ଖଣ୍ତଗିରି: ବିବାହ ତିଥି ନଥିଲା। ସେମିତି ସତ ବର କି ସତ କନିଆ ନଥିଲେ। ଅଭିନୟ ଅଭିନୟରେ ଚାଲିଥିଲା ମିଛିମିଛିକା ବରକନିଆଁଙ୍କ ବାହାଘର। ଯୋଡ଼ି ମହୁରି ସ୍ବରରେ ଗାଁ ଦାଣ୍ତ ଉଛୁଳି ପଡ଼ୁଥିଲା। ବାଜା ବାଣ ଓ ଶୋଭାଯାତ୍ରାରେ ଗାଁ ଦାଣ୍ତ ଦୁଲୁକୁଥିଲା। କୁଆଁର ପୁନେଇଁ ଅବସରରେ ଏମିତି ଥିଲା ବରମୁଣ୍ତା ଓ ମହୁରା ଗାଁର ଦୃଶ୍ୟ। ଗତ କିଛି ବର୍ଷ ହେଲା ଏହି ଦୁଇ ଗାଁରେ ପରମ୍ପରା ପାଲଟିଥିବା କୁମାରୀ ବିବାହରୁ ଗାଁ ଯୁବତୀମାନେ ବେଶ୍ ମଜା ଉଠାଇଥିଲେ। ସ˚ଜ ବୁଡ଼ୁ ବୁଡ଼ୁ ଆକାଶରେ ପୁନେଇଁ ଜହ୍ନ ଉଇଁବା ବେଳେ ଗାଁ ଚଉଁରା ମୂଳେ ଏକାଠି ହୋଇଥିଲେ ଗାଁଟିଯାକର ଯୁବତୀ। ବିଧିବିଧାନ ଅନୁସାରେ ଚାନ୍ଦ ପୂଜା ସରିଥିଲା। ଏହା ପରେ ଆରମ୍ଭ ହୋଇଥିଲା ବିବାହ ପାଇଁ ପ୍ରସ୍ତୁତି। ବରଯାତ୍ରୀ ବାଜା ବାଣ ଶୋଭାଯାତ୍ରାରେ ବାହାରି ପଡ଼ିଥିଲେ କନ୍ୟାଘର ଅଭିମୁଖେ। ମହୁରାରେ ବରପିତା ପ୍ରଭାସିନୀ ମଙ୍ଗରାଜ ବର ରଶ୍ମିତା ମଙ୍ଗରାଜକୁ ଧରି ଶୋଭାଯାତ୍ରା କରିଥିଲେ। ସେହିଭଳି କନ୍ୟାପିତା ମିଲନ୍ ଭାରିମଲ୍ଲ କନ୍ୟା ଲିପ୍ସା ଭାରିମଲ୍ଲକୁ ସଜାବଜ କରି ବରଯାତ୍ରୀକୁ ଅପେକ୍ଷା କରିଥିଲେ। ବରଯାତ୍ରୀ ପହଞ୍ଚିବା ପରେ କନ୍ୟାଘର ପକ୍ଷରୁ ସେମାନଙ୍କୁ ପାଛୋଟି ନିଆଯାଇଥିଲା। ବେଦୀରେ ପଡ଼ିଥିଲା ହାତଗଣ୍ଠି। ବନ୍ଦାପନା ପରେ ଚାଲିଥିଲା ଭୋଜିଭାତର ପର୍ବ। ମହୁରାରେ ମିଲି, ମାମାଲି, ସୁଜାଲି, ମିତାଲି, ଲୋନି, ଲୁସି, ଗୀତା ଓ ପୁଷ୍ପା ପ୍ରମୁଖ ଏହି କାର୍ଯ୍ୟକ୍ରମର ପୁରୋଧା ସାଜିଥିଲେ। ସେହିଭଳି ବରମୁଣ୍ତାରେ କନ୍ୟାପିତା ବିନ୍ଦୁ ପାଇକରାୟ, କନ୍ୟା ସ୍ବସ୍ତିଦୀପା ସ୍ବାଇଁ, ବରପିତା ସିନ୍ଧୁ ପାଇକରାୟ ଓ ବର ଆୟୁଷ୍ମିତା ପଣ୍ତାଙ୍କୁ ଧରି ଏହି କାର୍ଯ୍ୟକ୍ରମ ଚାଲିଥିଲା। ହର୍ଷିତା ସାହୁ ପୁରୋହିତ ସାଜି ବିବାହ ସମ୍ପନ୍ନ କରାଇଥିଲେ। ଏଲିସା, ମାମା, ଖୁସି, ଚାଉଁ, ସୁଶ୍ରୀ, ଶିବୁନ୍ ଦେବୀ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ବେଶ୍ ରାତି ପର୍ଯ୍ୟନ୍ତ ଭୋଜିଭାତ ଚାଲିଥିଲା।
କୁମାରୀ ବିବାହ, ମହୁରାରେ ଯୋଡ଼ି ମହୁରି, ବାଜାବାଣରେ ବରମୁଣ୍ତା
/sambad/media/post_attachments/wp-content/uploads/2018/10/arjuna-kumari-bibah.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)