କୁଆଁର ପୂନେଇରେ ଉତ୍ସବ ମୁଖର ସିଙ୍ଗିରିଶାସନ: ଖେଳରେ ଖେଳରେ କୁଆଁରୀ ବାହାଘର

ବାଲିଅନ୍ତା: ଗାଁରେ ଆଜି ଦିନଟି ଥିଲା କେବଳ କୁଆଁରୀମାନଙ୍କର। ଧୂମ୍‌ଧାମ୍‌ରେ କରୁଥିଲେ ବାହାଘର। ଦୁଇଟି କୁନି ପିଲାଙ୍କୁ ବରକନିଆ କରି ସେମାନେ ମାତିଥିଲେ କୁଆଁରୀ ବାହାଘରରେ। କୁମାର ପୂର୍ଣ୍ଣମୀ ପର୍ବ ଅବସରରେ ଖେଳରେ ଖେଳରେ ଚାଲିଥିଲା ବାହାଘର ଉତ୍ସବ। କିନ୍ତୁ ସତସତିକା ଥିଲା ସବୁ ବିଧିବ୍ୟବସ୍ଥା। ବାଡ଼ୁଅପାଣିରେ ଗାଧେଇବା ଠାରୁ ଆରମ୍ଭ କରି ବାଟବରଣି, ବେଦୀରେ ହାତଗଣ୍ଠି ପଡ଼ିବା ଓ ବନ୍ଦାପନା ପର୍ଯ୍ୟନ୍ତ ସବୁ ଚାଲିଥିଲା। ଏମିତିକି ଭୋଜିଭାତର ଆସର ବି ଜମିଥିଲା। ସକାଳୁ ଆଞ୍ଜୁଳି ଟେକିବା ଠାରୁ ସଂଜରେ ଚାନ୍ଦ ବାଢ଼ିବା ଓ ରାତିରେ ବାହାଘର କରିବା ସବୁ କାର୍ଯ୍ୟକ୍ରମରେ ଆଜି ଗାଁ ଟା ସାରା ପଡ଼ୁଥିଲା ଉଠୁଥିଲା। ଯୋଡ଼ି ମହୁରୀ ଓ ଢୋଲ ସାଙ୍ଗକୁ ଶଙ୍ଖ ଧ୍ବନିରେ ଗାଁ ଦାଣ୍ଡ ଉଛୁଳି ପଡ଼ୁଥିଲା। ଆଜି ଏମିତି ଉତ୍ସବ ମୁଖର ଥିଲା ବାଲିଅନ୍ତା ବ୍ଲକ ସିଙ୍ଗିରିଶାସନ ଗାଁର ଦୃଶ୍ୟ।

କିଛି ବର୍ଷ ହେଲା କୁମାର ପୂର୍ଣ୍ଣମୀ ତିଥିରେ କୁଆଁରୀ ବିବାହ ଏହି ଗାଁରେ ଏକ ପରମ୍ପରା ପାଲଟିଯାଇଛି। ଝିଅମାନେ ସକାଳୁ ଚଉରା ମୂଳେ ଆଞ୍ଜୁଳି ଟେକିବା ପରେ ଲାଗି ପଡ଼ିଥିଲେ ବାହାଘର କାମରେ। କନ୍ୟା ସାଜିଥିଲେ ଜ୍ୟୋତ୍ସ୍ନା ନାୟକ ଓ ବର ହୋଇଥିଲେ ସ୍ନେହମୟୀ ପରିଡ଼ା। କନ୍ୟାପିତା ଭୂମିକା ନେଇଥିଲେ ଟିକିନା ପ୍ରଧାନ ଓ ବରପିତା ହୋଇଥିଲେ ପୂଜା ନାୟକ। ପୁରୋହିତ ହୋଇଥିଲେ ମାନିନୀ ଦାଶ। ଗ୍ରାମଦେବତୀ ମା’ କ୍ଷେତ୍ରପାଳୀଙ୍କ ନିକଟରେ ଦିଅଁ ମଙ୍ଗୁଳା କାର୍ଯ୍ୟ କରାଯିବା ସହ କନ୍ୟା ଜ୍ୟୋତ୍ସ୍ନାକୁ ବାଡ଼ୁଅପାଣିରେ ଗାଧୋଇ ଦିଆଯାଇଥିଲା। ସନ୍ଧ୍ୟାରେ ବର ସ୍ନେହମୟୀ ସୁସଜ୍ଜିତ କାର୍‌ରେ ବରଯାତ୍ରୀଙ୍କୁ ସାଙ୍ଗରେ ଧରି ବାହାରିଥିଲେ। ବାଜା, ବାଣ ଓ ରୋଷଣୀ ସହ ବରଯାତ୍ରୀ ଗାଁ ଦାଣ୍ଡ ଦୁଲୁକାଇ ଚାଲିଥିଲେ। ଗାଁଟି ଯାକର ଝିଅ ଓ କିଛି ମହିଳା ଏହି ଶୋଭାଯାତ୍ରାରେ ସାମିଲ୍ ହୋଇଥିଲେ। କନ୍ୟା ପିତା ଟିକିନା ବରଯାତ୍ରୀଙ୍କୁ ପାଛୋଟି ନେଇଥିଲେ। ଏହା ପରେ ବେଦୀରେ ବିବାହ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ବେଦୀ ଉପରେ ପୁରୋହିତ ମନ୍ତ୍ର ପଢ଼ି ହାତଗଣ୍ଠି ପକାଇଥିଲେ ଓ ବରକନ୍ୟାଙ୍କୁ ବନ୍ଦାପନା କରାଯାଇଥିଲା। ବିଧି ଅନୁଯାୟୀ ଶାଳୀ ହାତଗଣ୍ଠି ଫିଟାଇବା ପରେ ବିବାହ କାର୍ଯ୍ୟ ଶେଷ ହୋଇଥିଲା। ଏହା ପରେ ଆରମ୍ଭ ହୋଇଥିଲା ଭୋଜିଭାତ। ଝିଅମାନଙ୍କ ଏହି ପର୍ବରେ ଗାଁର ଯୁବକ ଓ କିଛି ମୁରବି ସ୍ଥାନୀୟ ଲୋକେ ସାମିଲ୍ ହୋଇଥିଲେ। ଅନୁରୂପଭାବେ ଆଜି ସ୍ଥାନୀୟ ଯଶୁଆପୁର ଗ୍ରାମରେ ମଧ୍ୟ କୁମାରୀ ବିବାହ ଅନୁଷ୍ଠିତ ହୋଇଯାଇଛି।

ସମ୍ବନ୍ଧିତ ଖବର