ବେଗୁନିଆ,: କୁଶପଲ୍ଲା ଆଥଲେଟିକ୍ ଆସୋସିଏସନ୍ ଆନୁକୂଲ୍ୟରେ ଆୟୋଜିତ ୩୬ତମ ସର୍ବଭାରତୀୟ ଫୁଟ୍ବ୍ଲ ପ୍ରତିଯୋଗିତାରେ ଭୁବନେଶ୍ବରର ଶାନ୍ କ୍ଲବ୍ ବିଜେତା ହୋଇଛି। ଶନିବାର ତୀବ୍ର ସଂଘର୍ଷପୂର୍ଣ୍ଣ ତଥା ଚିତ୍ତାକର୍ଷକ ଫାଇନାଲରେ ଶାନ୍ କ୍ଲବ୍ ଟାଇବ୍ରେକର୍ରେ ୬-୫ (୧-୧) ଗୋଲ୍ରେ ବଜରଙ୍ଗୀ ସ୍ପୋର୍ଟିଂ ଘାଟିକିଆକୁ ହରାଇ ବିଜେତା ଆଖ୍ୟା ଅର୍ଜନ କରିଥିଲା।
୧୦ ହଜାରରୁ ଅଧିକ ଦର୍ଶକଙ୍କ ଉପସ୍ଥିତିରେ ଖେଳାଯାଇଥିବା ରୋମାଞ୍ଚକର ଫାଇନାଲ୍ ମୁକାବିଲାର ପ୍ରଥମାର୍ଦ୍ଧ ଖେଳ ଶେଷ ସୁଦ୍ଧା ବଜରଙ୍ଗୀ ଦଳ ୧-୦ରେ ଆଗୁଆ ରହିଥିଲା। ପ୍ରକାଶ ଜେନା ଏହି ଗୋଲ୍ଟିକୁ ଦେଇଥିଲେ। ଦ୍ବିତୀୟାର୍ଦ୍ଧରେ ଶାନ୍ କ୍ଲବ୍ ବିଜୟ ବାରିକଙ୍କ ଗୋଲ୍ ବଳରେ ଏହାକୁ ଶୁଝି ଦେଇଥିଲା। ଖେଳ ରୋମାଞ୍ଚକର ସ୍ଥିତିରେ ଥିଲା ବେଳେ ଏହି ଚମତ୍କାର ଗୋଲ୍ ପାଇଁ ଦର୍ଶକମାନେ ବିଜୟଙ୍କୁ ୨,୦୦୦ ଟଙ୍କାର ଆର୍ଥିକ ପୁରସ୍କାର ଦେବାକୁ ଘୋଷଣା କରିଥିଲେ। ନିର୍ଦ୍ଧାରିତ ସମୟ ମଧ୍ୟରେ ଉଭୟ ଦଳ ଗୋଟିଏ ଲେଖାଏଁ ଗୋଲ୍ ଦେଇ ବରାବର ସ୍ଥିତିରେ ରହିଥିଲେ। ହେଲେ ଟାଇବ୍ରେକର୍ରେ ଶାନ୍ କ୍ଲବ୍ ବାଜି ମାରି ନେଇଥିଲା। ଗୋଟିଏ ଗୋଲ୍ ବ୍ୟବଧାନରେ ମ୍ୟାଚ୍ ଜିତି ଚଳିତବର୍ଷର ଟ୍ରଫି ହାସଲ କରିଥିଲା। ଅନ୍ୟପକ୍ଷରେ ଲଢ଼ୁଆ ଖେଳ ଖେଳିଥିବା ବଜରଙ୍ଗୀ କ୍ଲବ୍ ଉପବିଜେତାରେ ସନ୍ତୁଷ୍ଟ ରହିଥିଲା। ଘାଟିକିଆ ଦଳର ତୋଫାନ ନାୟକ ଶ୍ରେଷ୍ଠ ଖେଳାଳି ଏବଂ ଶାନ କ୍ଲବ୍ର ଗୋଲରକ୍ଷକଙ୍କୁ ଶ୍ରେଷ୍ଠ ଗୋଲ୍ରକ୍ଷକ ଭାବେ ପୁରସ୍କୃତ ହୋଇଥିଲେ।
ସାଂସଦ ମୁନା ଖାଁ, ବିଜେଡ଼ି ସାଧାରଣ ସଂପାଦକ ପ୍ରଦୀପ କୁମାର ସାହୁ, ବେଗୁନିଆ ବ୍ଲକ୍ ଅଧ୍ୟକ୍ଷ ଲକ୍ଷ୍ମୀଧର ସୁବୁଦ୍ଧି, ସିମୋର ସରପଞ୍ଚ ହାଡ଼ୁବନ୍ଧୁ ମହାପାତ୍ର, ବଡ଼ବେରଣା ସରପଞ୍ଚ ଅସିତ ତ୍ରିପାଠୀ,ବୀଣାପାଣି ପାଠାଗାର ସଭାନେତ୍ରୀ ବନ୍ଦିତାରାଣୀ ଦାସ, ଖୋର୍ଦ୍ଧା ଆଥେଲେଟିକ ଆସୋସିଏସନ୍ର ସଂପାଦକ ଉପେନ୍ଦ୍ର ନାଥ ଦାଶ, ବେଗୁନିଆର ପୂର୍ବତନ ସରପଞ୍ଚ ନବ କିଶୋର ସ୍ୱାଇଁ, ସମାଜସେବୀ ନୀଳକଣ୍ଠ ସ୍ୱାଇଁ, ଲକ୍ଷ୍ମୀକାନ୍ତ ମହାପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପୁରସ୍କାର ବିତରଣ କରିଥିଲେ।