ମହିଳା କମିସନ କାର୍ଯ୍ୟାଳୟ ଘେରିଲା ବିଜେପି ମହିଳା ମୋର୍ଚ୍ଚା

କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା ମାମଲା

ଭୁବନେଶ୍ୱର: ବହୁ ଚର୍ଚ୍ଚିତ କୁନ୍ଦୁଲି ନାବାଳିକା ଗଣଦୁଷ୍କର୍ମ ଘଟଣାରେ ରାଜ୍ୟ ମହିଳା କମିସନର ଅଧ୍ୟକ୍ଷ ଲୋପାମୁଦ୍ରା ବକ୍ସିପାତ୍ରଙ୍କ ଆଭିମୁଖ୍ୟକୁ ବିରୋଧ କରି ଆଜି ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରର୍ଶନ କରାଯାଇଥିଲା। ବିଜେପି ରାଜ୍ୟ ସଭାନେତ୍ରୀ ପ୍ରଭାତୀ ପରିଡ଼ାଙ୍କ ନେତୃତ୍ୱରେ ଶତାଧିକ ମହିଳା ମହିଳା କମିସନ କାର୍ଯ୍ୟାଳୟ ଘେରାଉ କରିବା ସହ ଅଧ୍ୟକ୍ଷାଙ୍କୁ ଚୁଡ଼ି ଭେଟି ଦେଇଥିଲେ। ଏତିକିରେ ସେମାନଙ୍କ ରାଗ ଶାନ୍ତ ହୋଇ ନ ଥିଲା। ଉତ୍ତ୍ୟକ୍ତ ମହିଳାମାନେ କାର୍ଯ୍ୟାଳୟର କାଚ ଭଙ୍ଗାରୁଜା କରିବା ସହ ଚେଆର ଫୋପଡ଼ା ଫିଙ୍ଗା ମଧ୍ୟ କରିଥିଲେ। ମୋର୍ଚ୍ଚା ପକ୍ଷରୁ କୁହାଯାଇଛି କି, ନ୍ୟାୟ ପାଇଁ ସଂଗ୍ରାମ କରୁଥିବା ପୀଡ଼ିତା ଜଣକ ଶେଷରେ ନିରାଶ ହୋଇ ଆତ୍ମହତ୍ୟା କରିବା ସଭ୍ୟ ସମାଜ ପାଇଁ ଲଜ୍ଜା। ବାରମ୍ବାର ଘଟୁଥିବା ଏଭଳି ନିନ୍ଦନୀୟ ଘଟଣା ରାଜ୍ୟର ବିପର୍ଯ୍ୟସ୍ତଆଇନ ଶୃଙ୍ଖଳା ପରିସ୍ଥିତିକୁ ପଦାରେ ପକାଇଛି। ମହିଳାମାନଙ୍କୁ ତାଙ୍କର ମୌଳିକ ଅଧିକାରର ସୁରକ୍ଷା ପ୍ରଦାନ କରିବାକୁ ଗଠିତ ରାଜ୍ୟ ମହିଳା କମିସନ ଆୟୋଗ ମଧ୍ୟ ନିରବଦ୍ରଷ୍ଟା ସାଜିଛନ୍ତି। ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ବର୍ତମାନ ସୁଦ୍ଧା ରାଜ୍ୟ ମହିଳା କମିସନ କୌଣସି କାର୍ଯ୍ୟାନୁଷ୍ଠାନ କିମ୍ବା ପଦକ୍ଷେପ ଗ୍ରହଣ କରିନାହାନ୍ତି। ପୋଲିସ, ପ୍ରଶାସନକୁ ହାତବାରିସୀ କରି ଶାସକ ବିଜେଡି କୁନ୍ଦୁଲି ପ୍ରସଙ୍ଗକୁ ଚାପି ଦେବାର ଅପଚେଷ୍ଟା କରୁଥିବାବେଳେ ରାଜ୍ୟ ମହିଳା କମିଶନ ମଧ୍ୟ ଏହି ଚକ୍ରାନ୍ତରେ ସାମିଲ ହୋଇଛନ୍ତି ବୋଲି ବିଜେପି ମହିଳା ମୋର୍ଚ୍ଚା ଅଭିଯୋଗ କରିଛି। ଆଗାମୀ ୨୪ ଘଂଟା ମଧ୍ୟରେ ଯଦି ମହିଳା କମିଦନଙ୍କ ତରଫରୁ ପ୍ରତିଶ୍ରୁତି ମୁତାବକ ନିରପେକ୍ଷ ତଦନ୍ତ ରିପୋର୍ଟ ପ୍ରକାଶ କରା ନ ଯାଏ ତେବେ ଏହି ଅନ୍ଦୋଳନ ଆହୁରି ତୀବ୍ର ଓ ବ୍ୟାପକ କରାଯିବ ବୋଲି ଶ୍ରୀମତୀ ପରିଡ଼ା ଚେତାବନୀ ଦେଇଛନ୍ତି ।

କାର୍ଯ୍ୟାଳୟରେ ଭଙ୍ଗାରୁଜା, ଫୋପଡ଼ା ଫିଙ୍ଗା

ଏହି ବିକ୍ଷୋଭରେ ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ, ରାଜ୍ୟ ବିଜେପି ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର, ମହିଳା ମୋର୍ଚ୍ଚା ରାଜ୍ୟ ଉପ ସଭାନେତ୍ରୀ କାନନବାଳା ପଟ୍ଟନାୟକ, କୋଷାଧ୍ୟକ୍ଷା ବିଜୟଲକ୍ଷ୍ମୀ ମହାପାତ୍ର, ଭୁବନେଶ୍ୱର ଜିଲ୍ଲା ସଭାନେତ୍ରୀ ମୀନାକ୍ଷି ପ୍ରିୟଦର୍ଶିନୀ, ଡ.ଐଶ୍ୱର୍ଯ୍ୟା ବିଶ୍ୱାଳ, ଜ୍ୟୋତ୍ସ୍ନାରାଣୀ ମର୍ଦ୍ଦରାଜ, ସୁନିତା ମହାନ୍ତି, ନିରୂପମା ଜେନା, ମୀନା ସେଠୀ, ସୁବାସିନୀ ପୃଷ୍ଟି, ପୂର୍ଣ୍ଣିମା ଦାଶ ପ୍ରମୁଖଙ୍କ ସମେତ ବହୁ ମହିଳା କାର୍ଯ୍ୟକର୍ତା ଉପସ୍ଥିତ ଥିଲୋ

ସମ୍ବନ୍ଧିତ ଖବର