ନିରାଡ଼ମ୍ବରରେ ହେଲା ଯଶୁଆପୁର କୁମାରୀ ବିବାହ

ବାଲିଅନ୍ତା : କୁମାର ପୂର୍ଣ୍ଣମୀର ଅବ୍ୟବହିତ ପୂର୍ବରୁ ବାଲିଅନ୍ତା ଯଶୁଆପୁର ବେହେରା ସାହିରେ ପାରମ୍ପରିକ କୁମାରୀ ବିବାହ ଅନୁଷ୍ଠିତ ହୋଇଯାଇଛି। ତେବେ ପ୍ରତିବର୍ଷ ମହା ଧୂମ୍‌ଧାମ୍‌ରେ ଅନୁଷ୍ଠିତ ହେଉଥିବା ଏହି ଗଣପର୍ବ ଚଳିତ ବର୍ଷ କରୋନା କଟକଣା ପାଇଁ ନିରାଡ଼ମ୍ବର ଭାବେ ପାଳିତ ହୋଇଛି। କେବଳ ବିଧିକୁ ଅନୁସରଣ କରି ଏହି କାର୍ଯ୍ୟକ୍ରମ କରାଯାଇଥିବା ଜଣାପଡ଼ିଛି।

କୋଭିଡ୍‌ କଟକଣା ଯୋଗୁଁ ଏହି ଉତ୍ସବରେ ଗାଡ଼ି, ବାଜା, ମାଇକ, ତୂରୀ, ବାଣ ଆଦି କିଛି ନଥିଲା। ବର ଶୋଭାଯାତ୍ରା ବି ହୋଇନଥିଲା। ବିଧି ଅନୁସାରେ ଗାଁର ଦୁଇ ଛୋଟ ଝିଅ ଆଦ୍ୟାଶା ଦାଶ ଓ ସାଇ ସମ୍ପୂର୍ଣ୍ଣା ସାମନ୍ତରାୟ ଯଥାକ୍ରମେ ବର ଓ କନ୍ୟା ବେଶରେ ସଜ୍ଜିତ ହୋଇଥିଲେ। ଅପରାହ୍ନରେ ଗାଁର ଆରାଧ୍ୟ ଦେବୀ ଜାଗେଶ୍ବରୀଙ୍କ ପାଖରେ ଦିଅଁ ମଙ୍ଗୁଳା ବିଧି ଅନୁଷ୍ଠିତ ହୋଇଥିଲା। ବରକନ୍ୟା ବାଡ଼ୁଅ ପାଣିରେ ଗାଧୋଇଥିଲେ। ବାଟବରଣି ପରେ ବରକନ୍ୟାଙ୍କୁ ବେଦିକୁ ପାଛୋଟି ନିଆଯାଇଥିଲା। ଝିଅ ଓ ମହିଳାମାନଙ୍କ ହୁଳହୁଳି ଓ ଶଙ୍ଖ ଧ୍ବନି ମଧ୍ୟରେ ପୁରୋହିତଙ୍କ ମନ୍ତ୍ର ପାଠ କରିଥିଲେ ଓ ଶେଷରେ ବରକନ୍ୟାଙ୍କ ହାତଗଣ୍ଠି ପଡ଼ିଥିଲା। ବିଧି ଅନୁଯାୟୀ ଶାଳୀ ହାତ ଗଣ୍ଠି ଫିଟାଇବା ପରେ ବିବାହ କାର୍ଯ୍ୟ ଶେଷ ହୋଇଥିଲା। ଶେଷରେ ପିଲାମାନଙ୍କ ପାଇଁ ଭୋଜିଭାତର ଆୟୋଜନ ହୋଇଥିଲା। ତପସ୍ବିନୀ, ରିଙ୍କୁ, ପୁଷ୍ପଲତା, ସସ୍ମିତା, ରଶ୍ମିତା, ପ୍ରୀତି, ଗୁଡ଼ି, ପରୀ, ସୋନାଲି, ମାମା, ପିଙ୍କି, ବିଶ୍ବଲିପ୍‌ସା, ଦୀପ୍ତିମୟୀ, ସୋନି, ରଞ୍ଜନା, କଳ୍ପନା, ଲୁଇନା, ମିକି, କୁଇନା, ଆରାଧ୍ୟା, ସରସ୍ବତୀ, ରାକ୍ଷୀ ଓ ଆଲିସାଙ୍କ ସମେତ ମହିଳାମାନେ ବିବାହ କାର୍ଯ୍ୟ ସଂପାଦନରେ ସହଯୋଗ କରିଥିଲେ। ବଡ଼ କଥା ହେଉଛି ସମସ୍ତେ କୋଭିଡ୍‌ କଟକଣାକୁ ମାନି ମାସ୍କ ପିନ୍ଧିବା ସହ ହାତକୁ ସାନିଟାଇଜ୍‌ କରିଥିଲେ।

ସମ୍ବନ୍ଧିତ ଖବର