କିମ୍ଭୀରା ନାଳ ବ୍ରିଜ୍ ନିର୍ମାଣ ବାଟ ଫିଟିଲା; ପାଣ୍ଡରାରୁ ହଟିଲା ଜବରଦଖଲ, ୧୨ ଦୋକାନ ଉଚ୍ଛେଦ

ଭୁବନେଶ୍ବର: ରାଜଧାନୀ ଉପକଣ୍ଠ ପାଣ୍ଡରାରେ ହେବାକୁ ଥିବା କିମ୍ଭୀରା ନାଳ ବ୍ରିଜ୍‌ ନିର୍ମାଣ ପାଇଁ ବାଟ ଫିଟିଛି। ଏହି ବ୍ରିଜ୍‌ ନିର୍ମାଣ ପାଇଁ ବର୍ଷେ ହେଲା ବାଧକ ସାଜିଥିବା ଜବରଦଖଲକୁ ଆଜି ଉଚ୍ଛେଦ କରାଯାଇଛି। ପ୍ରାୟ ୪ ହଜାର ବର୍ଗଫୁଟ ଜମିରେ ଥିବା ୧୨ଟି ଦୋକାନକୁ ଭାଙ୍ଗି ଦିଆଯାଇଛି। କମିସନରେଟ୍‌ ପୁଲିସର ସହଯୋଗରେ ବିଡିଏ ଏହି ଜବରଦଖଲ ଉଚ୍ଛେଦ କରିଛି।

ପାଣ୍ଡରା ମୌଜା ରାସ୍ତା ପାଖ ୩୮୬୧ ନମ୍ବର ପ୍ଲଟରେ ଜବରଦଖଲ ହୋଇଥିଲା। ପ୍ରାୟ ୪ହଜାର ବର୍ଗଫୁଟ ଜମିରେ ଥିବା ଏକ ବଡ଼ ଫର୍ଣ୍ଣିଚର ଦୋକାନ ସମେତ ୧୨ଟି ଦୋକାନ ଏବଂ ଆଡ୍‌ଭର୍ଟାଇଜିଂ ବୋର୍ଡ ହଟେଇ ଦିଆଯାଇଛି। ପ୍ରାୟ ବର୍ଷେ ତଳୁ ଏଥିପାଇଁ ବସନ୍ତ କୁମାର ଭୋଇଙ୍କ ସମେତ ଉକ୍ତ ସ୍ଥାନରେ ଦୋକାନ କରିଥିବା ଦୋକାନୀମାନଙ୍କୁ ନୋଟିସ୍ ଯାଇଥିଲା। କିନ୍ତୁ କୋର୍ଟରୁ ରହିତାଦେଶ ଆଣିଥିବା ଦର୍ଶାଇ ସେମାନେ ଜାଗାରୁ ହଟୁନଥିଲେ। ଆଜି ମଧ୍ୟ ବିଡିଏର ଉଚ୍ଛେଦକାରୀ ସ୍କ୍ବାଡ୍‌କୁ ସେମାନେ କୋର୍ଟର ରହିତାଦେଶ ଥିବା ଆଳରେ ଭୁଆଁ ବୁଲାଇବାକୁ ଉଦ୍ୟମ କରିଥିଲେ। ମାତ୍ର ଉକ୍ତ ରହିତାଦେଶର ନକଲ ପ୍ରଦର୍ଶନ କରି ପାରିନଥିଲେ। ବିଡିଏ କର୍ତ୍ତୃପକ୍ଷ ଉକ୍ତ ରହିତାଦେଶର ନକଲ ଦେଖିବା ପାଇଁ ଅଡ଼ି ବସିବା ପରେ ଜବରଦଖଲକାରୀମାନେ ହରଡ଼ଘଣାରେ ପଡ଼ି ଯାଇଥିଲେ। ତେଣୁ ବିଡିଏ ଆଉ କିଛି ଶୁଣିନଥିଲା ଓ ଦୋକାନ ଭଙ୍ଗା କାମ ଆରମ୍ଭ କରିଥିଲା। ଏ ନେଇ ବିଡିଏର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସୁବାସ ପଣ୍ଡା କହିଛନ୍ତି ‌ଯେ କିମ୍ଭୀରା ନାଳ ଉପରେ ଏକ ବ୍ରିଜ୍ ନିର୍ମାଣ ହେବ ବୋଲି ଯୋଜନା କରାଯାଇଛି। ତେଣୁ ଏହି ଜବରଦଖଲରେ ଥିବା ଜମିର ଆବଶ୍ୟକତା ରହିଛି। ଏବେ ଖୁବ୍‌ ଶୀଘ୍ର ବ୍ରିଜ୍‌ ନିର୍ମାଣ କାମ ଆରମ୍ଭ ହେବ ବୋଲି ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର