ଆଜିଠୁ ଖଣ୍ଡଗିରିରେ କୁମ୍ଭମେଳା; ପାହାଡ଼ ଗୁମ୍ଫାରୁ ଗୁଞ୍ଜରିତ ହେବ ମନ୍ତ୍ରଧ୍ବନି

ମେଳା ଜଗିବେ ୬ ପ୍ଲାଟୁନ୍‌ ପୁଲିସ, ବିଏମ୍‌ସି ପକ୍ଷରୁ ପ୍ରସ୍ତୁତି ଶେଷ

ଖଣ୍ଡଗିରି: ପରମ୍ପରା, ବିଧି ଓ ବିଶ୍ବାସ ଅନୁସାରେ ପବିତ୍ର ମାଘ ସପ୍ତମୀରେ ଆରମ୍ଭ ହେଉଛି ବିଶ୍ବ ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭମେଳା। ସୂର୍ଯ୍ୟ ଉପାସନା ସାଙ୍ଗକୁ ସାଧୁସନ୍ଥମାନେ ହୋମଯଜ୍ଞ, ଜପତପ ଓ ପୂଜାର୍ଚ୍ଚନା କରିବେ। ରାମଚରିତ ମାନସ ପ‌ାଠ ଯୋଗୁଁ ସମଗ୍ର ପାହାଡ଼ ମନ୍ତ୍ରଧ୍ବନିରେ ପ୍ରକମ୍ପିତ ହେବ। ଖଣ୍ଡଗିରିର ଗିରିକନ୍ଦରରେ ଗୁଞ୍ଜରିତ ହେବ ବିଭିନ୍ନ ମନ୍ତ୍ରଧ୍ବନି। ସନ୍ଥମାନଙ୍କ ଅସ୍ଥାୟୀ ତପ ଶିବିରରେ ଜଳିବ ଅଖଣ୍ଡ ଯଜ୍ଞ। ଦିନରେ ‌ମନ୍ତ୍ରଧ୍ବନି, ସଂଜ ନଇଁଲେ ଜମିବ ଭଜନ କୀର୍ତ୍ତନ। ଆସନ୍ତା ୯ ଦିନ ପାଇଁ ମହାତୀର୍ଥରେ ପରିଣତ ହେବ ଖଣ୍ଡଗିରି। ଏକ ସୁନ୍ଦର ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେବ ବନଭୂମି ଖଣ୍ଡଗିରିରେ। ଶନିବାର ମା’ ବାରଭୂଜାଙ୍କ ପାଖେ ଖଣ୍ଡଖିରି ଭୋଗ ଲାଗି ହେବ। ପ୍ରାୟ ମଧ୍ୟାହ୍ନ ପରେ ହୋମକୁଣ୍ଡରେ ଅଗ୍ନି ସ୍ଥାପନ ହେବ ଓ ଏହି ଅଖଣ୍ଡ ହୋମକୁଣ୍ଡ ୯ ଦିନ ପର୍ଯ୍ୟନ୍ତ ଅର୍ଥାତ୍ ପୂର୍ଣ୍ଣମୀ ପର୍ଯ୍ୟନ୍ତ ପ୍ରଜ୍ଜ୍ବଳିତ ରହିବ। ଶୁକ୍ରବାରଠାରୁ ଷ୍ଟାଣ୍ଡିଂ ବାବା, ହୁଗୁଳିରୁ ସୁନନ୍ଦା ମାତା, ଅନନ୍ତଗିରି ନାଗା ବାବା, ଡାକ୍ତର ବାବାଙ୍କ ଭଳି ବିଭିନ୍ନ ରାଜ୍ୟରୁ ଶତାଧିକ ବାବା ଆସି ପହଞ୍ଚିଛନ୍ତି। ରାଜଧାନୀର କଂକ୍ରିଟ୍‌ ଜଙ୍ଗଲ ଭିତରେ ଆଜି ବି ଭାରତ ବର୍ଷର ପ୍ରାଚୀନ ଜାଗଯଜ୍ଞ ଓ ଜପତପ ପରମ୍ପରା ଜୀବିତ ରହିଛି। ଏହାର ପ୍ରମାଣ ଦେଉଛି ତପୋଭୂମି ଖଣ୍ଡଗିରି।

ଚୂଡ଼ାନ୍ତ ପର୍ଯ୍ୟାୟରେ ସାଧୁସନ୍ଥ ଓ ଶିଷ୍ୟମାନଙ୍କ ପ୍ରସ୍ତୁତି

ମାଘ ମେଳା ପାଇଁ ସାରା ଭାରତରୁ ଆସିଥିବା ସାଧୁସନ୍ଥ ଓ ସେମାନଙ୍କ ଶିଷ୍ୟମାନେ ଖଣ୍ଡଗିରିରେ ଡେରା ପକାଇଛନ୍ତି। ସେମାନେ ଜପତପ ପାଇଁ ହୋମକୁଣ୍ଡ ପ୍ରସ୍ତୁତି ସାରିଦେଲେଣି। ନାଗାସାଧୁମାନେ ମଧ୍ୟ ପହଞ୍ଚିଗଲେଣି। ତେବେ ଶିବଙ୍କ ପ୍ରସାଦ ବାହାନାରେ ସେମାନେ ବିପୁଳ ଗଞ୍ଜେଇ ଟାଣୁଥିବା ଦେଖିବାକୁ ମିଳୁଛି। ଏହା ଦ୍ବାରା କିଛି ମହିଳା ଓ ଛୋଟପିଲାଙ୍କ ଭଳି ଶ୍ରଦ୍ଧାଳୁମାନେ ପ୍ରଭାବିତ ହେଉଥିବା ଅଭିଯୋଗ ହେଉଛି।

ମନେପଡ଼େ ଯୋଗନଦୀ
ବିଲୁପ୍ତ ହୋଇଯାଇଛି ପୁଣ୍ୟତୋୟା ଯୋଗ ନଦୀ। ଏକଦା ଏହି ଚିରସ୍ରୋତା କ୍ଷୁଦ୍ର ଝରଣା ଥିଲା ଯୋଗୀମୁନିଙ୍କ ସ୍ନାନପୀଠ। ଖଣ୍ଡଗିରି ଉଦୟଗିରିରେ ଯୋଗ ସାଧନ କରୁଥିବା ଯୋଗୀମାନଙ୍କ ସ୍ନାନ ଶୌଚ ଲାଗି ଏହି ନଦୀ ଥିଲା ପ୍ରକୃଷ୍ଟ ସ୍ଥାନ। ସମୟଚକ୍ରରେ ଏହି ପବିତ୍ର ନିର୍ଝରିଣୀ ଆଜି ଅପବିତ୍ର ନାଳ। ସହର ଆଁରେ ଗିଳି ହୋଇଯାଇଛି ପବିତ୍ର ଯୋଗନଦୀ। ମାତ୍ର ଏବେ ବି ଖଣ୍ଡଗିରି ମେଳାକୁ ଆସୁଥିବା କିଛି ଯୋଗୀ ଏହି ନଦୀକୁ ଖୋଜନ୍ତି। ନଦୀର ସତ୍ତାକୁ ଅନୁଭବ କରନ୍ତି। ଆଜି ଇତିହାସ ହୋଇଯାଇଥିବା ଚିରସ୍ରୋତା ଯୋଗ ନଦୀ ଚିରକାଳ ଅମର।

କରୋନା ମହାମାରୀ ‌ପରେ ପୁଣି ଆରମ୍ଭ ହେଉଛି ବହୁ ପ୍ରତୀକ୍ଷିତ ଖଣ୍ଡଗିରି କୁମ୍ଭ ମେଳା। ତେଣୁ ଚଳିତ ବର୍ଷ ହଜାର ହଜାର ଲୋକଙ୍କ ଭିଡ଼ ଜମିବ। ମେଳା ସମୟରେ ଟ୍ରାଫିକ୍‌ ସମସ୍ୟାଠାରୁ ଆରମ୍ଭ କରି ଚୋରି, ଅପରାଧ ଆଦି ସବୁଦିଗକୁ କମିସନରେଟ୍‌ ପୁଲିସ ଗୁରୁତ୍ବର ସହ ନେଇଛି। ମେଳା ପାଇଁ ୬ ପ୍ଲାଟୁନ୍‌ ପୁଲିସ ମୁତୟନ କରାଯିବ ବୋଲି ଡିସିପି ପ୍ରତୀକ ସିଂ କହିଛନ୍ତି। ୨ ପ୍ଲାଟୁନ୍‌ ପୁଲିସ କେବଳ ଟ୍ରାଫିକ୍‌ ନିୟନ୍ତ୍ରଣ କରିବେ। ସୁରକ୍ଷା ଦାୟିତ୍ବକୁ ଜଣେ ଏସିପି ପାହ୍ୟାର ଅଧିକାରୀଙ୍କୁ ଦିଆଯାଇଛି। ତାଙ୍କ ନେତୃତ୍ବରେ ୧୮ଜଣିଆ ଟିମ୍‌ ଗଠନ କରାଯାଇଛି। ସେମାନେ ମେଳାର ଅସ୍ଥାୟୀ କଣ୍ଟ୍ରୋଲ୍‌ ରୁମ୍‌ରୁ ସୁରକ୍ଷା ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବେ। ସେହିପରି ସାରା ଅଞ୍ଚଳକୁ ସିସିଟିଭି ନଜରରେ ରଖାଯାଇଛି। କଣ୍ଟ୍ରୋଲ୍‌ ରୁମ୍‌ରୁ ଅଧିକାରୀମାନେ ସିସିଟିଭି ଜରିଆରେ ମେଳା ଉପରେ ନଜର ରଖିବେ। ଏହାଛଡ଼ା ୩ଟି ବାଇକ୍‌ ଓ ୨ଟି ଭ୍ୟାନ୍‌ ପା‌ଟ୍ରୋଲିଂ ୟୁନିଟ୍‌ ରଖାଯାଇଛି। ସେମାନେ ୨୪ ଘଣ୍ଟିଆ ବୁଲିବେ। ଅଗ୍ନିଶମ ବିଭାଗର କର୍ମଚାରୀ ଓ ଦମକଳ ଗାଡ଼ି ମଧ୍ୟ ମୁତୟନ କରାଯାଇଛି। ସେମାନେ ‌ସମସ୍ତ ପ୍ରକାର ସ୍ଥିତିକୁ ସାମ୍ନା କରିବାକୁ ପ୍ରସ୍ତୁତ ରହିବେ ବୋଲି ଡିସିପି ଶ୍ରୀ ସିଂ କହିଛନ୍ତି।

ଖଣ୍ଡଗିରି ମେଳା ପାଇଁ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ପାହାଡ଼ ପାଦଦେଶରେ ସନ୍ଥମାନଙ୍କ ଶିବିର ପାଇଁ ବିଏମ୍‌ସି ପକ୍ଷରୁ ସଫା କରାଯାଇଛି। ଅସ୍ଥାୟୀ ବିଦ୍ୟୁତ୍ ସୁବିଧା ଯୋଗାଇ ଦିଆଯାଇଛି।‌ ଶୌଚାଳୟକୁ ମଧ୍ୟ କାର୍ଯ୍ୟକ୍ଷମ କରାଯାଇଛି। ସେହିଭଳି ବେପାରୀମାନେ ଶୁଖିଲା ଓ ଓଦା ଅଳିଆ ଅଲଗା କରି ରଖିବା ପରେ ବିଏମ୍‌ସି ଅଳିଆ ଗାଡ଼ି ଦିନକୁ ୨ଥର ଆସି ଅଳିଆ ଉଠାଇବ। ଏନେଇ ବିଏମ୍‌ସି ଡେପୁଟି କମିସନର ରବି ନାରାୟଣ ଜେଠୀଙ୍କ କହିବା କଥା ମେଳା ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ୱାଟ୍‌କୋ ପକ୍ଷରୁ ପାଣି ବ୍ୟବସ୍ଥା କରାଯାଇଛି। ପୁରୀରୁ ୪ଟି ଅସ୍ଥାୟୀ ଶୌଚାଳୟ ଆଣିବାର ଯୋଜନା ଅଛି।

ସମ୍ବନ୍ଧିତ ଖବର