ବାଲିଅନ୍ତା/ ବାଲିଅନ୍ତା ବଜାର: ସମଗ୍ର ବାଲିଅନ୍ତା ବ୍ଲକ୍‌ର ସବୁ ଗାଁରେ, ପଡ଼ାରେ ଘରେ ଘରେ ପହଞ୍ଚିବ କୁଶଭଦ୍ରା ନଦୀର ଜଳ। ଏଥିପାଇଁ ପ୍ରାୟ ୧୦୬ କୋଟି ଟଙ୍କା ବିନିମୟରେ ଏକ ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କାମ ଆରମ୍ଭ ହୋଇଛି। ଠିକାସଂସ୍ଥା ନାଗାର୍ଜୁନ କନ୍‌ଷ୍ଟ୍ରକ୍‌ସନ ପକ୍ଷରୁ ନିର୍ମାଣ କାମ ଆରମ୍ଭ ହୋଇସାରିଛି। ୨୦୨୪ ମସିହା ଶେଷ ସୁଦ୍ଧା ଏହି ପ୍ରକଳ୍ପ ନିର୍ମାଣ ସାରିବାକୁ ଲକ୍ଷ୍ୟ ରଖାଯାଇଛି।

Advertisment

କେନ୍ଦ୍ରୀୟ ଜଳ ଜୀବନ ମିସନ ଯୋଜନାରେ(ଜେଜେଏମ୍‌) ବାଲିଅନ୍ତାରେ ଆରମ୍ଭ ହୋଇଛି ଏହି ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ। ଏହି ପ୍ରକଳ୍ପ ପାଇଁ ଡିହବାଲିଅନ୍ତାରେ ୪ ଏକର ଜମି ଅଧିଗ୍ରହଣ କରାଯାଇଛି ଏବଂ ୫ ମାସ ହେଲା କାର୍ଯ୍ୟ ଆରମ୍ଭ ହୋଇଛି। ଏଥିପାଇଁ ସ୍ଥାନୀୟ ଅଣ୍ଡିଲୋଠାରେ କୁଶଭଦ୍ରା ନଦୀଗର୍ଭରେ ଏକ ଇନ୍‌ଟାକ୍‌ ୱେଲ୍‌ ଖନନ କରାଯିବ। ୩୦ ଫୁଟ୍‌ ଗଭୀର ଓ ୨୦ ଫୁଟ୍‌ ପରିସୀମା ବିଶିଷ୍ଟ ଏହି କୂପରୁ ପାଇପ୍‌ ଯୋଗେ ଜଳ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟକୁ ଯିବ। ସେଠାରେ ଜଳକୁ ବିଶୋଧନ କରାଯିବା ପରେ ବଡ଼ବଡ଼ ପାଇପ୍‌ ଯୋଗେ ବିଭିନ୍ନ ଗାଁରେ ହେବାକୁ ଥିବା ଓଭର୍‌ହେଡ୍‌ ପାଣିଟାଙ୍କିକୁ ଯୋଗାଇ ଦିଆଯିବ। ଓଭରହେଡ୍‌ ଟ୍ୟାଙ୍କ ନିକଟରେ ପୁଣି ଜଳ ବିଶୋଧନ କରାଯାଇ ପାଇପ୍‌ ଯୋଗେ ଗାଁ ଭିତରକୁ ଯୋଗାଇଦିଆଯିବ ଏବଂ ପରେ ଷ୍ଟାଣ୍ଡପୋଷ୍ଟ ଜରିଆରେ ବା ସିଧାସଳଖ ପାଇପ୍‌ ଯୋଗେ ଘରକୁ ଘର ଜଳଯୋଗାଣ କରାଯିବ।

ଏବେ ଡିହବାଲିଅନ୍ତାର ଉକ୍ତ ୪ ଏକର ଜମିରେ ବାଉଣ୍ଡାରି ୱାଲ୍‌, ଅଫିସ ଘର ଏବଂ ଅନ୍ୟାନ୍ୟ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଛି। ଏହାପରେ ଏଠାରେ ୱାଟର ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ୍‌ ନିର୍ମାଣ କରାଯିବ। ଏହି ପ୍ରକଳ୍ପର ମୁଖ୍ୟ ଅଙ୍ଗ ତଥା ନଦୀ ଗର୍ଭରେ ହେବାକୁ ଥିବା ଇନ୍‌ଟାକ୍‌ ୱେଲ୍‌ ଅଣ୍ଡିଲୋଠାରେ ଖନନ କରାଯିବ। ଏଥିପାଇଁ ମାଟି ପରୀକ୍ଷଣ କରାଯାଇଛି ଏବଂ ଲାବରେଟୋରି ରିପୋର୍ଟକୁ ଅପେକ୍ଷା କରାଯାଇଛି। ଲାବରେଟୋରି ରିପୋର୍ଟ ଆସିବା ପରେ କୂପର ଡିଜାଇନ୍‌ ହାଇଦ୍ରାବାଦରୁ ଅଣାଯିବ। ତେବେ ଏସବୁ କାମ ଖୁବ୍‌ ଶୀଘ୍ର ସରିବ ବୋଲି ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ରଞ୍ଜନ କୁମାର ଘଡ଼େଇ ସୂଚନା ଦେଇଛନ୍ତି। ଯନ୍ତ୍ରୀ ଶ୍ରୀ ଘଡ଼େଇଙ୍କ ସୂଚନାନୁସାରେ ଏଥିପାଇଁ ୧୦୬ କୋଟି ୬୬ ଲକ୍ଷ ଟଙ୍କାର ଅନୁଦାନ ମଞ୍ଜୁର ହୋଇଛି। ଏହି ପ୍ରକଳ୍ପ ଦ୍ବାରା ବାଲିଅନ୍ତା ବ୍ଲକ ୧୬ ପଞ୍ଚାୟତର ୯୬ଟି ରାଜସ୍ବ ଗ୍ରାମ ଏବଂ ସମସ୍ତ ପଡ଼ା ଗ୍ରାମର ଲୋକେ ଉପକୃତ ହେବେ।
ତେବେ କୁଶଭଦ୍ରା ନଦୀ ବର୍ଷର ଅଧିକାଂଶ ସମୟ ଶୁଖିଲା ରହୁଥିବାରୁ ଏହି ପ୍ରକଳ୍ପର ଉପଯୋଗିତାକୁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଶେଷକରି ଖରାଦିନେ ଜଳ ଯୋଗାଣ ବାଧାପ୍ରାପ୍ତ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ମାତ୍ର ବିଭାଗୀୟ ସୂଚନାନୁସାରେ ସାଧାରଣତଃ ନଦୀ ଶଯ୍ୟା ଶୁଖିଲା ଥିଲେ ବି ନଦୀ ଗର୍ଭରେ ଜଳଧାରା ଥାଏ। ସେହିଭଳି ଭିଙ୍ଗାରପୁରଠାରେ କୁଶଭଦ୍ରା ନଦୀରେ ଓ ଟଙ୍କପାଣି ନିକଟରେ କୁଆଖାଇରେ ବ୍ୟାରେଜ୍‌ ନିର୍ମାଣ କରାଯାଉଛି। ‌ତେଣୁ ଏହି ପ୍ରକଳ୍ପ ପାଇଁ ନଦୀରୁ ଜଳ ଯୋଗାଣରେ ସମସ୍ୟା ରହିବ ନାହିଁ। ବାଲିଅନ୍ତା ପାଇଁ ଏହି ପ୍ରତୀକ୍ଷିତ ପ୍ରକଳ୍ପର ନିର୍ମାଣ କାମ ତ୍ବରାନ୍ବିତ କରିବାକୁ ବିଧାୟକ ଅରବିନ୍ଦ ଢାଲି ନିର୍ମାଣସ୍ଥଳକୁ ବୁଲିଦେଖିଛନ୍ତି।