କେଭି-୫ ଓ କେଭି-୬ର ନୂଆ ବିଲ୍ଡିଂ ଲୋକାର୍ପିତ : ଶ୍ରେଣୀଗୃହ ହେବ ଡିଜିଟାଲ୍‌

ଖଣ୍ଡଗିରି : କଟକ ଓ ଭୁବନେଶ୍ୱରରେ ଥିବା ୮ଟିଯାକ କେନ୍ଦ୍ରୀୟ ବିଦ୍ୟାଳୟର ସମସ୍ତ ଶ୍ରେଣୀଗୃହକୁ ଡିଜିଟାଲ କରାଯିବ। ଫଳରେ ସେହିସବୁ ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀମାନେ ଇ-କ୍ଲାସ୍‌ରୁମ୍‌ରେ ପଢ଼ିବାର ସୁଯୋଗ ଲାଭ କରିପାରିବେ। ଫଳରେ ନୂତନ ଜ୍ଞାନକୌଶଳ ଦ୍ୱାରା ଏହି ସବୁ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅତ୍ୟାଧୁନିକ ପାଠ୍ୟକ୍ରମ (ବିଶେଷ କରି ବିଜ୍ଞାନ)ରେ ନିଜକୁ ସାମିଲ୍‌ କରିବାର ସୌଭାଗ୍ୟ ପାଇପାରିବେ। ଏଥିସହିତ ଟୁଇନ୍‌ ସିଟି ଏକ ଲାବ୍‌ରେ ପରିଣତ ହେବ। ଶନିବାର କଳିଙ୍ଗନଗରସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ-୫ ଓ ପୋଖରୀପୁଟସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ-୬ର ନୂତନ ବିଲ୍ଡିଂ (୩୦ କୋଟି ଟଙ୍କା ବ୍ୟୟରେ ନିର୍ମିତ) ଲୋକାର୍ପଣ ଉତ୍ସବରେ କେନ୍ଦ୍ର ପେଟ୍ରୋଲିୟମ୍‌ ତଥା ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଘୋଷଣା କରିଛନ୍ତି।

ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଭିତରେ ଅନୁଷ୍ଠିତ ହୋଇଥିବା ଏହି ଲୋକାର୍ପଣ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ କହିଲେ ଯେ କଟକ ଓ ଭୁବନେଶ୍ୱରରେ ଥିବା ୮ଟି କେନ୍ଦ୍ରୀୟ ବିଦ୍ୟାଳୟର କିଛି କିଛି ଶ୍ରେଣୀଗୃହ ଏବେ ଇ-କ୍ଲାସ ରୁମ୍‌ରେ ପରିଣତ ହୋଇଛି। ପ୍ରତି ବିଦ୍ୟାଳୟରେ ୮ରୁ ୧୦ଟି କ୍ଲାସ ରୁମ୍‌କୁ ଡିଜିଟାଲ କରାଯାଇଛି। କିନ୍ତୁ ଆଗାମୀ ୬ ମାସ ଭିତରେ ସମସ୍ତ କ୍ଲାସ୍‌ ରୁମ୍‌କୁ ଡିଜିଟାଲ୍‌ କରାଯିବ। ଏଥିପାଇଁ ଆବଶ୍ୟକ ଅର୍ଥ ଓ ଅନ୍ୟାନ୍ୟ ଉପରକଣ ଯୋଗାଇ ଦେବାକୁ ସେ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଓ ଶିକ୍ଷା ବିଭାଗ ସହ ଆଲୋଚନା କରିବେ। ନିଜେ ଦକ୍ଷତା ବିକାଶ ମନ୍ତ୍ରୀ ଥିବାରୁ ସେ ସମସ୍ତ ସହାୟତା ଯୋଗାଇ ଦେବେ। ଏହି ଅବସରରେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ଆୟୁକ୍ତ ସନ୍ତୋଷ କୁମାର ମଲ୍ଲ ସମ୍ମାନିତ ଅତିଥିଭାବେ ଯୋଗ ଦେଇ କେନ୍ଦ୍ରୀୟ ବିଦ୍ୟାଳୟମାନଙ୍କରେ ବିଜ୍ଞାନ ପାଠ୍ୟକ୍ରମ ଉପରେ ନିଆଯାଉଥିବା ନୂତନ ପଦକ୍ଷେପ ଉପରେ ବକ୍ତବ୍ୟ ରଖିଥିଲେ। ସମଗ୍ର ଦେଶ ତଥା ବିଦେଶରେ ଥିବା ୧୧୮୩ କେନ୍ଦ୍ରୀୟ ବିଦ୍ୟାଳୟର ଉନ୍ନତି ପାଇଁ କେନ୍ଦ୍ର ସରକାର ନେଉଥିବା ପଦକ୍ଷେପ ଉପରେ ସେ କହିଥିଲେ। ଏଣିକି କେନ୍ଦ୍ରୀୟ ବିଦ୍ୟାଳୟରେ ପଢ଼ୁଥିବା ଦେଶର ୧୨ ଲକ୍ଷ ଛାତ୍ରଛାତ୍ରୀମାନଙ୍କୁ ଫିଟ୍‌ନେସ୍‌ ରିପୋର୍ଟ କାର୍ଡ ପ୍ରଦାନ କରାଯିବ ବୋଲି ସେ ସୂଚନା ଦେଇଥିଲେ। ଏହି ଅବସରରେ ଭୁବନେଶ୍ୱର ଆଞ୍ଚଳିକ ଉପାୟୁକ୍ତ ଏବିଏଲ୍‌ ଜଗନ୍ନାଥ ରାଓ, ସହକାରୀ ଆୟୁକ୍ତ ମୁରଲୀଧର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଭୁବନେଶ୍ୱରର ସମସ୍ତ କେଭିର ଛାତ୍ରଛାତ୍ରୀମାନେ ଏଥିରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

ଉଲ୍ଲେଖଯୋଗ୍ୟ ଯେ କାର୍ଯ୍ୟକ୍ରମକୁ ରାଜ୍ୟ ସଂସ୍କୃତି ମନ୍ତ୍ରୀ ଅଶୋକଚନ୍ଦ୍ର ପଣ୍ଡା ଓ ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କୁ ନିମନ୍ତ୍ରଣ କରାଯାଇଥିଲେ ମଧ୍ୟ ସେମାନେ ଅନୁପସ୍ଥିତ ଥିଲେ। ତେବେ ବିଜେପି ନେତା ସୁଦୀପ୍ତ ରାୟ, ଡାକ୍ତର ବେହେରା କର୍ପୋରେଟର୍‌ ରଘୁନାଥ ମହାନ୍ତି ପ୍ରମୁଖ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ସ୍ୱାଗତ କରିଥିଲେ।

ସମ୍ବନ୍ଧିତ ଖବର