ଫୁଟପାଥ୍‌ରୁ ଓପନ୍ ସେଲ୍‌ଟର; ସୁନେଲି ସ୍ବପ୍ନ ଦେଖୁଛି କୁନି

ଭୁବନେଶ୍ବର: ମା’କୁ ହରାଇବା ପରେ କୁନି(ଛଦ୍ମନାମ) ସବୁ କିଛି ହରାଇ ସାରିଥିଲା। ବାପା ଥାଇ ବି ନଥିଲା ଭଳି। ବୁଢ଼ା ଜେଜେବାପା ଥିଲା କୁନିର ସବୁ କିଛି। ରାଜଧାନୀର ରାଜରାସ୍ତାରେ ଜଡ଼ିବୁଟି ବିକି ଘର ଚଳାଉଥିବା ବୃଦ୍ଧ କୁନିକୁ କେବଳ ଖାଇବାକୁ ମୁଠାଏ ଯୋଗାଇ ପାରୁଥିଲେ। ପାଠପଢ଼ା କଥା କେବ‌େ ବି ଭାବି ପାରିନଥିଲେ। ଏମିତିରେ ବୃଦ୍ଧଙ୍କ ମୃତ୍ୟୁ ପରେ କୁନିର ଭବିଷ୍ୟତ କ’ଣ ହେଇଥାନ୍ତା, ସହଜରେ ଅନୁମେୟ। ମାତ୍ର ଏବେ କୁନି ସରକାରୀ ହେପାଜତରେ। ଫୁଟ୍‌ପାଥ୍‌ରୁ ତାକୁ ଓପନ୍‌ ସେଲ୍‌ଟରକୁ ନିଆଯାଇଛି। ସରକାର ତା’ ପାଠପଢ଼ା ବ୍ୟବସ୍ଥା କରିଛନ୍ତି। ବିଦ୍ୟାଳୟ ଖୋଲିବା ପରେ ତାକୁ ଛାତ୍ରୀନିବାସରେ ରଖି ପଢ଼ିବା ସୁଯୋଗ ମିଳିବ। ତେଣୁ କୁନି ଏବେ ସୁନେଲି ସ୍ବପ୍ନ ଦେଖୁଛି।

ଘଟଣାଟି ଥିଲା ଏମିତି। ବିଜୁ ପଟ୍ଟନାୟକ ପାର୍କ ନିକଟରେ ଫୁଟ୍‌ପାଥ୍‌ରେ ଜେଜେବାପାଙ୍କ ଜଡ଼ିବୁଟି ଦୋକାନରେ ବସିଥିଲା ୮ ବର୍ଷ ବୟସର କୁନି। ଜଡ଼ିବୁଟି ବିକିବାରେ ଜେଜେଙ୍କୁ ସହଯୋଗ କରୁଥିଲା। ଦିନେ ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁଙ୍କ ନଜର ପଡ଼ିଥିଲା କୁନି ଉପରେ। ଏଡ଼େ ଟିକି ପିଲାଟି ପାଠପଢ଼ା ଛାଡ଼ି ବୃଦ୍ଧଙ୍କ ସହ ରାଜପଥରେ କାହିଁକି ବସିଛି ବୋଲି ସଚିବ ଶ୍ରୀ ସାହୁଙ୍କ ଉତ୍କଣ୍ଠା ବଢ଼ିଥିଲା। କୁନି ପାଖକୁ ଯାଇ ସେ ପଚାରିଲେ। ତେବେ କୁନି ଯାହା କହିଲା ସଚିବ ଶ୍ରୀ ସାହୁଙ୍କ ମନ ବ୍ୟଥିତ ହୋଇପଡ଼ିଲା। ମା ଚାଲିଗଲା ପରେ ବାପା ବି କିଛି କରୁନାହାନ୍ତି। ତେଣୁ ଜେଜେବାପା ତା’ର ସବୁ କିଛି। ପଢ଼ିବାକୁ ଇଛା ଥିଲେ ବି ଜେଜେଙ୍କ ରୋଜଗାର ନାହିଁ। ଏହା ପରେ ସଚିବ ଶ୍ରୀ ସାହୁ ନିଜ ପରିଚୟ ଦେଇ ବୃଦ୍ଧଙ୍କ ସହ ଆଲୋଚନା କଲେ। କୁନିର ପାଠପଢ଼ା ସରକାର ବୁଝିବେ ବୋଲି କହିଲେ। ବୃଦ୍ଧଙ୍କ ଆଖି ଛଳଛଳ ହୋଇଗଲା।

ବଡ଼ ଖୁସିରେ ବୃଦ୍ଧ ରାଜି ହୋଇଗଲେ। ତୁରନ୍ତ ସଚିବ ଶ୍ରୀ ସାହୁ କୁନିକୁ ସିଡବ୍ଲୁସି(ଶିଶୁ ମଙ୍ଗଳ ସମିତି) ସହଯୋଗରେ ଉଦ୍ଧାର କରି ପାତ୍ରପଡ଼ାସ୍ଥିତ ଓପନ୍‌ ସେଲଟ୍‌ରକୁ ପଠାଇଥଲେ। ସେଠାରେ ତାକୁ ବ୍ୟାଗ୍‌, ବହିପତ୍ର ଆଦି ପାଠ୍ୟ ଉପକରଣ ଯୋଗାଇ ଦିଆଯାଇଛି। ବେଶ୍ ଖୁସି ଅଛି କୁନି। ସ୍କୁଲ୍‌ ଖୋଲିବା ପରେ ୟୁନିଟ୍‌-୬ ହାଇସ୍କୁଲ ଛାତ୍ରୀ ନିବାସରେ ତାକୁ ରଖାଯିବ। ଭୁବନେଶ୍ବର ଶିକ୍ଷା ଅଧିକାରୀ ସନ୍ତୋଷ କୁମାର ରାଉତ କହିଛନ୍ତି ଯେ କୁନି ପା‌ଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ତାକୁ ଶିକ୍ଷା ଅଧିକାର ମିଳିବ। ପାଠପଢ଼ା ସହ ତା’ ଭିତରେ ଥିବା ଅନ୍ୟାନ୍ୟ ପ୍ରତିଭାର ବିକାଶ ପାଇଁ ନଜର ଦିଆଯିବ।

ସମ୍ବନ୍ଧିତ ଖବର