ଭୁବନେଶ୍ବର: ଦୋ ଦିଲ୍ ମିଲ୍ ରହେ ହେଁ… ଗୀତ ଗାଇ ଗାଇ ମଞ୍ଚକୁ ଆସିଥିଲେ ବଲିଉଡ୍ ଚଳଚ୍ଚିତ୍ର ଜଗତର ମେଲୋଡି କିଙ୍ଗ୍ କୁମାର ସାନୁ। ଏହାପରେ ୯୦ ଦଶକର ସଙ୍ଗୀତର ଏକ ପ୍ରବାହମାନ ନଦୀ ଯେମିତି ରାଜଧାନୀବାସୀଙ୍କୁ ସପନ ଦୁନିଆକୁ ଭସାଇ ନେଇଥିଲା। ‘ଧୀରେଧୀରେ ସେ ମେରେ ଜିନ୍ଦେଗି ମେଁ ଆନା…, ତୁମ୍ ଦିଲ୍ କି ଧଡ୍କନ୍ ମେଁ…, ଏ କାସ୍ ହମ୍ ହୋସ୍ ମେ ଅବ୍ ଆନେ ନା ପାଏ.., ଇସ୍ ତରହ ଆଶିକି ବା ଅସର୍ ଛୋଡ୍ ଯାଏଗେଁ.., ଏ ଲଡ୍କି ଆଖଁ ମାରେ…, ୟେ କାଲି କାଲି ଆଖେଁ… ଆଦି ଗୀତ ଶ୍ରୋତାଙ୍କୁ ନିଜ ସ୍କୁଲ ଓ କଲେଜ ସମୟକୁ ଫେରାଇ ନେଇଥିଲା। ପ୍ରେମିକା/ପ୍ରେମିକ ହୁଅନ୍ତୁ ବା ସ୍ବାମୀସ୍ତ୍ରୀଙ୍କ ସମ୍ପର୍କକୁ ଦର୍ଶାଉଥିବା ଗୀତ ‘ଜବ୍ କୋଇ ବାତ୍ ବିଗଡ୍ ଯାଏ… ଗୀତ ଶ୍ରୋତାଙ୍କ ସହ ମିଶି ସେ ଗାଇଥିଲେ। ଏହାସହ କୁମାର ସାନୁଙ୍କ ଜୟ ଜଗନ୍ନାଥ ସମ୍ବୋଧନ ଓଡ଼ିଆ ଲୋକଙ୍କ ମନରେ ଉତ୍ସାହ ଭରିଥିଲା। ଶେଷରେ ‘ମନକୁ ତୋର ଚୋରେଇ ନେଲି… ତୋତେ ବି ଚୋରେଇ ନେବି… ସଙ୍ଗୀତ ଉତ୍କଳ ମଣ୍ଡପର ମୁକ୍ତମଞ୍ଚକୁ କୋଳାହଳରେ ଭରି ଦେଇଥିଲା। ଅବସର ଥିଲା ଟିମ୍ ଇନ୍ଫ୍ରାକନ୍ ଓ ନେଷ୍ଟ୍ ଲେଜର୍ ପକ୍ଷରୁ ଆୟୋଜିତ କୁମାର ସାନୁ ଲାଇଭ୍ କନ୍ସର୍ଟ ‘ସାଉଣ୍ଡ୍ ଅଫ୍ ସୋଲ୍’।
ଆଜିର କାର୍ଯ୍ୟକ୍ରମରେ ଅତିଥି ଭାବେ ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ସୁଶାନ୍ତ ରାଉତ ଓ ଅନନ୍ତ ନାରାୟଣ ଜେନା ଯୋଗ ଦେଇଥିଲେ। ତେବେ ସେମାନେ ମଞ୍ଚକୁ ନ ଯାଇ ଦର୍ଶକଙ୍କ ଗହଣରେ ଥିଲେ। ପ୍ରଥମେ ଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ନିରବ ପ୍ରାର୍ଥନା କରାଯାଇଥିଲା। ଟିମ୍ ଇନ୍ଫ୍ରାକନ୍ର ଅଧ୍ୟକ୍ଷ ନିଶିକାନ୍ତ ମିଶ୍ର, ନେଷ୍ଟ ଲେଜର୍ ପରିଚାଳନା ନିର୍ଦ୍ଦେଶକ ଅସିତ ପଟ୍ଟନାୟକ ଓ ସ୍ବସ୍ତି ଗ୍ରୁପ୍ ସିଏମ୍ଡି ଜେ କେ ମହାନ୍ତି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ଏହି ଅବସରରେ ଓଡ଼ିଶାର ଗର୍ବ ଭାବେ ଦିଲ୍ଲୀପ ତିର୍କୀ ଓ ପ୍ରମୋଦ ଭଗତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।