ଓଡ଼ିଶୀ ଛନ୍ଦରେ କୁନ୍ତୀ, ଅମରାପଲ୍ଲୀ ଓ ଗଙ୍ଗା

ଗୁରୁ ପଙ୍କଜ ଉତ୍ସବରେ ମାହାରୀ ସମ୍ମାନ ପ୍ରଦାନ

ଭୁବନେଶ୍ବର: ଗୁରୁ ପଙ୍କଜ ଚରଣ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ଆଜି ରବୀନ୍ଦ୍ର ମଣ୍ଡପରେ ୨୮ତମ ଗୁରୁ ପଙ୍କଜ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶୀ ଛନ୍ଦରେ ପୌରାଣିକ କଥାବସ୍ତୁ କୁନ୍ତୀ, ଗଙ୍ଗା, ଅମରାପଲ୍ଲୀ ନୃତ୍ୟାଭିନୟ ଦର୍ଶକମାନଙ୍କୁ ବି ମୋହିତ କରିଥିଲା। ବିଶିଷ୍ଟ ନୃତ୍ୟ ଶିଳ୍ପୀ ଗୁରୁ ସୁହାଗ ନଳିନୀ ଦାସଙ୍କ ଦ୍ବାରା ପରିବେଷିତ ମାହାରୀ ନୃତ୍ୟରେ ‘କୁନ୍ତି’ଙ୍କ ଚରିତ୍ର ଚିତ୍ରଣ ହୋଇଥିଲା। ଗୁରୁ ଶରତ ଦାସ ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ। ନୂଆଦିଲ୍ଲୀର ନୃତ୍ୟଶିଳ୍ପୀ ସିମରନ୍ ଯମାନ୍‌ଙ୍କ ‘ନ ଯା ଯମୁନା’ ଖୁବ୍ ଆକର୍ଷଣୀୟ ହୋଇଥିଲା।

ଗୁରୁ ମିନତୀ ପ୍ରଧାନଙ୍କ ନିର୍ଦ୍ଦେଶନାରେ ଓ ଗୁରୁ ହରିହର ପଣ୍ଡା ସଂଗୀତ ସଂଯୋଜନାରେ ନୃତ୍ୟଶିଳ୍ପୀ ରୋଜାଲିନ୍ ସୁନ୍ଦରରାୟଙ୍କ ‘ମଧୁରାଷ୍ଟକମ୍’ ବେଶ୍ ସୁନ୍ଦର ହୋଇଥିଲା। ଗୁରୁ ପ୍ରଭାତ କୁମାର ସ୍ବାଇଁଙ୍କ ନିର୍ଦ୍ଦେଶନାରେ ପୌରାଣିକ ଗାଥା ‘ଅମରାପଲ୍ଲୀ’କୁ ପୂର୍ଣ୍ଣିତା ମହାନ୍ତି ପରିବେଷଣ କରିଥିଲେ। ଗୁରୁ ବିଚିତ୍ରାନନ୍ଦ ସ୍ବାଇଁଙ୍କ ନିର୍ଦ୍ଦେଶନାରେ ଗୁରୁ ଅମୂଲ୍ୟ ବଳବନ୍ତରାୟ ‘ଗଙ୍ଗା’ ପରିବେଷଣ କରିଥିଲେ। ଛତିଶି ଗାୟନ ପାଇଁ ଗୁରୁ ଡ. ସଚ୍ଚିକାନ୍ତ ନାୟକଙ୍କୁ ‘ଗାଉଣୀ’, ମର୍ଦ୍ଦଳ ବାଦନ ପାଇଁ ଗୁରୁ ଦିବାକର ପରିଡାଙ୍କୁ ‘ମାଦେଳୀ’ ସମ୍ମାନ, ଓଡ଼ିଶୀ ସଂଗୀତ ସଂଯୋଜନା ପାଇଁ ପଣ୍ଡିତ ରବିଶଙ୍କର ପ୍ରଧାନଙ୍କୁ ‘ବୀଣାକର’ ସମ୍ମାନ ଓ ଓଡ଼ିଶୀ ନୃତ୍ୟ ପାଇଁ ନୃତ୍ୟଶିଳ୍ପୀ ଗୁରୁ କୌଶାଳୀ ମୁର୍ଖାଜୀଙ୍କୁ ‘ନାଚୁଣୀ’ ସମ୍ମାନରେ ସମ୍ମାନିତ କରାଯାଇଥିଲା।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ, ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅଶୋକ କୁମାର ତ୍ରିପାଠୀ ଯୋଗ ଦେଇଥିଲେ। ଅନୁଷ୍ଠାନର ସଂପାଦକ ଶରତ ଦାସ ସ୍ବାଗତ ଭାଷଣ ଦେଇଥିବା ବେଳେ ଅଧ୍ୟକ୍ଷ ବଟକୃଷ୍ଣ ତ୍ରିପାଠୀ ଧନ୍ୟବାଦ ଦେଇଥିଲେ। ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର