୭ ଦିନିଆ ଓଡ଼ିଶା ଗସ୍ତରେ କୁମାର ପ୍ରଶାନ୍ତ, ଗାନ୍ଧୀ ବିଚାରଧାରା ଉପରେ ଚର୍ଚା କରିବେ

ଭୁବନେଶ୍ବର: ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ‌ରେ ଗାନ୍ଧୀ ବିଚାରଧାରାକୁ ଓଡ଼ିଶାବାସୀଙ୍କ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟ ନେଇ ୭ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ‘ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ’ର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଗାନ୍ଧୀବାଦୀ ପ୍ରବକ୍ତା କୁମାର ପ୍ରଶାନ୍ତ। ଗାନ୍ଧୀ ୮ଥର ଓଡ଼ିଶାକୁ ଆସି ଅଣାଅଶୀ ଦିନ ବିତାଇ ସ୍ବରାଜ, ସ୍ବାବଲମ୍ବନ, ଅସ୍ପୃଶ୍ୟତା ନିବାରଣ, ସାମ୍ପ୍ରଦାୟିକ ସଦ୍‌ଭାବ, ନିଶା ନିବାରଣ ବାର୍ତା ଦେଇଥିବା ବେଳେ ପୁନଃ ଗାନ୍ଧୀ ବିଚାରଧାରାକୁ ଲୋକଙ୍କ ମଧ୍ୟରେ ଜାଗ୍ରତ କରାଇବା ଲକ୍ଷ୍ୟ ନେଇ ଆସନ୍ତା ୧୬ ତାରିଖରେ ଶ୍ରୀ ପ୍ରଶାନ୍ତ ‘ଗାନ୍ଧୀ ଓ ବର୍ତମାନ’ ଶୀର୍ଷକ ବିଷୟରେ ବକ୍ତବ୍ୟ ପ୍ରଦାନ କରିବେ। ରାଷ୍ଟ୍ରୀୟ ଯୁବା ସଂଗଠନ ଆୟୋଜିତ ରାଜ୍ୟ ଯୁବ ଶିବିର ସହ ରାଜ୍ୟ ସ୍ବାଧୀନତା ସଂଗ୍ରାମ ଓ ଉତ୍ତରଦାୟାଦ ସଂଗଠନ କର୍ମକର୍ତାଙ୍କୁ ଉଦ୍‌ବୋଧନ ଦେବେ। ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟ, ଅଡ଼ଶପୁରସ୍ଥିତ ଉଦୟନାଥ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରଛାତ୍ରଙ୍କ ମଧ୍ୟରେ ଯୋଗଦେଇ ଆଲୋଚନା କରିବେ। ସ୍ବାଧୀନତା ସଂଗ୍ରାମୀ ସୁମିତ୍ରା ଚୌଧୁରୀ, ଲୋକସଭାର ପ୍ରାକ୍ତନ ବାଚସ୍ପତି ସ୍ବର୍ଗତ ରବି ରାୟଙ୍କ ଧର୍ମପତ୍ନୀ ଡ. ସରସ୍ବତୀ ସ୍ବାଇଁଙ୍କୁ ସାକ୍ଷାତ କରିବେ। ଯାଜପୁରର ଛତିଆ ମହାବିଦ୍ୟାଳୟ, ଭଦ୍ରକ ମହାବିଦ୍ୟାଳୟ, ଭଦ୍ରକ ସଂସ୍କୃତି ଭବନ, ରାଉରକେଲାର ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ, ଡିଏଭି ପବ୍ଲିକ୍‌ ସ୍କୁଲ୍‌, ଦିଲ୍ଲୀ ପବ୍ଲିକ୍‌ ସ୍କୁଲ୍‌, ସମ୍ବଲପୁର ଭତରାରେ ଗାନ୍ଧୀ ମନ୍ଦିର ପରିଦର୍ଶନ, ବରଗାଁରେ, ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ, ସ୍ବାଧୀନତା ସଂଗ୍ରାମୀ ପ୍ରେକ୍ଷାଳୟରେ ଉଦ୍‌ବୋଧନ ଦେବେ। ଆଜି ଲୋହିଆ ଏକାଡେମିରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ପ୍ରାଦେଶିକ ଅଧ୍ୟକ୍ଷ ଜଷ୍ଟିସ୍‌ ମନୋରଂଜନ ମହାନ୍ତି, ସମ୍ପାଦକ ବିରୁପାକ୍ଷ ତ୍ରିପାଠୀ, ଲୋହିଆ ଏକାଡେମି ସମ୍ପାଦକ ଦେବପ୍ରସାଦ ରାୟ, ରାଷ୍ଟ୍ରୀୟ ଯୁବା ସଂଗଠନ ରାଷ୍ଟ୍ରୀୟ ସଂଯୋଜକ ଡ. ବିଶ୍ବଜିତ, ମଧୁସୂଦନ ଦାସ, ମିହିର ପ୍ରତାପ ଦାସ, ରୀନା ରାଉତରାୟ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ବାବଦରେ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର