କୁମାର ଉତ୍ସବ ପୂର୍ବରୁ ଯଶୁଆପୁରରେ କୁମାରୀ ବିବାହ

ବାଲିଅନ୍ତା: କୁମାର ଉତ୍ସବ ଅବ୍ୟବହିତ ପୂର୍ବରୁ ବାଲିଅନ୍ତା ବ୍ଲକ ଅଧୀନ ଯଶୁଆପୁର ଗ୍ରାମରେ ଆଜି କୁମାରୀ ବିବାହ ପାଳିତ ହୋଇଯାଇଛି। ଏହି ଅବସରରେ ଗ୍ରାମ ଦାଣ୍ଡରେ ଟେଣ୍ଟ ବନ୍ଧା ଯାଇଥିଲା। ବାଜା, ବାଣ ଓ ରୋଷଣିରେ ଗାଁ ଦାଣ୍ଡ କମ୍ପି ଉଠିଥିଲା। ଶଙ୍ଖ ହୁଳହୁଳି ଶବ୍ଦ ସାଙ୍ଗକୁ ପୁରୋହିତ ସ୍ବର୍ଣ୍ଣଲତାଙ୍କ ମନ୍ତ୍ର ଉଚ୍ଚାରଣରେ ବର ବେଶ ସାଜିଥିବା କୁନି ଝିଅ ଗୁଡ୍ଡି ସହିତ ପରୀର ବାହାଘର ପାରମ୍ପରିକ ରୀତିନୀତି ଅନୁଯାୟୀ ସମ୍ପନ୍ନ ହୋଇଥିଲା। ସକାଳେ ବାଡ଼ୁଅ ପାଣିରେ ଉଭୟ ବରକନ୍ୟାକୁ ଗାଧୋଇ ଦିଆଯାଇଥିଲା। ଗ୍ରାମଦେବତୀଙ୍କ ପୀଠରେ ଦିଅଁ ମଙ୍ଗୁଳା କାର୍ଯ୍ୟ ସରିବା ପରେ ବର ଗୁଡ୍ଡିଙ୍କୁ କନ୍ୟାପିତା ଶାଶ୍ବତୀ ପ୍ରଧାନ ବାଟବରଣି କରିଥିଲେ। ରିଙ୍କୁ ପ୍ରଧାନ ବରପିତା ଭାବେ ବିବାହ କାର୍ଯ୍ୟ ତୁଲାଇଥିଲେ। ସୋନାଲୀ ପ୍ରଧାନ, ବିଶ୍ବଲିପ୍‌ସା ବେହେରା, ପୁଷ୍ପଲତା ପ୍ରଧାନ, ଅଭିଶିକ୍ତା ପ୍ରଧାନ, ତେଜସ୍ବିନୀ ବେହେରା, ସସ୍ମିତା, ରଶ୍ମିତା, ମାନୁ, ରାନୁ, ଜାଗୃତି, କୁଇନା, ଲୋରୀ, ସାନୁ, ଲୁଇନାଙ୍କ ସମେତ ଗ୍ରାମର ସମସ୍ତ କୁମାରୀମାନେ ଏଥିରେ ସାମିଲ ହୋଇଥିଲେ। ବିବାହ ପରେ ଭୋଜିର ଆୟୋଜନ ହୋଇଥିବା ବେଳେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର