କାଁ ଭାଁ ଶୁଭିଲା ‘କୁଆଁର ପୂନେଇ ଜହ୍ନ ଗୋ…’

ସକାଳେ ଆଞ୍ଜୁଳି ଟେକିଲେ, ସଂଜରେ ଚାନ୍ଦ ବାଢ଼ିଲେ

ଭୁବନେଶ୍ବର: ‘କୁଆଁର ପୂନେଇ ଜହ୍ନ ଗୋ…. ଫୁଲ ବଉଳ ବେଣୀ … ପୁଚି ଖେଳୁଛନ୍ତି କୁଆଁରୀମାନେ ଝୁଣ୍ଟିଆ ଶବଦ ଶୁଣିଲୋ .. ଫୁଲ ବଉଳ ବେଣୀ…’। ଦିନ ଥିଲା ରାଜଧାନୀର ବହୁ ପୁରାତନ କିଛି କଲୋନିରେ ଝିଅମାନେ ଏକାଠି ହୋଇ କୁଆଁର ପୂନେଇ ପାଳୁଥିଲେ ଓ ରାତିରେ ସମବେତ କଣ୍ଠରେ ଫୁଲ ବଉଳ ବେଣୀ ଗୀତ ଗାଉଥିଲେ। ପୁଚି, ବୋହୁଚୋରି ଭଳି ଖେଳ ବି ଜମୁଥିଲା। କିନ୍ତୁ ଏବେ ସମୟ ବଦଳିଯାଇଛି। କର୍ପୂର ଉଡ଼ି ଯାଇଛି, କପଡ଼ା ପଡ଼ିରହିଛି ନ୍ୟାୟରେ ଆଜି କେବଳ କୁଆଁର ପୂନେଇ ପୂଜା ବିଧିଟି ବଞ୍ଚି ରହିଛି। ତେଣୁ ଆଜି ରାଜଧାନୀରେ କାଁ ଭାଁ ଶୁଭିଛି ଏହି ସୁନ୍ଦର ପ୍ରାଚୀନ ଲୋକ ଗୀତ। କିଛି ସାମାଜିକ ଅନୁଷ୍ଠାନ ପକ୍ଷରୁ କୁମାର ପୂର୍ଣ୍ଣମୀ ପର୍ବ ପାଳନ ଅବସରରେ ଏହି ଗୀତଟି ଖୁବ୍‌ କମ୍ ଶୁଣିବାକୁ ମିଳିଛି। କିନ୍ତୁ ଘରେ ଘରେ ଝିଅମାନେ ଆଜି କୁମାର ପୂର୍ଣ୍ଣମୀ ଓଷା ପାଳନ କରୁଥିଲେ ବି ଏହି ଗୀତ ବୋଲିବା ଶୁଣାଯାଇନାହିଁ। ପୁଚି ବୋହୂ ଚୋରି ଖେଳ ତ ସପନ ପାଲଟି ଯାଇଛି। ତେବେ ସକାଳେ ଚଉରା ମୂଳେ ଆଞ୍ଜୁଳି ଟେକିଛନ୍ତି ଓ ସଂଜରେ ଚଉରା ମୂଳେ ଚାନ୍ଦ ବାଢ଼ିଛନ୍ତି। ଅବଶ୍ୟ ରାଜଧାନୀ ଉପକଣ୍ଠ ଗାଁ ଗୁଡ଼ିକରେ କିଛି ପୁରୁଣା ପରମ୍ପରା ବଞ୍ଚିଛି। କୁମାରୀ ବିବାହ ଭଳି ପରମ୍ପରା ପାଳନ କରାଯାଉଛି। ମାତ୍ର ପୁରୁଣା ଚମକ ନାହିଁ କହିଲେ ବି କିଛି ଭୁଲ ହେବ ନାହିଁ।

ବିଧି ପରମ୍ପରା ଅନୁସାରେ ଆଜି ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ଝିଅମାନେ ଗାଧୁଆପାଧୁଆ ସାରି ଆଞ୍ଜୁଳି ଟେକିବା ପାଇଁ ପ୍ରସ୍ତୁତ ହୋଇଥିଲେ। ଲିଆ, ଜହ୍ନି, ଆଖୁ, କାକୁଡ଼ି, କଦଳୀ, ନଡ଼ିଆ, ଗୁଆ ଆଦି ଫଳ ସବୁକୁ ନୂଆ କୁଲା ବା ଡାଲାରେ ସଜେଇ ଚଉରା ମୂଳେ ଆଞ୍ଜୁଳି ଟେକିଥିଲେ। ଏହି ବିଧିଟି ଥିଲା ଝିଅମାନଙ୍କ କୁଆଁର ପୂନେଇ ଓଷାର ପ୍ରଥମ ପର୍ଯ୍ୟାୟ। ଏହା ପରେ ସେମାନେ ଦିନତମାମ ଉପବାସ ରହିଥିଲେ ବା ଫଳାହାର କରି ବ୍ରତ ପାଳନ କରିଥିଲେ। ସୂର୍ଯ୍ୟ ଅସ୍ତ ହେବା ପରେ ପରେ ସେମାନେ ପୁଣି ଚଉରା ମୂଳେ ଏକାଠି ହୋଇଥିଲେ। ଚଉରା ମୂଳେ ଚାନ୍ଦ ପୂଜା ପ୍ରସ୍ତୁତି‌ରେ ଲାଗି ପଡ଼ିଥିଲେ। ଲିଆ, କଦଳୀ, ଗୁଡ଼, ଛେନା ଓ ନଡ଼ିଆ ଆଦିକୁ ମିଶାଇ ଚକଟିବା ପରେ ସେଥିରେ ଚାନ୍ଦ ତିଆରି କରି କଦଳୀ ପତ୍ରରେ ବାଢ଼ିଥିଲେ। ଚଉରା ମୂଳେ ଜହ୍ନି ଓଷା ବହି ପଢ଼ାଯାଇଥିଲା ଓ ବହି ପଢ଼ା ପରେ ଚାନ୍ଦ ଭୋଗକୁ ଧରି ଝିଅମାନେ ଉଇଁ ଆସୁଥିବା ଚନ୍ଦ୍ରଙ୍କ ଉଦ୍ଦେଶ୍ୟରେ ପରଶିଥିଲେ। ଏହି ସମୟରେ ଆଜି ପ୍ରତି ଘରୁ ଶଙ୍ଖ, ହୁଳହୁଳିର ଧ୍ବନି ଭାସି ଆସିଥିଲା।

ରାଜଧାନୀର ଚଳଣି ଆଜିକାଲି ଉପକଣ୍ଠ ଗାଁ ସବୁକୁ ପ୍ରଭାବିତ କରିଛି। ତେଣୁ ଆଗ ଭଳି ରାଜଧାନୀ ପାଖ ଗାଁ ଗୁଡ଼ିକରେ ବି କୁଆଁର ପୂନେଇ ଓଷା ପାଳନ କରାଯାଉନାହିଁ। ଝିଅମାନେ ନୂଆ ପୋଷାକ ପିନ୍ଧୁଛନ୍ତି, ଚଉରା ମୂଳେ ଆଞ୍ଜୁଳି ଟେକୁଛନ୍ତି ଓ ସଂଜ‌ରେ ଚାନ୍ଦ ବାଢ଼ୁଛନ୍ତି ସତ କିନ୍ତୁ ପୂର୍ବ ଭଳି ଖେଳକୁଦ, ଗୀତ ଗାଇବା ଏକାଠି ହେଉନାହିଁ। ତେବେ ବହୁ ଗାଁରେ ଗାଁ ଦାଣ୍ଡର ଚଉରା ମୂଳେ ଝିଅମାନେ ଏକାଠି ହୋଇ ପୂଜା କରୁଛନ୍ତି। ତମାଣ୍ଡୋ ଥାନା ମହୁରା ଓ ରେତଙ୍ଗ ଭଳି ଗାଁରେ ରାତିରେ କୁମାରୀ ବିବାହ ପରମ୍ପରା ବଜାୟ ରହିଛି। କୁନି କୁନି ଦୁଇଟି ଝିଅଙ୍କୁ ବରକନ୍ୟା ଭାବେ ସଜାଇ ଖେଳରେ ଖେଳରେ ମିଛିମିଛିକା ବିବାହ କରାଯାଉଛି। ବଡ଼ବଡ଼ ଝିଅମାନେ ବରପିତା ଓ କନ୍ୟାପିତା ସାଜୁଛନ୍ତି। ତେବେ କରୋନା କଟକଣା ପାଇଁ ଏହି କୁମାରୀ ବିବାହ ଖେଳ ଏବେ କଟକଣାରେ ହେଉଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର