲୋକ ବେଘର ହୋଇ ଆଶ୍ରୟସ୍ଥଳୀରେ ମୁଣ୍ଡ ଗୁଞ୍ଜିଛନ୍ତି। ପୁଣି ହୀରାକୁଦରୁ ପାଣି ଆସୁଥିବାରୁ ବନ୍ୟା ସ୍ଥିତି ଆହୁରି ଗମ୍ଭୀର ହେବ ବୋଲି ଆଶଙ୍କା କରାଯାଉଛି। ନଦୀରେ ଜଳସ୍ତର ବଢ଼ିଲେ, ଏବେ ଟଳମଳ ଅବସ୍ଥାରେ ଥିବା ନଦୀ ବନ୍ଧକୁ ବିପଦ ବଢ଼ିବ ବୋଲି ଲୋକେ ଆତଙ୍କିତ ହୋଇପଡ଼ିଲେଣି। ତେଣୁ ଘଳିଆ ଓ ଘାଇ ଭୟରେ ଲୋକଙ୍କ ଆଖିରୁ ନିଦ ହଜିଯାଇଛି। ତେବେ କୁଆଖାଇ ଓ କୁଶଭଦ୍ରା ନଦୀରେ ଜଳସ୍ତର ଆଜି ରାତି ସୁଦ୍ଧା ୧ ଫୁଟ୍‌ ହ୍ରାସ ପାଇଥିବା ନେଇ ବାଲିଅନ୍ତା କେନାଲ ସବ୍‌ଡିଭିଜନ ପକ୍ଷରୁ ସୂଚନା ମିଳିଛି।

କୁଆଖାଇରେ ଜଳସ୍ତର ମଧ୍ୟ ସ୍ଥିର ରହିଛି। ଆସନ୍ତାକାଲି ମୁଣ୍ଡଳୀଠାରେ ଜଳସ୍ତର ଯେଉଁ ଅନୁପାତରେ ବଢ଼ିବ, ସେହି ଅନୁସାରେ କୁଶଭଦ୍ରା ଓ କୁଆଖାଇର ଜଳସ୍ତର ବୃଦ୍ଧି ପାଇବ। ଆସନ୍ତାକାଲି ମଧ୍ୟାହ୍ନ ସୁଦ୍ଧା କୁଆଖାଇ ଓ କୁଶଭଦ୍ରାରେ ଜଳସ୍ତର ବୃଦ୍ଧି ପାଇବାର ସମ୍ଭାବନା ରହିଛି। ତେଣୁ ଏବେ ସୁଦ୍ଧା ଏହି ୩ ନଦୀରୁ ବିପଦ ଟଳିନାହିଁ ବୋଲି କୁହାଯାଇଛି।

ଭାର୍ଗବୀ ନଦୀର ଅଚ୍ୟୁତପୁର କାଜ ଓ କୁଶଭଦ୍ରା ନଦୀର ବଇଁଚୁଆ କାଜରେ ପ୍ରବଳ ବେଗରେ ବନ୍ୟାଜଳ ପ୍ରବାହିତ ହେଉଛି। ଫଳରେ ଧନୁଆ ନଈ ଉଛୁଳିଛି ଓ ବାଲିପାଟଣା ବ୍ଲକ ଅଞ୍ଚଳରେ ବନ୍ୟା ପରିସ୍ଥିତି ସଙ୍ଗିନ୍‌ ହୋଇପଡ଼ିଛି। ଧନୁଆର ବନ୍ୟାପାଣି ପାଇଁ ୫ଟି ପଞ୍ଚାୟତରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବାଲିପାଟଣା ବ୍ଲକ୍‌ର ରାଜସ, ଆଳିସି, ପମ୍ପାଲୋ, କୁରୁଞ୍ଜିପୁର, ତୁରିନ୍ତିରା ପଞ୍ଚାୟତର ୩୦ ରୁ ଅଧିକ ଗାଁର ପ୍ରାୟ ୧୦ ହଜାର ଲୋକ ପାଣି ଘେରରେ ଅଛନ୍ତି। ଗହୀରରେ ୧୦ ଫୁଟ୍‌ ଉଚ୍ଚରେ ପାଣି ସୁଅ ଚାଲୁଥିବା ବେଳେ ଗାଁ ଦାଣ୍ଡରେ ୭/୮ ଫୁଟ୍‌ ଉଚ୍ଚରେ ପାଣି ଚାଲୁଛି। ଘର ଭିତରେ ଅଣ୍ଟାଏ ଉଚ୍ଚରେ ପାଣି ଜମିଛି। କିଛି ଲୋକ ଏବେ ବି ଘର ଛାଡ଼ିନାହାନ୍ତି। ଖଟ ଉପରେ ବସି ଘର ଜଗିଛନ୍ତି। ବହୁ ଲୋକ ଛାତ ଉପରେ ଆଶ୍ରୟ ନେଇଛନ୍ତି। କିନ୍ତୁ ଏହା ଭିତରେ ଆଜି ବର୍ଷା ହେବାରୁ ଲୋକଙ୍କ ଦୁର୍ଦ୍ଦଶା ବଢ଼ିଯାଇଛି। ତଳେ ବନ୍ୟା ପାଣିର ଭୟ ରହିଥିବା‌ ବେଳେ ଉପରୁ ବର୍ଷା ଦାଉ ସାଧୁଛି। ପିଇବା ପାଣି ମିଳୁନଥିବାରୁ ଲୋକେ ବଡ଼ ହନ୍ତସନ୍ତ ହେଉଛନ୍ତି। ଆଜି ପ୍ରଶାସନ ପକ୍ଷରୁ ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିବା ବେଳେ ପ୍ରାୟ ୭ ଶହ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି। ୩ /୪ ଟି ଗ୍ରାମର ୫୦ରୁ ଅଧିକ ପରିବାରକୁ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି। ଆଜି ଘାସି ଅନ୍ଧଟି ଗ୍ରାମରୁ ପ୍ରାୟ ୨୦ ଜଣଙ୍କୁ ବାଲିପାଟଣା ଅଗ୍ନିଶମ ବାହିନୀ ଉଦ୍ଧାର କରିଛି।

ପେଟା ଘାଇରେ ଝର ଆତଙ୍କ, ରାସ୍ତା ଅବରୋଧ

ପୁରୁଣା ଜଗନ୍ନାଥ ସଡ଼କ ଗଡ଼କଣ୍ଟୁଣିଆ ନିକଟସ୍ଥ ପେଟାଘାଇଠାରେ ଆଜି ସକାଳେ କୁଆଖାଇ ନଦୀବନ୍ଧରେ ଘଳିଆ ପଡ଼ିଥିବା ଦେଖାଯାଇଥିଲା। କିଛି ଗଜ ବ୍ୟବଧାନରେ ୩ଟି ଘଳିଆ ପଡ଼ିଥିଲା। ଏହି ଖବର ପ୍ରଚାର ହେବା ପରେ ଘଳିଆସ୍ଥଳକୁ ଲୋକଙ୍କ ସୁଅ ଛୁଟିଥିଲା। ବାଲିପାଟଣା କେନାଲ ସବ୍‌ଡିଭିଜନ କର୍ତ୍ତୃପକ୍ଷ ପେଟା ଘାଇ ଘଳିଆ ସ୍ଥାନରେ ପହଞ୍ଚିବାରେ ବିଳମ୍ବ କରିଥିଲେ। ଏମିତିକି ବନ୍ୟା ପାଇଁ ଏହି ଅଞ୍ଚଳ ଦାୟିତ୍ବରେ ଥିବା ଯନ୍ତ୍ରୀମାନଙ୍କ ଦର୍ଶନ ମିଳିନଥିଲା। ତେଣୁ ଲୋକଙ୍କ ଭିତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ସେମାନେ ପ୍ରଶାସନକୁ ଅପେକ୍ଷା ନକରି କୁଆଖାଇ ନଦୀବନ୍ଧରୁ ଘଳିଆ ସ୍ଥାନ ଚିହ୍ନଟ କରିଥିଲେ। ଏହା ପ‌ରେ ବି ଜଳସେଚନ ବିଭାଗ ଘଟଣାସ୍ଥଳରେ ପହଞ୍ଚିନଥିଲା। ତେଣୁ ସେମାନେ ରାସ୍ତା ଅବରୋଧ କରିଥିଲେ। ସକାଳ ୭ଟାରୁ ୧୦ଟା ପର୍ଯ୍ୟନ୍ତ ଉକ୍ତ ରାସ୍ତାକୁ ବନ୍ଦ କରି ଦେଇଥିଲେ। ରାସ୍ତା ବନ୍ଦକୁ ନେଇ ଦୁଇଗୋଷ୍ଠୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ଖବର ପାଇ ତହସିଲଦାର ସରୋଜ କୁମାର ପଣ୍ଡା, ବିଡିଓ ନାରାୟଣ ଚନ୍ଦ୍ର ନାୟକ, ଅତିରିକ୍ତ ତହସିଲଦାର ସଂଯୁକ୍ତା ସ୍ବାଇଁ ପ୍ରମୁଖ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଏହାପରେ ଉପଜିଲ୍ଲାପାଳ ଘଟଣାରେ ହସ୍ତକ୍ଷେପ କରିଥିଲେ ଓ ଜଳସେଚନ କର୍ତ୍ତୃପକ୍ଷ ପହଞ୍ଚି ବା‌ଲିବସ୍ତା ପକାଇ ଘଳିଆ ମରାମତି କରିଥିଲେ।

ସମ୍ବନ୍ଧିତ ଖବର